କଟକ: ଓଡ଼ିଆ ଚଳଚ୍ଚିତ୍ର ‘ମିଷ୍ଟର କହ୍ନେୟା’କୁ ପ୍ରଦାନ କରାଯାଇଥିବା ସେନସର ସାର୍ଟିଫିକେଟ ସଂପର୍କିତ ସବିଶେଷ ବିବରଣୀ ଦାଖଲ ପାଇଁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମିଷ୍ଟର କହ୍ନେୟା ଚଳଚ୍ଚିତ୍ରକୁ କେବେ ସେନସର ସାର୍ଟିଫିକେଟ ପ୍ରଦାନ କରାଯାଇଛି ସେ ନେଇ ଅବଗତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଚଳଚ୍ଚିତ୍ରରେ ହିନ୍ଦୁ ଦେବାଦେବୀଙ୍କ ପ୍ରସଂଗରେ କେତେକ ଆପତ୍ତିଜନକ ଦୃଶ୍ୟ ନେଇ ଅଭିଯୋଗ ରହିଥିବା ବେଳେ ସେନସର ସାର୍ଟିଫ‌ିକେଟ ସଂକ୍ରାନ୍ତରେ ସବିଶେଷ ତଥ୍ୟ ଦାଖଲ ପାଇଁ ହାଇକୋର୍ଟ ଉଭୟ ଆବେଦନକାରୀ ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଦିଲ୍ଲୀପ କୁମାର ସାମନ୍ତରାୟଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୧୫କୁ ଧାର୍ଯ୍ୟ କରାଯାଇଛି।

Advertisment

ମାମଲାର ବିବରଣୀରୁ ପ୍ରକାଶ ଯେ ଏହି ଚଳଚ୍ଚିତ୍ରରେ କେତେକ ଆପତ୍ତିଜନକ ଦୃଶ୍ୟ ରହିଛି ଯାହାକି ହିନ୍ଦୁ ଧର୍ମାବଲମ୍ବୀଙ୍କ ଭାବନାକୁ ଆଘତ ଦେଉଛି ବୋଲି ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହି ଚଳଚ୍ଚିତ୍ରରେ ରହିଥିବା ଦୃଶ୍ୟରେ ହିନ୍ଦୁ ଦେବାଦେବୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦିଆଯାଇଛି। ଏହା ହିନ୍ଦୁ ଧର୍ମାବଲମ୍ବୀଙ୍କ ଭାବାବେଗକୁ ଆଘତ ଦେବା ଭଳି ଘଟଣା। ଚଳଚ୍ଚିତ୍ରରେ ରହିଥିବା ନିର୍ଦ୍ଦିଷ୍ଟ ଦୃଶ୍ୟ ହିନ୍ଦୁ ସଂସ୍କୃତି ପ୍ରତି ସିଧା ସଳଖ ଅପମାନ। ଏହି ଚଳଚ୍ଚିତ୍ରର ରିଲିଜ ଉପରେ ଅଙ୍କୁଶ ଜାରି କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ରାଜ୍ୟ ସଂସ୍କୃତି ସଚିବ, ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆ‌ବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସନ୍ତୋଷ କୁମାର ସାମନ୍ତରାୟ ମାମଲା ପରିଚାଳନା କରୁଛନ୍ତି।