୨୭ରେ ଚଳିତ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ : ଦୃଶ୍ୟମାନ ହେବ ୨ଟି ବିରଳ ମହାଜାଗତିକ ଦୃଶ୍ୟ, ରାତି ୧ଟାରୁ ୨ଟା ୪୩ ମିନିଟ୍‌ ଯାଏଁ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର : ଆସନ୍ତା ୨୭ ତାରିଖ ଗୁରୁ ପୂର୍ଣ୍ଣମୀ ରାତିରେ ଚଳିତ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ ହେବ। ଏହି ନିର୍ଦିଷ୍ଟ ଦିନ ମଙ୍ଗଳ ଗ୍ରହ ମଧ୍ୟ ପୃଥିବୀର ଖୁବ୍‌ ନିକଟକୁ ଆସିବା ସହ ଉଜ୍ଜ୍ୱଳ ଦେଖାଯିବ। ଉକ୍ତ ଦିନ ରାତି ୧୦ଟା ୪୪ ମିନିଟ୍‌ରେ ଚନ୍ଦ୍ର ପୃଥିବୀର ଉପଛାୟାରେ ପ୍ରବେଶ କରିବା ବେଳେ ଚନ୍ଦ୍ରଗ୍ରହଣ ଆରମ୍ଭ ହେବ। ରାତି ୧୧ଟା ୪୫ରୁ ଚନ୍ଦ୍ର ପୃଥିବୀର ଛାୟା ମଧ୍ୟରେ ପ୍ରବେଶ କରିବା ଆରମ୍ଭ କରିବ। ତେଣୁ ଏହି ସମୟରେ ଖାଲି ଆଖିରେ ଗ୍ରହଣ ଦେଖିହେବ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।

ଛାଇ ଧୀରେଧୀରେ ଆଗକୁ ବଢ଼ି ରାତି ୧ଟା ସମୟରେ ଚନ୍ଦ୍ରକୁ ସମ୍ପୂର୍ଣ୍ଣ ଭାବେ ଘୋଡ଼ାଇ ଦେବ। ସେତେବେଳେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଆରମ୍ଭ ହୋଇ ରାତି ୨ଟା ୪୩ ମିନିଟ୍‌ ସମୟ ଯାଏଁ ଦେଖାଯିବ। ଛାଇ କ୍ରମଶଃ ଅପସାରିତ ହୋଇ ଭୋର୍‌ ୩ଟା ୫୦ ମିନିଟ୍‌ ସମୟରେ ଚନ୍ଦ୍ର ପୂରା ଛାୟାରୁ ବାହାରିଯିବ। ମାତ୍ର ଏହାପରେ ମଧ୍ୟ ଚନ୍ଦ୍ର ଭୋର ୪ଟା ୫୮ ଯାଏଁ ପୃଥିବୀର ଉପଛାୟାରେ ରହିବ। କିନ୍ତୁ ଏହାକୁ ଖାଲି ଆଖିରେ ଦେଖି ହେବ ନାହିଁ। ରାତି ୧ଟାରୁ ୨ଟା ୪୩ ମିନିଟ୍‌ ପର୍ଯ୍ୟନ୍ତ ଦୀର୍ଘ ୨ଘଣ୍ଟା ୪୩ ମିନିଟ୍‌ ପର୍ଯ୍ୟନ୍ତ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ରହିବ। ଏହି ସମୟରେ ଚନ୍ଦ୍ର ଲାଲ୍‌ ତଥା ନାରଙ୍ଗୀ ରଙ୍ଗର ଦେଖାଯିବ। ସୂର୍ଯ୍ୟଙ୍କର କିରଣ ପୃଥିବୀର ବାୟୁମଣ୍ଡଳରେ ବିଚ୍ଛୁରିତ ହୋଇ ଚନ୍ଦ୍ରରେ ପଡ଼ୁଥିବାରୁ ଚନ୍ଦ୍ରର ରଙ୍ଗ ଏପରି ଦେଖାଯିବ। ଓଡ଼ିଶା ସମେତ ଭାରତର ସମସ୍ତ ଅଞ୍ଚଳକୁ ଚନ୍ଦ୍ର ସେ ସମୟରେ ମଳିନ ଲାଲ ତଥା ନାରଙ୍ଗୀ ରଙ୍ଗର ଦେଖାଯିବ। ଏହି ସମୟରେ ଆକାଶ ମେଘ ମୁକ୍ତ ରହିଲେ ହିଁ ଏହି ରଙ୍ଗ ଦେଖିହେବ।

ସେହିପରି ମଙ୍ଗଳ ଗ୍ରହ ୨୦୦୩ ମସିହା ପରେ ପୃଥିବୀର ସବୁଠୁ ନିକଟକୁ ଆସିବ। ୭୮୦ ଦିନରେ ଥରେ ପୃଥିବୀ ମଙ୍ଗଳ ଗ୍ରହକୁ ଅତିକ୍ରମ କରିଥାଏ। ସେହି ସମୟରେ ଗ୍ରହ ଦୁଇଟି ନିକଟତର ହୁଅନ୍ତି। କିନ୍ତୁ ପ୍ରତି ୧୫ରୁ ୧୭ ବର୍ଷରେ ଥରେ ଗ୍ରହ ଦୁଇଟି ଖୁବ୍‌ ନିକଟକୁ ଆସିଥାନ୍ତି। ପୃଥିବୀର ଖୁବ୍‌ ନିକଟକୁ ଆସିବାକୁ ଥିବାରୁ ମଙ୍ଗଳ ଗ୍ରହ ଖାଲି ଆଖିକୁ ଉଜ୍ଜ୍ୱଳ ଲାଲ ରଙ୍ଗର ତାରା ଭଳି ଦେଖାଯିବ। ଚଳିତ ବର୍ଷ ଜୁଲାଇ ଓ ଅଗଷ୍ଟ ମାସର ପ୍ରତ୍ୟେକ ରାତିରେ ମଙ୍ଗଳ ଗ୍ରହଟି ସନ୍ଧ୍ୟା ସମୟରେ ପୂର୍ବ ଦିଗରେ ଉଦୟ ହୋଇ ଧୀରେଧୀରେ ଉପରକୁ ଉଠି ମଧ୍ୟରାତ୍ରି ବେଳକୁ ମୁଣ୍ଡ ଉପର ହୋଇ ପାହାନ୍ତିଆ ବେଳକୁ ପଶ୍ଚିମରେ ଅସ୍ତ ହେବ। ଏହି ସମୟରେ ମଙ୍ଗଳ ବୃୃହସ୍ପତି ଗ୍ରହଠାରୁ ମଧ୍ୟ ଉଜ୍ଜ୍ୱଳ ଦେଖାଯିବ। ଏହି ଦୁଇଟି ବିରଳ ସୁନ୍ଦର ମହାଜାଗତିକ ଦୃଶ୍ୟକୁ ଖାଲି ଆଖିରେ ଦେଖି ହେବ। ଗ୍ରହଣ ଏକ ସାଧାରଣ ମହାଜାଗତିକ ଘଟଣା ହୋଇଥିବା ବେଳେ ଏହାର କୌଣସି ପ୍ରଭାବ ପୃଥିବୀ ତଥା ଆମ ଉପରେ ପଡ଼େ ନାହିଁ ବୋଲି ଡ. ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର