ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଗୁଲାବ୍’ ମୁକାବିଲା ନେଇ ଜାତୀୟ ସଙ୍କଟ ପରିଚାଳନା କମିଟି(ଏନସିଏମସି)ର ପ୍ରସ୍ତୁତି ବୈଠକ ଶନିବାର ଅନୁଷ୍ଠିତ ହୋଇଛି। କ୍ୟାବିନେଟ୍ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଜନିତ ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ମନ୍ତ୍ରାଳୟ/ଏଜେନ୍ସି ଓ ରାଜ୍ୟ ସରକାରଙ୍କ ପ୍ରସ୍ତୁତିର ସମୀକ୍ଷା କରାଯାଇଛି। ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ବାତ୍ୟାର ସ୍ଥିତି ବିଷୟରେ କମିଟିକୁ ସୂଚନା ଦେଇଛନ୍ତି। ୨୬ ତାରିଖ ସନ୍ଧ୍ୟାରେ ବାତ୍ୟା ସ୍ଥଳଭାଗ ସ୍ପର୍ଶ କରିବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୭୫ରୁ ୮୫ କିମି ରହିବ। ସ୍ଥଳବିଶେଷରେ ୯୫ କିମି ବେଗରେ ଝଟ୍କା ଦେବ। ପ୍ରବଳ ବର୍ଷା ସହ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍, ବିଜୟନଗରମ୍, ବିଶାଖାପାଟଣା, ଓଡ଼ିଶାର ଗଞ୍ଜାମ, ଗଜପତି ଜିଲ୍ଲାକୁ ପ୍ରଭାବିତ କରିବାର ସମ୍ଭାବନା ରହିଥିବା ସେ ସୂଚନା ଦେଇଥିଲେ।
ବାତ୍ୟା ପ୍ରଭାବରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ନିଆଯାଉଥିବା ପ୍ରସ୍ତୁତି ସଂକ୍ରାନ୍ତରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ମୁଖ୍ୟ ସଚିବମାନେ କମିଟିକୁ ଅବଗତ କରାଇଥିଲେ। ଏଥିସହ ଟେଲି ଯୋଗାଯୋଗ, ବିଦ୍ୟୁତ୍ ଓ ଅନ୍ୟାନ୍ୟ ଭିତ୍ତିଭୂମିଗୁଡ଼ିକର ସର୍ବନିମ୍ନ କ୍ଷତି ପହଞ୍ଚାଇବା ପାଇଁ ନିଆଯାଉଥିବା ପଦକ୍ଷେପର ସୂଚନା ଦେଇଥିଲେ। ଏହି ଦୁଇ ରାଜ୍ୟରେ ୧୮ଟି ଏନ୍ଡିଆରଏଫ୍ ଟିମ୍କୁ ନିୟୋଜିତ କରାଯାଇଛି। ଅତିରିକ୍ତ ଦଳ ମଧ୍ୟ ପ୍ରସ୍ତୁତ ରହିଛି। ଜାହଜ ଓ ବିମାନ ସହ ସେନା, ନୌସେନାର ଉଦ୍ଧାରକାରୀ ଦଳ, ରିଲିଫ ଦଳ ମଧ୍ୟ ନିୟୋଜିତ ହୋଇଛନ୍ତି।
ଶ୍ରୀ ଗୌବା କହିଛନ୍ତି ଯେ ବାତ୍ୟା ଲ୍ୟାଣ୍ଡଫଲ୍ ହେବା ପୂର୍ବରୁ ରାଜ୍ୟ ସରକାରଙ୍କ ସମ୍ପୃକ୍ତ କର୍ତ୍ତୃପକ୍ଷ ତଥା କେନ୍ଦ୍ରର ସମ୍ପୃକ୍ତ ଏଜେନ୍ସିଗୁଡ଼ିକ ଦ୍ୱାରା ସମସ୍ତ ପ୍ରତିଷେଧକ ତଥା ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିସହ ମୃତ୍ୟୁ ସଂଖ୍ୟାକୁ ଶୂନ ପାଖାପାଖି ରଖିବା, ସମ୍ପତ୍ତି ଓ ଭିତ୍ତିଭୂମିର କ୍ଷତି କମ୍ କରିବାକୁ ପଦକ୍ଷେପ ନିଆଯିବା ଉଚିତ। କ୍ୟାବିନେଟ ସଚିବ ରାଜ୍ୟ ସରକାରଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସମସ୍ତ କେନ୍ଦ୍ରୀୟ ଏଜେନ୍ସି ଏଥିପାଇଁ ପ୍ରସ୍ତୁତ ରହିଛନ୍ତି। ସବୁ ସମୟରେ ସହାୟତା ପାଇଁ ଉପଲବ୍ଧ ହେବେ। ଏହି ବୈଠକରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ମୁଖ୍ୟ ସଚିବ, ଗୃହ ଓ ଶକ୍ତି ବିଭାଗର ସଚିବମାନେ ଯୋଗ ଦେଇଥିଲେ। ବୈଠକରେ ସଦସ୍ୟ(ଟେଲିକମ୍), ଏନଡିଆରଏଫ ଡିଜି, ଆଇଏମଡି ଡିଜି, ସିଆଇଏସସି ଆଇଡିଏସ୍ ଓ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/rajib.jpg)