ରାୟଗଡ଼ା: ରାୟଗଡ଼ା ଜିଲ୍ଲାକୁ ଦକ୍ଷିଣ ଭାରତ ସହ ଯୋଡ଼ୁଛି ଝଞ୍ଜାବତୀ ପୋଲ। ସହର ଉପକଣ୍ଠରେ ରହିଥିବା ଏହି ପୋଲକୁ ପ୍ରାୟ ଶହେ ବର୍ଷ ତଳେ ବ୍ରିଟିଶ୍ ସରକାର ନିର୍ମାଣ କରିଥିଲେ। ସମୟକ୍ରମେ ଏହି ପୋଲ ଦୁର୍ବଳ ହେବାରେ ଲାଗିଛି। ଅନ୍ୟପଟେ ଗାଡ଼ି ଚଳାଚଳ ବୃଦ୍ଧି ପାଇବାରେ ଲାଗିଛି। ଏମିତି ସ୍ଥିତିରେ ବଡ଼ ଅଘଟଣକୁ ଏଡ଼ାଇବା ପାଇଁ ଜିଲ୍ଲା ପ୍ରଶାସନ ରାୟଗଡ଼ା-କେରଡ଼ା ମୁଖ୍ୟରାସ୍ତାରେ ଝଞ୍ଜାବତୀ ନାଳରେ ଉଚ୍ଚା ପୋଲ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇ କାମ ଠିକାସଂସ୍ଥାକୁ ଦେଇଥିଲା। କିନ୍ତୁ ବିଭିନ୍ନ ପ୍ରତିବନ୍ଧକ ସାଙ୍ଗକୁ ଉଦାସୀନତା ଯୋଗୁଁ ନୂଆ ପୋଲ ନିର୍ମାଣ ହୋଇପାରୁନି। ଯାହାଫଳରେ ଅସୁରକ୍ଷିତ ଶତାୟୁ ପୋଲରେ ଯାତାୟାତ ଜାରି ରହିଛି।
୨୦୧୭ ମସିହାରେ ରାୟଗଡା ଜିଲ୍ଲା ରାସ୍ତା ଓ କୋଠାବାଡି ବିଭାଗ ବିଭାଜନ-୧ ପକ୍ଷରୁ ଝଞ୍ଜାବତୀ ପୋଲ ନିମନ୍ତେ ଟେଣ୍ଡର ଆହ୍ବାନ ହୋଇଥିଲା। ବିଶାଖାପାଟଣାର ଏସ୍ଭିଏସ୍ ମୋକାମ୍ବିକା କନଷ୍ଟ୍ରକ୍ସନ୍ ପ୍ରାଇଭେଟ୍ ଲିମିଟେଡ୍ ଠିକାସଂସ୍ଥା ଏପ୍ରିଲ ୧୫ତାରିଖରେ ୧୦କୋଟି ୩୪ଲକ୍ଷ ୪୫୩୧୮ ଟଙ୍କାରେ ପୋଲ କରିବାକୁ କାର୍ଯ୍ୟାଦେଶ ପାଇଥିଲା। ବର୍ଷକ ମଧ୍ୟରେ ପୋଲ ନିର୍ମାଣ ଶେଷ କରିବାକୁ ଚୁକ୍ତି ହୋଇଥିଲା। କିନ୍ତୁ ଏହାରି ମଧ୍ୟରେ ଧାର୍ଯ୍ୟ ଅବଧି ପରେ ସାଢ଼େ ୫ବର୍ଷ ବିତି ଯାଇଥିଲେ ସୁଦ୍ଧା ପୋଲ କାମ ବିଶେଷ ଅଗ୍ରଗତି ହୋଇନାହିଁ। ପାରିପାର୍ଶ୍ବିକ ସ୍ଥିତ ସହ ବୈଷୟିକ ସମସ୍ୟା ଯୋଗୁଁ ବିଳମ୍ବ ହୋଇଥିବା କୁହାଯାଉଛି। ଅନ୍ୟପଟେ ସାଢ଼େ ୬ବର୍ଷ ମଧ୍ୟରେ ପୋଲ ଡିଜାଇନ୍ ୩ଥର ବଦଳିଥିବା ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସୂଚନା ଦେଇଛନ୍ତି।
ପୋଲ ନିମନ୍ତେ ଝଞ୍ଜାବତୀ ନାଳର ଉଭୟପାର୍ଶ୍ବରେ ପିଲର କେବଳ ଶେଷ ହୋଇଛି। ଉଭୟ ପାର୍ଶ୍ବକୁ ଯୋଡ଼ିବା ପାଇଁ ୬୧ମିଟର ଲମ୍ବା ଲୁହା ବୁଷ୍ଟ ଗାର୍ଡର ରଖିବା ବ୍ୟବସ୍ଥା ହୋଇପାରିନି। ବୁଷ୍ଟ ଗାର୍ଡର ରଖିବାକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ। ଏଥିପାଇଁ ହାଇଦ୍ରାବାଦର ଗୋଟିଏ ସଂସ୍ଥା ସହ ଯୋଗାଯୋଗ କରାଯାଇଛି। ଏହି କାରଣରୁ ନିର୍ମାଣ ବିଳମ୍ବ ହେଉଥିବା ବେଳେ ଆସନ୍ତାବର୍ଷ ଜାନୁଆରି ୩୧ତାରିଖ ସୁଦ୍ଧା ଲଞ୍ଚିଂ ବ୍ୟବସ୍ଥା ଶେଷ ହୋଇଯିବ। ଏହାପରେ ପୋଲର ଆପ୍ରୋଚ୍ ରୋଡ୍ ନିର୍ମାଣ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। କିନ୍ତୁ ଏମିତି ବିଳମ୍ବ କାରଣରୁ ପୂର୍ବଭଳି ପୁରୁଣା ତଥା ଅସୁରକ୍ଷିତ ପୋଲରେ ଗାଡ଼ି ଚଳାଚଳ କରୁଛି। ସୁରକ୍ଷା କାରଣରୁ ଭାରୀଯାନ ଚଳାଚଳ ଉପରେ ପ୍ରଶାସନ କଟକଣା ଲଗାଇଥିଲେ ସୁଦ୍ଧା ଉଲ୍ଲଂଘନ କରି ନିୟମିତ ଭାରୀଯାନ ଯାତାୟାତ କରୁଛି।
ରାୟଗଡ଼ା ଜିଲ୍ଲାରେ ବହୁ ସଂଖ୍ୟାରେ ଶିଳ୍ପ ରହିଥିବାରୁ ପ୍ରତିଦିନ ହଜାର ହଜାର ଗାଡ଼ି ଜିଲ୍ଲାକୁ ବିଭିନ୍ନ ରାଜ୍ୟରୁ ଆସୁଛି। ତେଣୁ ରାୟଗଡା-କେରଡା ମୁଖ୍ୟରାସ୍ତା ଅତ୍ୟଧିକ ବ୍ୟସ୍ତବହୁଳ ହୋଇଯାଇଛି। ଏମିତି ସ୍ଥିତିରେ ପୁରୁଣା ସେତୁ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ବେଳେ ଦିନକୁ ଦିନ ଭାର ବଢ଼ି ଚାଲିଛି। ଅଘଟଣ ଘଟିବାର ଆଶଙ୍କା ରହିଥିବାରୁ ପୋଲ ଉପରେ ସାମାନ୍ୟ ନିର୍ଭରଶୀଳତା କମାଇବା ପାଇଁ ରାୟଗଡା ପୂର୍ତ୍ତ ବିଭାଗ ପକ୍ଷରୁ ପିତାମହଲ ଠାରୁ ସିରିକଣା ପର୍ଯ୍ୟନ୍ତ ୧୦.୦୫ କିମି ବିଶିଷ୍ଟ ବାଇପାସ୍ ନିର୍ମାଣ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୬କିଲୋମିଟର କାମ ସଂପୂର୍ଣ୍ଣ ହୋଇଛି। ବଳକା ୪କିମି କାମ ଶେଷ ହୋଇଗଲେ ପୁରୁଣା ସେତୁ ଉପରେ ଯାତାୟାତ କମିବା ସହ ରାୟଗଡା ସହର ଦେଇ ଭାରୀଯାନ ଚଳାଚଳ ଅନେକମାତ୍ରାରେ କମିଯିବ। ସେହିପରି ସହରରେ ହେଉଥିବା ଦୁର୍ଘଟଣା ସଂଖ୍ୟା କମିଯିବ ବୋଲି ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/shfhhsffhfhs.jpg)