ବ୍ରହ୍ମପୁର: ଜାଲ୍ ଶିକ୍ଷା ପ୍ରମାଣପତ୍ର ଦେଇ ଗଞ୍ଜାମ ଜିଲ୍ଲାରେ ବହୁ ଶିକ୍ଷକ ଚାକିରି ପାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗର ତଦନ୍ତ ଜାରି ରଖିଛି ଜିଲ୍ଲା ଶିକ୍ଷା ବିଭାଗ। ତଦନ୍ତ ଆରମ୍ଭ ହେବା ପରେ କିଛି ଶିକ୍ଷକ ଚାକିରି ଛାଡ଼ି ଦେଇଛନ୍ତି। ଏପରିକି ବାହାର ରାଜ୍ୟରୁ ବିଇଡି କରିଥିବା ସାର୍ଟିଫିକେଟ୍ ଦାଖଲ କରି ବହୁ ଶିକ୍ଷକଶିକ୍ଷୟିତ୍ରୀ ଗଞ୍ଜାମରେ ଚାକିରି କରୁଛନ୍ତି। ସେମାନଙ୍କର ସାର୍ଟିଫିକେଟ୍ ମଧ୍ୟ ଯାଞ୍ଚ କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଥିଲା। ଏନେଇ ସୂଚନା ଅଧିକାର କର୍ମୀ ସମରଜିତ ମହାନ୍ତି କୁକୁଡ଼ାଖଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀ(ବିଇଓ)ଙ୍କୁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ। ଏହି ବ୍ଲକ୍ରେ ୧୯ଜଣ ଶିକ୍ଷକଶିକ୍ଷୟିତ୍ରୀ ବାହାର ରାଜ୍ୟର ବିଇଡି ସାର୍ଟିଫିକେଟ୍ ଦାଖଲ କରି ଚାକିରି କରୁଥିବା ବିଇଓଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ଅର୍ଦ୍ଧାଧିକ ସାର୍ଟିଫିକେଟ୍ ଆନ୍ଧ୍ରର ବୋଲି ଜଣାପଡ଼ିଛି। ଏହି ସାର୍ଟିଫିକେଟ୍ ଗୁଡ଼ିକୁ ଯାଞ୍ଚ କରିବା ପାଇଁ ଶ୍ରୀ ମହାନ୍ତି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପତ୍ର ଲେଖିଛନ୍ତି।
ଗଞ୍ଜାମ ଜିଲ୍ଲାରେ ଜାଲ୍ ଶିକ୍ଷା ପ୍ରମାଣପତ୍ର ଦେଇ ଶହଶହ ଶିକ୍ଷକ ଚାକିରି ପାଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଉପରେ ୨୦୧୯ ଅକ୍ଟୋବର ମାସରେ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ୨୦୨୦ରେ ଅଲ୍ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍ ଏବଂ ଅଲ୍ ଇଣ୍ଡିଆ ୟୁଥ୍ ଲିଗ୍ ପକ୍ଷରୁ ୪ଟି ପର୍ଯ୍ୟାୟରେ ବିଭିନ୍ନ ବ୍ଲକ୍ରେ ୧୬୧ଜଣ ଶିକ୍ଷକଶିକ୍ଷୟିତ୍ରୀଙ୍କ ବିରୋଧରେ ଜିଲ୍ଲା ଶିକ୍ଷା ବିଭାଗ ନିକଟରେ ଅଭିଯୋଗ କରାଯାଇଥିଲା। ପୁଣି ଗତ ୨୦୨୧ ମସିହା ଡିସେମ୍ବର ମାସରେ ପ୍ରକାଶ ଚନ୍ଦ୍ର ମହାନ୍ତି ନାମକ ଜଣେ ବ୍ୟକ୍ତି ୧୧୫ଜଣ ଜାଲ୍ ଶିକ୍ଷକ ଚାକିରି ପାଇଥିବା ନେଇ ଅଭିଯୋଗ ଆଣିଥିଲେ। ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଏହାର ମଧ୍ୟ ତଦନ୍ତ ଜାରି ରହିଛି।
ଗଞ୍ଜାମ ଜିଲ୍ଲାରେ ମୋଟ ୩୪୭ ଜଣ ଶିକ୍ଷକଶିୟୟିତ୍ରୀଙ୍କ ବିରୋଧରେ ଅଭିଯୋଗ ହୋଇଛି। ଶିକ୍ଷା ବିଭାଗ ଏହାର ତଦନ୍ତ କରୁଛି। ତଦନ୍ତରେ ଜାଲ୍ ସାର୍ଟିଫିକେଟ୍ ଧରାପଡ଼ିବା ପରେ ୬୩ଜଣଙ୍କ ନାମରେ ଥାନାରେ ମାମଲା ରୁଜୁ କରାଯାଇଛି। ସେହିପରି ଆନ୍ଧ୍ର ଶିକ୍ଷାନୁଷ୍ଠାନର ଶିକ୍ଷା ପ୍ରମାଣପତ୍ର ଦେଇ କିଛି ଶିକ୍ଷକ ଚାକିରି ପାଇଛନ୍ତି। ତାଙ୍କର ପ୍ରମାଣପତ୍ର ଯାଞ୍ଚ ପାଇଁ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଥିବା ଆନ୍ଧ୍ର ବିଶ୍ବବିଦ୍ୟାଳୟ, ଗୁଣ୍ଟୁର୍ରେ ଥିବା ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକଙ୍କୁ ଚିଠି କରାଯାଇଛି। ଏପରିକି କର୍ଣ୍ଣାଟକର ଗୁଲବର୍ଗ ବିଶ୍ବବିଦ୍ୟାଳୟ ଓ ବେଙ୍ଗାଲୁରୁ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ମଧ୍ୟ ଚିଠି କରାଯାଇଛି।
ଏବେ କୁକୁଡ଼ାଖଣ୍ଡି ବ୍ଲକ୍ରେ ମଧ୍ୟ ବାହାର ରାଜ୍ୟର ଶିକ୍ଷା ପ୍ରମାଣପତ୍ର ଦେଇ ୧୯ଜଣ ଶିକ୍ଷକଶିକ୍ଷୟିତ୍ରୀ ଚାକିରି କରୁଥିବା ନେଇ ସୂଚନା ଅଧିକାର କର୍ମୀ ଶ୍ରୀ ମହାନ୍ତିଙ୍କ ତଥ୍ୟରୁ ସ୍ପଷ୍ଟ ହୋଇଛି। ଏଣୁ ସେହି ଶିକ୍ଷକଙ୍କ ଶିକ୍ଷା ପ୍ରମାଣପତ୍ର ଯାଞ୍ଚ କରିବାକୁ ଦାବି ହୋଇଛି। ଆନ୍ଧ୍ରପ୍ରଦେଶ, ବେଙ୍ଗାଲୁରୁ, ମଦୁରାଇ ଓ ମୁମ୍ବାଇର ବିଭିନ୍ନ ବିଶ୍ବବିଦ୍ୟାଳୟରୁ ବିଇଡି କରି ଏହି ଶିକ୍ଷକଶିକ୍ଷୟିତ୍ରୀ ଚାକିରି କରୁଥିବା ସୂଚନା ମିଳିଛି।
ପ୍ରକାଶ ଥାଉ କି ପୂର୍ବରୁ ହିଂଜିଳିକାଟୁ ବ୍ଲକ୍ରେ ୧୪ଜଣ ଶିକ୍ଷକଶିକ୍ଷୟିତ୍ରୀ ବାହାର ରାଜ୍ୟର ବିଇଡି ସାର୍ଟିଫିକେଟ୍ରେ ଚାକିରି କରୁଥିବା ବେଳେ ବେଲଗୁଣ୍ଠା ବ୍ଲକ୍ରେ ଏଭଳି ୧୯ଜଣ ଶିକ୍ଷକଶିକ୍ଷୟିତ୍ରୀ ରହିଥିବା ସୂଚନା ଅଧିକାର ଆଇନ ବଳରେ ତଥ୍ୟ ହସ୍ତଗତ ହୋଇଥିଲା। ସେହି ଶିକ୍ଷକଶିକ୍ଷୟିତ୍ରୀଙ୍କୁ ସାର୍ଟିଫିକେଟ୍ ମଧ୍ୟ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ବାହାର ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟକୁ ଚିଠି କରାଯାଇଛି। ବର୍ତ୍ତମାନ ସୁଦ୍ଧା ମାତ୍ର ୫ଟି ସାର୍ଟିଫିକେଟ୍ର ନକଲ ଆସିଥିବା ସୂଚନା ମିଳିଛି। ଯାଞ୍ଚ ପରେ ଶିକ୍ଷକଶିକ୍ଷୟିତ୍ରୀ ଦାଖଲ କରିଥିବା ପ୍ରମାଣପତ୍ର ସହିତ ତାହା ମେଳ ଖାଉଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ।