ଭୁବନେଶ୍ବର: ଶିଳ୍ପ ଜଗତର ପ୍ରଦୂଷଣ କମାଇବାକୁ ହେଲେ ଆମକୁ ୫ଟି ‘ଆର’ ଉପରେ ଗୁରୁତ୍ବ ଦେବାକୁ ହେବ। ସେଗୁଡ଼ିକ ହେଲା ରିୟୁଜ୍, ରିସାଇକେଲ୍, ରିଡ୍ୟୁସ୍, ରିପେୟାର ଏବଂ ରିଥିଙ୍କ୍। ସମ୍ବାଦ ପକ୍ଷରୁ ଅନୁଷ୍ଠିତ ସିଇଓ କନକ୍ଲେଭରେ ‘ଶିଳ୍ପରେ ସ୍ଥାୟିତ୍ବ ଅଭ୍ୟାସ’ ଶୀର୍ଷକ ପ୍ୟାନେଲ ଆଲୋଚନାରେ ବକ୍ତାମାନେ ଏଭଳି ମତ ରଖିଛନ୍ତି।
ଆଲୋଚନାରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର ଲିମିଟେଡର ପ୍ରେସିଡେଣ୍ଟ ତଥା ଗ୍ରୁପ ହେଡ୍ ଡ ପ୍ରଶାନ୍ତ କୁମାର ହୋତା ଏକ ପ୍ରଶ୍ନର ଉତ୍ତରରେ କହିଥିଲେ ପୃଥିବୀ ତିଷ୍ଠି ରହିଛି ଦୁଇଟି ଜିନିଷ ପାଇଁ। ସେଥିରୁ ଗୋଟିଏ ହେଲା ଭୃପୃଷ୍ଠ ଭାଗରେ ରହିଥିବା ୬ ଇଞ୍ଚର ମାଟି ଏବଂ ଅନ୍ୟଟି ହେଲା ବର୍ଷା। ଏହି ଦୁଇଟି ନଥିଲେ ପୃଥିବୀରେ ଫସଲ ହୋଇପାରିବ ନାହିଁ। ଫସଲ ନହେଲେ ଜୀବଜଗତ ତିଷ୍ଠି ପାରିବ ନାହିଁ। ତେଣୁ ରଜ ହିଁ ଆମର ପ୍ରଥିବୀ ଦିବସ ସେ କହିଥିଲେ। ସେ କହିଥିଲେ ବିଶ୍ବରେ ଯେତେଯାହା ବୈଷୟିକ ଅଗ୍ରଗତି ହୋଇଥିଲେ ମଧ୍ୟ ଯଦି ଉପରୋକ୍ତ ଦୁଇଟି ଜିନିଷ ନଥାନ୍ତା ତାହେଲେ ମଷିଣ ତିଷ୍ଠି ରହିବା ସମ୍ଭବ ହୋଇ ନଥାନ୍ତା। ସଭ୍ୟତା ଆରମ୍ଭରୁ ଉତ୍ପାଦନ ରହିଛି। ପ୍ରସ୍ତର ଯୁଗ, ତମ୍ବା ଯୁଗ ଏବଂ ଲୌହଯୁଗ ରହିଛି। ଉତ୍ପାଦନ ହେଲେ ପ୍ରଦୂଷଣ ହୋଇଥାଏ। କିନ୍ତୁ ତାହାକୁ କିଭଳି କମ୍ କରାଯାଇ ପରିବେଶ ଓ ପ୍ରକୃତି ମଧ୍ୟରେ ସନ୍ତୁଳନ ରକ୍ଷା କରାଯାଇ ପାରିବ ତାହାକୁ ଭଗବାନ କୃଷ୍ଣ ଗୀତାର ସପ୍ତମ ଅଧ୍ୟାୟରେ କହିଛନ୍ତି। ଭଗବାନ ପ୍ରଦାନ କରିଥିବା ଗୋଟିଏ ପଟେ ପଞ୍ଚ ଭୂତ ଏବଂ ଅନ୍ୟ ପଟେ ମତି, ବୁଦ୍ଧି ଓ ଅହଂ ମଧ୍ୟରେ ସନ୍ତୁଳନ ରକ୍ଷା କରାଯାଇ ପାରିଲେ ପରିବେଶ ସୁରକ୍ଷିତ ରହିବ ବୋଲି ସେ କହିଥିଲେ। ଏଥିସହି ଜିନ୍ଦଲ ପକ୍ଷରୁ ଅନୁଗୂଳ ସ୍ଥିତ କାରଖାନାରେ ଉତ୍ପାଦନରେ ଗ୍ରହଣ କରାଯାଇଥିବା ବିଶ୍ବର ଅନ୍ୟନ୍ୟ ପ୍ରକ୍ରିୟା ବା କୋଲ ଗ୍ୟାସିଫିକେସନ ଓ ସିନ୍ଥେଟିକ୍ ପ୍ରଯୁକ୍ତିର ଉପଯୋଗ ସଂପର୍କରେ ଉଦାହରଣ ଦେଇଥିଲେ।
ସେହିଭଳି ଏଥିରେ ଅନ୍ୟତମ ବକ୍ତାଭାବେ କିଟ୍ ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରୋ ଭାଇସ-ଚାନସେଲର ଡ ତପନ କୁମାର ପଣ୍ଡା କହିଥିଲେ ପୃଥିବୀ କେତେ ଉତ୍ପାଦନ କରିବାକୁ ସକ୍ଷମ ହୋଇଥାଏ ଏବଂ ଲୋକମାନେ କେତେ ଖର୍ଚ୍ଚ କରୁଛନ୍ତି ତାହାର ବ୍ୟବଧାନରୁ ନିରନ୍ତରତାର ସୂଚନା ମିଳିଥାଏ। ଯଦି ଏହା ଋଣାତ୍ମକ ହୋଇଥାଏ ତା’ହେଲେ ନିରନ୍ତରତା ବ୍ୟାହତ ହୋଇଥାଏ। ଏଥିସହିତ କର୍ପୋରେଟ୍ ହାଉସଗୁଡ଼ିକ ବ୍ୟବସାୟ ସମୟରେ ତିନିଟି ଜିନିଷ ପୃଥିବୀ, ଲୋକ ଏବଂ ଲାଭକୁ ଧ୍ୟାନ ଦେବା ଆବଶ୍ୟକ। କମ୍ପାନି ଗୁଡ଼ିକ ଗ୍ରିନ ଆକାଉଣ୍ଟିଂକୁ ପରିପାଳନ କରିବା ଉଚିତ। ଏହା ହେଲେ ପ୍ରଦୂଷଣ ହ୍ରାସ ପାଇବା ସହିତ ଭବିଷ୍ୟତ ପିଢ଼ି ପାଇଁ ଏକ ସୁନ୍ଦର ପୃଥିବୀକୁ ସୁରକ୍ଷିତ ରଖାଯାଇ ପାରିବ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମକୁ ସମ୍ବାଦର ସମ୍ପାଦକୀୟ ଉପଦେଷ୍ଟା ସ୍ବରାଜ ମିଶ୍ର ସଂଯୋଜନା କରିଥିଲେ।