ପଦ୍ମପୁର ଉପନିର୍ବାଚନ ପାଇଁ ସିଇଓଙ୍କ ପ୍ରସ୍ତୁତି ବୈଠକ: ନାମାଙ୍କନପତ୍ର ଦାଖଲ ଶେଷ ଦିନ ପର୍ଯ୍ୟନ୍ତ ଭୋଟର ତାଲିକା ଅପ୍‌ଡେଟ୍‌ ହେବ

ଭୁବନେଶ୍ବର : ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ ହେବାକୁ ଥିବାରୁ ରବିବାର ଦିନ ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁଶୀଲ କୁମ‌ାର ଲୋହାନୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭିଡିଓ କନଫରେନ୍ସିଂ ମା‌ଧ୍ୟମରେ ବରଗଡ଼ ଜିଲ୍ଲାପାଳ, ଏସ୍‌ପି, ଉପଜିଲ୍ଲାପାଳ ଓ ଉପନିର୍ବାଚନ ସହ ଜଡ଼ିତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଉପନିର୍ବାଚନକୁ ଖୁବ୍‌ କମ୍‌ ସମୟ ଥିବାରୁ ନିର୍ବାଚନ ପରିଚାଳନା ଯୋଜନା ଖୁବ୍‌ ଶୀଘ୍ର ପ୍ରସ୍ତୁତ କରି ରିଟର୍ଣ୍ଣିଂ ଅଧିକାରୀ, ସହକାରୀ ରିଟର୍ଣ୍ଣିଂ ଅଧିକାରୀ ଓ ପୁଲିଂ ଅଧିକାରୀମାନଙ୍କୁ ନିଯୁକ୍ତ କରିବା ସହ ସେମାନଙ୍କୁ ନିର୍ବାଚନ ପରିଚାଳନା ପାଇଁ ତାଲିମ୍ ପ୍ରଦାନ କରିବା ସକାଶେ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ସିଇଓ ପରାମର୍ଶ ଦେଇଛନ୍ତି। ପଦ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ପାଇଁ ଥିବା ସମସ୍ତ ବୁଥ୍‌କୁ ସଂପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ପରିଦର୍ଶନ କରାଇ କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କୁ ସିଇଓ ନିର୍ଦ୍ଦେଶ ଦେଇଛନ୍ତି। ବୁଥ୍‌ଗୁଡ଼ିକୁ ଥିବା ରାସ୍ତାର ତୁରନ୍ତ ମରାମତି କରିବା, ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବାକୁ କୁହାଯାଇଛି।

ସେହିପରି ଉପନିର୍ବା‌ଚନ ପରିଚାଳନା ନିମନ୍ତେ ଆବଶ୍ୟକ ହେଉଥିବା ମାଜିଷ୍ଟ୍ରେଟ୍ ସେକ୍ଟର ସୁପରଭାଇଜର୍‌ ତଥା ସେକ୍ଟର ମାଜିଷ୍ଟ୍ରେଟ୍ ନିଯୁକ୍ତି, ଉପନିର୍ବାଚନ ସମୟରେ ନିଯୁକ୍ତ ହେବାକୁ ଥିବା ସୁରକ୍ଷା କର୍ମଚାରୀଙ୍କୁ ଚିହ୍ନଟ କରି ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଉଭୟ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ କୁହାଯାଇଛି। ଉପନିର୍ବାଚନ କାର୍ଯ୍ୟକ୍ରମରେ ଆବଶ୍ୟକ ହେଉଥିବା ନିର୍ବାଚନ ସାମଗ୍ରୀଗୁଡ଼ିକୁ ସିଇଓଙ୍କ କାର୍ଯ୍ୟାଳୟରୁ ସଂଗ୍ରହ କରିବା ସହ ଅନ୍ୟାନ୍ୟ ସାମଗ୍ରୀ କିଣିବାକୁ ପରାମର୍ଶ ଦିଆଯାଇଛି। ଉପନିର୍ବାଚନ ପରିପ୍ରେକ୍ଷୀରେ ସଂପୃକ୍ତ ନିର୍ବାଚନମଣ୍ଡଳୀର ଭୋଟର ତାଲିକା ଅପ୍‌ଡେଟ୍‌ କରିବାକୁ କୁହାଯାଇଛି। ନାମାଙ୍କନପତ୍ର ଦାଖଲର ଶେଷଦିନ ପର୍ଯ୍ୟନ୍ତ ଭୋଟର ତାଲିକା ଅପ୍‌ଡେଟ୍ କରାଯିବ। ଏଥିପାଇଁ ବିହିତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି। ଉପନିର୍ବାଚନରେ ଯେପରି ମତଦାନ ହାର ବଢ଼ିବ ସେଥିପାଇଁ ବ୍ୟାପକ ସଚେତନତା ସୃଷ୍ଟି କରାଯିବ। ଏହି ବୈଠକରେ ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ, ଏସ୍‌ପି, ପଦ୍ମପୁର ଉପଜିଲ୍ଲାପାଳଙ୍କ ସମେତ ଜିଲ୍ଲାର ବରିଷ୍ଠ ଅଧିକାରୀ ଏବଂ ସିଇଓଙ୍କ କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର