ସେଞ୍ଚୁରିୟାନ୍ ବିଶ୍ବବିଦ୍ୟାଳୟ ଛାତ୍ରଙ୍କ ଆତ୍ମହତ୍ୟା: ଫାଟକ ସାମ୍ନାରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ

ଜଟଣୀ: ବଲାଙ୍ଗୀର ମେଡିକାଲ କଲେଜର ଜଣେ ଛାତ୍ରଙ୍କ ମୃତ୍ୟୁ ଘଟଣାକୁ ନେଇ ଚର୍ଚ୍ଚା ଥମିନି। ରାଗିଂ ପାଇଁ ଏହି ଛାତ୍ର ଆତ୍ମହତ୍ୟା କରିଛନ୍ତି ନା ଏହାପଛରେ ଆଉ କିଛି କାରଣ ରହିଛି, ତାହାକୁ ନେଇ ଆଲୋଚନା ଜାରି ରହିଛି। ଏହି ଘଟଣାର ମାତ୍ର କିଛିଦିନ ପରେ ଜଟଣୀସ୍ଥିତ ସେଞ୍ଚୁରିୟାନ୍ ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ର ହଷ୍ଟେଲ ରୁମ୍‌ରେ ଆତ୍ମହତ୍ୟା କରିଛନ୍ତି। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି l

ଆତ୍ମହତ୍ୟା କରିଥିବା ଛାତ୍ର ଜଣଙ୍କ ହେଲେ ଯାଜପୁର ଅଞ୍ଚଳର ବୈଷ୍ଣବ ଭରଦ୍ବାଜ ପତି। ସେ ବିଏସ୍‌ସି ରେଡ଼ିଓଲୋଜି ଦ୍ୱିତୀୟ ବର୍ଷର ଛାତ୍ର। ସବୁ ଛାତ୍ରଙ୍କ ଭଳି ସେ ମଧ୍ୟ ପରୀକ୍ଷା ଦେଉଥିଲେ l ତେବେ ପରୀକ୍ଷା କେନ୍ଦ୍ରରେ କପି କରୁଥିବା ବେଳେ ଦାୟିତ୍ଵରେ ଥିବା ଅଧ୍ୟାପକ ସେଥିରୁ ନିବୃତ୍ତ ରହିବା ପାଇଁ କହିଥିଲେ। ଏହି ଘଟଣାରେ ଲଜ୍ଜା ଅନୁଭବ କରି ସେ ଏଭଳି ପଦକ୍ଷେପ ନେଇ ଥାଇପାରନ୍ତି ବୋଲି ପ୍ରତିବାଦ କରୁଥିବା ଛାତ୍ରଛାତ୍ରୀମାନଙ୍କ ଆଲୋଚନାରୁ ଶୁଣିବାକୁ ମିଳିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଏମ୍‌ସକୁ ପଠାଇଛି। ବିଶ୍ୱବିଦ୍ୟାଳୟ ପରିସରରେ ମୃତଛାତ୍ରଙ୍କ ଆତ୍ମାର ସଦ୍‌ଗତି କାମନା କରି ଏକ ଶୋକସଭାର ଆୟୋଜନ କରାଯାଇଥିଲା l ତେବେ ଏହି ଘଟଣାକୁ ନେଇ ଅନ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିବାବେଳେ ସେମାନେ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ। ପୁଲିସ ଓ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଅନ୍ୟପକ୍ଷରେ ମୃତ ଛାତ୍ରଙ୍କ ପରିବାର ପକ୍ଷରୁ କେହି ଆସି ନ ଥିବାରୁ ଗୁରୁବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର