ଆଜି ଶତାବ୍ଦୀର ବଡ଼ ଚନ୍ଦ୍ରଗ୍ରହଣ : ରାତି ୧୧ଟା ୫୪ରୁ ଆରମ୍ଭ ୩ଟା ୪୯ରେ ଶେଷ, ୨ଟା୫୪ରୁ ପାକତ୍ୟାଗ, ଦେବନୀତି ନିଷିଦ୍ଧ

ଭୁବନେଶ୍ୱର : ଆଜି ଦେଖାଯିବ ଶତାବ୍ଦୀର ସବୁଠାରୁ ବଡ଼ ଚନ୍ଦ୍ର ଗ୍ରହଣ। ରାତି ୧୦ଟା ୪୪ରୁ ଏହା ଆରମ୍ଭ ହେବ। ରାତି ୧୧ଟା ୫୪ମିନିଟ ପରେ ଆର୍ଥାତ ଆସନ୍ତା ୨୮ତାରିଖ ରାତି ୩ଟା ୪୯ ପର୍ଯ୍ୟନ୍ତ ଚନ୍ଦ୍ର ଗ୍ରହଣକୁ ଖାଲି ଆଖିରେ ଦେଖିବାକୁ ମିଳିବ। ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ରାତି ୧ଟାରୁ ଆରମ୍ଭ ହୋଇ ୨ଟା ୪୩ ମିନିଟ୍‌ ପର୍ଯ୍ୟନ୍ତ, ପ୍ରାୟ ଏକ ଘଣ୍ଟା ୪୩ ମିନିଟ୍‌ ଧରି ଦେଖାଯିବ। ଏହି ସମୟରେ ଚନ୍ଦ୍ର ରକ୍ତବର୍ଣ୍ଣ ଧାରଣ କରିବ। ସୂର୍ଯ୍ୟଙ୍କ କିରଣ ପୃଥିବୀରେ ଥିବା ବାୟୁମଣ୍ଡଳରେ ଗତି କଲାବେଳେ ନୀଳ ତଥା ସବୁଜ ରଙ୍ଗ ବିଚ୍ଛୁରିତ ହୋଇଥାଏ। କେବଳ ଲାଲ ଓ ନାରଙ୍ଗି ରଙ୍ଗର ଆଲୋକ ଚନ୍ଦ୍ରରେ ଉପରେ ପଡ଼ୁଥିବାରୁ ଚନ୍ଦ୍ର ଏଭଳି ଲାଲ୍‌ ଦେଖାଯିବ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ଜାନୁଆରି ମାସରେ ୪୫ ମିନିଟ୍‌ ପାଇଁ ରକ୍ତ ବର୍ଣ୍ଣର ଚନ୍ଦ୍ର ଦେଖାଯାଇଥିଲା। ଏହି ଚନ୍ଦ୍ର ଗ୍ରହଣ ରାଜ୍ୟର ସମସ୍ତ ସ୍ଥାନରେ ଦୃଶ୍ୟମାନ ହେବ।

ପ୍ଲାନେଟାରିୟମ୍‌ର ଉପ-ନିର୍ଦେଶକ ଶୁଭେନ୍ଦୁ ପଟ୍ଟାନୟକଙ୍କ ସୂଚନା ଅନୁଯାୟୀ, ଆସନ୍ତା ଶତାବ୍ଦୀର ଆଉ ଏକ ଦୀର୍ଘତମ ଚନ୍ଦ୍ରଗ୍ରହଣ ୨୧୨୩ ମସିହା ଜୁନ୍‌ ମାସ ୯ ତାରିଖରେ ଦେଖାଯିବ। ସେତେବେଳେ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଏକ ଘଣ୍ଟା ୪୬ମିନିଟ୍‌ ଧରି ଦୃଶ୍ୟମାନ ହେବ। ଗ୍ରହଣ ଓ ପରାଗ ଆଦି ଏକ ସାଧାରଣ ମହାଜାଗତିକ ଘଟଣା ଓ ଏହାର କୌଣସି ପ୍ରଭାବ ପୃଥିବୀ ଉପରେ ପଡ଼େ ନାହିଁ। ଚଳିତ ଚନ୍ଦ୍ର ଗ୍ରହଣ ମଧ୍ୟରାତ୍ରିରେ ହେବ। ତେବେ ଆକାଶ ମେଘାଚ୍ଛନ୍ନ ରହିବାର ଆଶଙ୍କା ଥିବାରୁ ଏହାର ଯଥେଷ୍ଟ ପୂର୍ବରୁ ପଠାଣି ସାମନ୍ତ ପ୍ଲାନେଟାରିୟମ ତରଫରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇଁ ନିଷ୍ପତ୍ତି ହୋଇଛି। ଆସନ୍ତାକାଲି ଅପରାହ୍ନ ୨, ୩, ୪ ଓ ୫ ଘଟିକା ସମୟରେ ପ୍ଲାନେଟାରିୟମ୍‌ରେ ଚାଲୁଥିବା ସୋ’ ପୂର୍ବରୁ ୧୦ମିନିଟ୍‌ ଗ୍ରହଣ ବିଷୟରେ ଲୋକମାନଙ୍କୁ ଧାରଣା ଦିଆଯିବାର ବ୍ୟବସ୍ଥା ରହିଛି। ଏହାସହ ସନ୍ଧ୍ୟା ୬ଟାରୁ ୭ଟା ଭିତରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏଥିରେ ଗ୍ରହଣ ସଂପର୍କରେ ଲୋକମାନଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେବାର ବ୍ୟବସ୍ଥା କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

୨ଟା୫୪ରୁ ପାକତ୍ୟାଗ, ଦେବନୀତି ନିଷିଦ୍ଧ

ପୁରୀ : ଆସନ୍ତାକାଲି ଶୁକ୍ରବାର ଆଷାଢ ପୂର୍ଣ୍ଣିମାରେ ଏ ଶତାଦ୍ଦୀର ସବୁଠୁ ବଡ଼ ଚନ୍ଦ୍ର ଗ୍ରହଣ ହେବ। ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ ଆସନ୍ତାକାଲି ଅପରାହ୍ନ ୨ଟା୫୪ ମିନିଟ୍‌ରୁ ପାକତ୍ୟାଗ ଓ ଦେବ ନୀତି ନିଷିଦ୍ଧ ରହିବ। ରାତି ୧୧ଟା ୫୩ ମିନିଟ୍‌ ୪୮ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବ ଏବଂ ରାତି ୧ ଘଣ୍ଟା ୧୫ ସେକେଣ୍ଡରେ ପୂର୍ଣ୍ଣଗ୍ରାସ ଆରମ୍ଭ ହୋଇ ୨ଟା୪୩ ମିନିଟ୍‌ ୧୧ ସେକେଣ୍ଡରେ ପୂର୍ଣ୍ଣଗ୍ରାସ ଶେଷ ହେବ। ପୂର୍ଣ୍ଣଗ୍ରାସ ସରିବା ପରେ ରାତି ୩ଟା ୪୯ ମିନିଟ୍‌ ୩ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ଅନୁଷ୍ଠିତ ହେବ ବୋଲି ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକାର ମୁଖ୍ୟ ଗଣକ ଜ୍ୟୋର୍ତିବିଦ୍ୟା ବାଚସ୍ପତି ବୈକୁଣ୍ଠନାଥ ନାୟକ କହିଛନ୍ତି। ତେବେ ଅନ୍ୟ ଦେବାଳୟରେ ସର୍ବମୋକ୍ଷ ପରେ ଦେବ ନୀତି କରାଯିବାର ବିଧି ଥିବା ବେଳେ ଶ୍ରୀମନ୍ଦିରରେ କିନ୍ତୁ ଏହାର ସ୍ୱତନ୍ତ୍ରତା ରହିଛି। ଗ୍ରହଣ ସ୍ପର୍ଶ ପରେ ଓ ଗ୍ରହଣ ଲାଗିଥିବା ସମୟରେ କେବଳ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ଅନୁଷ୍ଠିତ ହୋଇପାରିବ।

ଚନ୍ଦ୍ର ଗ୍ରହଣ ପାଇଁ ଆସନ୍ତାକାଲି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଅନ୍ୟ ଦେବାଳୟରେ ଚନ୍ଦ୍ର ଗ୍ରହଣ ସମୟରେ ନୀତି ବନ୍ଦ ରହୁଥିବା ବେଳେ ଶ୍ରୀମନ୍ଦିରରେ କିନ୍ତୁ ଗ୍ରହଣ ସ୍ପର୍ଶ ପରେ ନୀତି ଆରମ୍ଭ ହେବ। ଶୁକ୍ରବାର ଭୋର ୫ଟା ବେଳେ ଦ୍ଵାରଫିଟା, ୫ଟା୩୦ରେ ଭିତର ଶୋଧ, ୫ଟା୪୦ରେ ମଙ୍ଗଳ ଆଳତି, ତଡପଲାଗି ୬ଟା୩୦, ଅବକାଶ ୭ଟା୩୦, ମଇଲମ ୭ଟା୩୦, ରୋଷହୋମ ୭ଟା୫୦, ବେଶ ଶେଷ ୮ଟା, ସୂର୍ଯ୍ୟପୂଜା ୮ଟା୧୫, ଦ୍ଵାରପାଳ ପୂଜା ୮ଟା୩୦, ଗୋପାଲବଲ୍ଲଭ ୯ଟା, ସକାଳଧୂପ (କେବଳ କୋଠ ଭୋଗ), ୯ଟା୩୦ରୁ ୧୦ଟା ୩୦, ମଇଲମ ଓ ବେଶ, ୧୦ଟା୪୫ରୁ ୧୧ଟା୧୫, ଭୋଗ ମଣ୍ଡପ ୯ଟା୪୦ରୁ ୧୧ଟା ୩୦, ମଧ୍ୟାହ୍ନ ଧୂପ (କେବଳ କୋଠ ଭୋଗ), ୧୨ଟାରୁ ଗୋଟାଏ ମଧ୍ୟରେ ଅନୁଷ୍ଠିତ ହେବ। ସେହିଭଳି ଦ୍ଵିତୀୟ ଭୋଗମଣ୍ଡପ ୧୨ଟା୧୦ରୁ ୨ଟା ମଧ୍ୟରେ ସରିବ। ଦକ୍ଷିଣି ଘର ଭୋଗ ୨ଟା୩୦, ମଇଲମ ଓ ତଡପଲାଗି ୨ଟା ୫୪ରେ ସରିବା ପରେ ଦେବନୀତି ବନ୍ଦ ରହିବ। ରାତି ୧୧ଟା ୫୩ ମିନିଟ୍‌ ୪୮ ସେକେଣ୍ଡ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ, ଗ୍ରହଣ ଭୋଗ ପରେ ମଇଲମ, ବେଶ ବଢି ସନ୍ଧ୍ୟା ଆଳତି ନୀତି ଅନୁଷ୍ଠିତ ହେବ। ଏହି ନୀତି ପରେ ଅନ୍ୟାନ୍ୟ ନୀତିମାନ ହେବ। ଅନ୍ୟ ଦେବାଳୟରେ କିନ୍ତୁ ୩ଟା ୪୯ ମିନିଟ୍‌ ୩ ସେକେଣ୍ଡ ପରେ ନୀତିପୂଜା ହୋଇପାରିବ।

ସମ୍ବନ୍ଧିତ ଖବର