କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ମୋଟ ୩୧ଟି ଖଣିର ୨୩ ଜଣ ଖିଲାପକାରୀ ଖଣି ଲିଜ୍ଧାରୀଙ୍କ ବିରୋଧରେ ସାର୍ଟିଫିକେଟ କେସ୍ ହେବା ପରେ ଆଜି ପ୍ରଥମ ପର୍ଯ୍ୟାୟରେ ୯ ଲିଜ୍ଧାରୀଙ୍କ ଶୁଣାଣି ଆରମ୍ଭ ହୋଇଛି। ଆଜିର ଏହି ଶୁଣାଣିରେ ମୋଟ ୯ ଲିଜ୍ଧାରୀଙ୍କୁ ନୋଟିସ୍ ହୋଇଥିଲେ ବି ସେମାନଙ୍କ ମଧ୍ୟରୁ ମୋଟ ୭ ଜଣ ଉପସ୍ଥିତ ରହି ନିଜର ପକ୍ଷ ରଖିବା ପାଇଁ ଅଧିକ ସମୟ ମାଗିଛନ୍ତି। ଆସନ୍ତା ଅଗଷ୍ଟ ୨୫ ଓ ସେପ୍ଟେମ୍ବର ୧ ତାରିଖରେ ଏମାନଙ୍କର ପୁଣି ଶୁଣାଣି ହେବ ବୋଲି ଜିଲ୍ଲା ମାଜିଷ୍ଟ୍ରେଟଙ୍କ କୋର୍ଟରୁ ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ ଯେ ଯୋଡ଼ା ଖଣି ମଣ୍ଡଳର ୨୮ଟି ଖଣିର ୨୦ ଜଣ ଲିଜ୍ଧାରୀ ଓ କେନ୍ଦୁଝର ଖଣି ମଣ୍ଡଳର ୩ଟି ଖଣିର ୩ ଜଣ ଲିଜ୍ଧାରୀ ସୁପ୍ରିମ୍କୋର୍ଟଙ୍କ ନିର୍ଦେଶମତେ ଜରିମାନା ଦାଖଲ ନ କରିବାକୁ ଗତ ମେ ୨୪ ତାରିଖରେ ଖଣି ବିଭାଗ ପକ୍ଷରୁ କେନ୍ଦୁଝର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ଏକ ସାର୍ଟିଫିକେଟ କେସ୍ କରାଯାଇଥିଲା। ଏହି କେସ୍ ଆଧାରରେ ଗତ ଜୁନ୍ ୨୩ ତାରିଖରେ କେନ୍ଦୁଝର ଜିଲ୍ଲା ମାଜିଷ୍ଟ୍ରେଟଙ୍କ କୋର୍ଟରୁ ନୋଟିସ୍ ଜାରି କରାଯାଇଥିଲା। ଏହି ନୋଟିସ ପରେ ୯ଟି ଖଣି ଲିଜ୍ଧାରୀଙ୍କର ଶୁଣାଣି ଜୁଲାଇ ୨୮ ତାରିଖରେ ହେବାକୁ ଧାର୍ଯ୍ୟ ହୋଇଥିଲା। ପୁତୁଲୁପାଣିସ୍ଥିତ ଗନ୍ଧମାର୍ଦ୍ଧନ ସ୍ପଞ୍ଜ ଆଇରନ୍ ଇଣ୍ଡଷ୍ଟ୍ରିଜ୍, ମେସର୍ସ ନାରାୟଣୀ ସନ୍ସ, ବି.କେ.ମହାନ୍ତି, ମେସର୍ସ ମାଲା ରାୟ, ବିପିଏମ୍ଇ ଲିମିଟେଡ, ଏସ.ଡି.ଶର୍ମା, ଶାରଦା ମାଇନ୍ସ ପ୍ରା.ଲି., ଏଚ୍.ଜି.ପାଣ୍ଡା ଏବଂ ବାସୁଦେବ ଅଗ୍ରଓ୍ଵାଲା ପ୍ରମୁଖ ୯ ଲିଜ୍ଧାରୀଙ୍କୁ ଆଜି ହାଜର ହେବାକୁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କୋର୍ଟ ନୋଟିସ୍ ଜାରି କରିଥିଲା।
ଆଜିର ଶୁଣାଣିବେଳେ ମୋଟ ୭ଜଣ ଲିଜ୍ଧାରୀ ଉପସ୍ଥିତ ଥିଲେ। ପୁତୁଲୁପାଣିସ୍ଥିତ ଗନ୍ଧମାର୍ଦ୍ଧନ ସ୍ପଞ୍ଜ ଆଇରନ୍ ଇଣ୍ଡଷ୍ଟ୍ରିଜ୍, ମେସର୍ସ ନାରାୟଣୀ ସନ୍ସ, ମେସର୍ସ ମାଲା ରାୟ, ବିପିଏମଇ ଲିମିଟେଡ, ଏସ.ଡି.ଶର୍ମା, ଶାରଦା ମାଇନ୍ସ ପ୍ରାଇଭେଟ ଲିମିଟେଡ, ଏଚ୍.ଜି.ପାଣ୍ଡା ପ୍ରମୁଖ ୭ଜଣ ଲିଜ୍ ଧାରୀ ଆଜି ଉପସ୍ଥିତ ଥିବାବେଳେ ବି.କେ.ମହାନ୍ତି ଅନୁପସ୍ଥିତ ଥିଲେ। ସେହିପରି ଲିଜ୍ଧାରୀ ବାସୁଦେବ ଅଗ୍ରଓ୍ଵାଲଙ୍କ ମୃତ୍ୟୁ ହୋଇଥିବାରୁ ସେ ଆସି ନ ଥିଲେ। ମୋଟ ୭ଜଣ ଲିଜ୍ଧାରୀ ଉପସ୍ଥିତ ରହି ପକ୍ଷ ରଖିବାକୁ ଆଉ ଅଧିକ ସମୟ ଦେବା ପାଇଁ ଆବେଦନ କରିଥିଲେ। ଏହି ୭ ଲିଜ୍ଧାରୀଙ୍କ ମଧ୍ୟରୁ ମେସର୍ସ ନାରାୟଣୀ ସନ୍ସକୁ ଆସନ୍ତା ଅଗଷ୍ଟ ୨୫ ତାରିଖରେ ଶୁଣାଣ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲାବେଳେ ଅବଶିଷ୍ଟ ୬ଟି ଖଣି ଲିଜ୍ଧାରୀଙ୍କ ଶୁଣାଣି ପାଇଁ ଆସନ୍ତା ସେପ୍ଟେମ୍ବର ୧ ତାରିଖ ଧାର୍ଯ୍ୟ ହୋଇଛି। ସେହପରି ଅନ୍ୟ ଲିଜ୍ଧାରୀଙ୍କ ମଧ୍ୟରୁ ଅଗଷ୍ଟ ୪ ତାରିଖରେ ୮ଜଣ ଲିଜ୍ଧାରୀ ଏବଂ ଅଗଷ୍ଟ ୧୮ ତାରିଖରେ ଅବଶିଷ୍ଟ ୬ ଲିଜ୍ଧାରୀଙ୍କର ଶୁଣାଣି ହେବ ବୋଲି ସୂଚନା ମିଳିଛି।
ସୂଚନା ଅନୁସାରେ, ଡବ୍ଲ୍ୟୁପି(ସି) ନଂ-୧୧୪/୨୦୧୪ ମାମଲାର ବିଚାର କରି ୨୦୧୭ ମସିହା ଅଗଷ୍ଟ ୨ ତାରିଖରେ ସୁପ୍ରିମକୋର୍ଟ ବେଆଇନ ଖଣି ଖନନ କରିଥିବା ଲିଜ୍ଧାରୀଙ୍କଠାରୁ ଜରିମାନା ଆଦାୟ ପାଇଁ ନିର୍ଦେଶ ଦେଇଥିଲେ। ଏହି ନିର୍ଦେଶ ଆଧାରରେ କେନ୍ଦୁଝର ଜିଲ୍ଲାର ଯୋଡ଼ା ଖଣି ମଣ୍ଡଳ ଏବଂ କେନ୍ଦୁଝର ଖଣି ମଣ୍ଡଳର ମୋଟ ୩୧ଟି ଖଣିର ୨୩ଜଣ ଲିଜ୍ଧାରୀ ନିର୍ଦ୍ଧାରିତ ସମୟରେ ଜରିମାନା ଦାଖଲ କରି ନ ଥିଲେ। ଫଳରେ ମେ ୨୪ ତାରିଖରେ ମୋଟ ୩୧ଟି ଖଣିର ୨୩ ଜଣ ଲିଜ୍ଧାରୀଙ୍କ ବିରୋଧରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କୋର୍ଟରେ ସାର୍ଟିଫିକେଟ କେସ୍ ହୋଇଥିଲା। ଏବଂ ଲିଜ୍ଧାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିପାଇଁ ଗତ ଜୁନ୍ ୨୩ ତାରିଖରେ ଆଜି ଜିଲ୍ଲା ମାଜିଷ୍ଟ୍ରେଟଙ୍କ କୋର୍ଟରୁ ଏହି ୩୧ଟି ଖଣିର ୨୩ଜଣ ଲିଜ୍ଧାରୀଙ୍କୁ ନୋଟିସ୍ ହୋଇଥିଲା। ବିଭିନ୍ନ ପର୍ଯ୍ୟାୟରେ ଏମାନଙ୍କର ଶୁଣାଣି ଜାରି ରହିଛି।