ବିବାଦରେ ସେସୁ ଖର୍ଚ୍ଚ : ଖର୍ଚ୍ଚ ହୋଇଥିବା ୭ହଜାର କୋଟିର ଉଚ୍ଚସ୍ତରୀୟ ତଦନ୍ତ ଦାବି

ଭୁବନେଶ୍ୱର : କୋଟିଏ କି ଦୁଇ କୋଟି ନୁହେଁ, ସେସୁ ଅଞ୍ଚଳରେ ବିଦ୍ୟୁତ ବ୍ୟବସ୍ଥାରେ ଉନ୍ନତି ପାଇଁ ପାଖାପାଖି ୭ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଟଙ୍କା କେଉଁଠି ଓ କିଭଳି ଖର୍ଚ୍ଚ ହେଲା, ନିକଟରେ ସେସୁର ୫୧ ପ୍ରତିଶତ ଅଂଶଧନ ନେଇଥିବା ଟାଟା କଂପାନି ରିପୋର୍ଟ ଦେଇଥିବା ରିପୋର୍ଟ ଉପରେ ଅଧିକ ଖୋଳତାଡ଼ କରିବା ଲାଗି ବିଦ୍ୟୁତ ଉପଭୋକ୍ତା ମହାସଂଘ ଦାବି କରିଛି।

ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ନିକଟରେ ମହାସଂଘର ସଭାପତି ରମେଶ ଚନ୍ଦ୍ର ଶତପଥୀ ଜଣାଇଛନ୍ତି ଯେ ଟାଟା ପାଓ୍ୱାର ଗତ ମେ’୨୬ ତାରିଖରେ ଯେଉଁ ରିପୋର୍ଟ ଦେଇଛନ୍ତି, ତାହା ବିଦ୍ୟୁତ ବିଭାଗରେ ଏକ ବଡ଼ କେଳେଙ୍କାରୀ ସଂପର୍କରେ ଆଭାସ ଦେଲାଣି। ଏହି ରିପୋର୍ଟ ଅନୁସାରେ, ସେସୁରେ ୨୦୧୦ରୁ ୨୦୨୦ ମଧ୍ୟରେ ୭୩୫ଟି ବିଦ୍ୟୁତ ଜନିତ ଦୁର୍ଘଟଣା ଘଟିଛି। ସେଥିରୁ ୭୯୫ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି ଓ ୪୩୯ ଜଣ ମୃତ୍ୟୁବରଣ କରିଛନ୍ତି। ୩୫୬ ଗୁରୁତର କ୍ଷତିଗ୍ରସ୍ତ ହୋଇଛନ୍ତି। ଏହି ୧୦ବର୍ଷ ମଧ୍ୟରେ ୪୨ଟି ହାତୀ ଓ ୧୭୧ଟି ଗୃହପାଳିତ ପଶୁଙ୍କର ମୃତ୍ୟୁ ହୋଇଛି।

ଟାଟାପାଓ୍ୱାର ରିପୋର୍ଟକୁ ନେଇ ଘେରିଲା ବିଦ୍ୟୁତ ଉପଭୋକ୍ତା ମହାସଂଘ
ଖର୍ଚ୍ଚ ହୋଇଥିବା ୭ହଜାର କୋଟିର ଉଚ୍ଚସ୍ତରୀୟ ତଦନ୍ତ ଦାବି

କେବଳ ସେତିକି ନୁହେଁ, ଏହି ରିପୋର୍ଟ ସୂଚାଉଛି ଯେ ଗତ ୧୦ବର୍ଷ ମଧ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ୭୦୦୦ କୋଟି ଟଙ୍କା ଠିକ୍ ଭାବେ ସମ୍ଭବତଃ ଖର୍ଚ୍ଚ ହୋଇନାହିଁ। କାରଣ ରିପୋର୍ଟରେ କୁହାଯାଇଛି, ସେସୁର ଅଧିକାଂଶ ଲାଇନ୍ ଓ ସବଷ୍ଟେସନଗୁଡିକ ନିମ୍ନମାନର ହୋଇଛି। ନିକଟରେ ତିଆରି ହୋଇଥିବା ୩୩/୧୧ ପ୍ରାଇମେରି ସବ୍‌ଷ୍ଟେସନଗୁଡିକର ପାଚେରି ମଧ୍ୟ ଭାଙ୍ଗିଗଲାଣି। ନିମ୍ନମାନର ସାମଗ୍ରୀ ବ୍ୟବହାର ହୋଇଛି। ବିଦ୍ୟୁତ ଷ୍ଟ୍ରକ୍ଚର ଗୁଡିକରେ ଦୁର୍ବଳ ଖୁଣ୍ଟ, କଣ୍ଡକ୍ଟର, ଷ୍ଟେ ଇତ୍ୟାଦି ଲାଗିଛି। ଫନି ବାତ୍ୟାରେ ଯେତେ କାର୍ଯ୍ୟ ହୋଇଛି, ସେଥିରୁ ଅଧିକାଂଶ ଭାଙ୍ଗିଗଲାଣି। ଏପରିସ୍ଥଳେ ବିଦ୍ୟୁତ ଗ୍ରାହକ କିଭଳି ଗୁଣାତ୍ମକ ବିଦ୍ୟୁତ ପାଇବେ ବୋଲି ମହାସଂଘ ପ୍ରଶ୍ନ କରିଛି।

ସେମାନେ ଆହୁରି ଦାବି ରଖିଛନ୍ତି ଯେ ଟିପିସିଓଡିଏଲ୍ ଆସନ୍ତା ୮ ବର୍ଷ ମଧ୍ୟରେ ୨୬୦୦ କୋଟି ଟଙ୍କା ଖର୍ଚ୍ଚ କରିବାର ଯୋଜନା ରଖିଥିବା ବେଳେ ୨୦୨୦-୨୧ରେ ୩୪୪କୋଟି ୪୪ ଲକ୍ଷ ଖର୍ଚ୍ଚ କରିବ ବୋଲି ଓଡ଼ିଶା ବିଦ୍ୟୁତ ନିୟାମକ ଆେୟାଗକୁ ଅନୁମତି ମାଗିଛି।

ଅନ୍ୟପକ୍ଷରେ ଓଡ଼ିଶା ଉପଭୋକ୍ତା ମହାଂସଘ ତରଫରୁ ସଭାପତି ରମେଶ ଶତପଥୀ ଏହାର ଦୃଢ ବିରୋଧ କରିଛନ୍ତି। ଦାବି କରାଯାଇଛି ଯେ ଗତ ୧୦ବର୍ଷ ମଧ୍ୟରେ ରାଜ୍ୟରେ ପାଖାପାଖି ୭ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଅର୍ଥ ଓ କାର୍ଯ୍ୟ ସବୁ ରାଜ୍ୟ ସରକାରଙ୍କ ନିଜ କଂପାନି ଓପିଟିସିଏଲ୍‌ର ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ହୋଇଛି। ଏଣୁ ଟାଟା ପାଵାର ଯେଉଁ ଅଭିଯୋଗ ଉପସ୍ଥାପନ କରିଛନ୍ତି, ତାହାର ନିରପେକ୍ଷ ତଦନ୍ତ ହେବାର ଆବଶ୍ୟକତା ଅଛି। ଯେଉଁ ମ୍ୟାନେଜମେଣ୍ଟ ବୋର୍ଡ ଦୀର୍ଘ ୧୦ବର୍ଷ ଧରି ଥିଲା ସେମାନଙ୍କୁ ଉତ୍ତରଦାୟୀ କରାଯିବା ଉଚିତ୍ ବୋଲି ଦାବି କରାଯାଇଛି। କେବଳ ସେତିକି ନୁହେଁ, କେଉଁ ସବ୍‌ଡିଭିଜନରେ କେତେ ଟଙ୍କା ବିଭିନ୍ନ ସ୍କିମ୍‌ରେ ଖର୍ଚ୍ଚ ହୋଇଛି, କେଉଁ ଅଧିକାରୀମାନେ ଏହି ସବୁ କାର୍ଯ୍ୟର ତଦାରଖ ଗତ ୧୦ବର୍ଷ ଧରି କରିଥିଲେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଇଲେକ୍ଟ୍ରିକାଲ୍ ଇନ୍‌ସପେକ୍ଟର ଏହି ସବୁ କାର୍ଯ୍ୟର ବାର୍ଷିକ ତଦାରଖ କରିଥିବା ବେଳେ ଏପରି ଅବ୍ୟବସ୍ଥା ହୋଇଥିଲା।

ଉପଭୋକ୍ତା ମହାସଂଘ ଆହୁରି ଦାବି କରିଛି ଯେ ଟାଟା କଂପାନି ମଧ୍ୟ ଯେଉଁ ଠିକାଦାରଙ୍କୁ ନେଇ କାର୍ଯ୍ୟ କରୁଛି ତାହା ଠିକଣା ଭାବେ ହେଉନାହିଁ। ଅଭିଜ୍ଞ କର୍ମଚାରୀଙ୍କୁ ଅଣଦେଖା କରାଯାଉଛି। ଯାହା ଫଳରେ ଶ୍ରମିକ ଅସନ୍ତୋଷ ଲାଗି ରହିଛି। କର୍ମଚାରୀମାନଙ୍କୁ ସେସୁର ନିର୍ଧାରିତ ସର୍ବନିମ୍ନ ମଜୁରୀରୁ ବଞ୍ଚିତ କରାଯାଉଛି। ଫଳରେ ଗତମାସ ବିଲ୍ ଅଧିକାଂଶ ବିଦ୍ୟୁତ ଗ୍ରାହକ ପାଇପାରୁନାହାନ୍ତି। ବିଦ୍ୟୁତ ଦେୟ ମଧ୍ୟ ଆଦାୟ ହୋଇପାରୁନାହିଁ। ଅନ୍ୟୂନ ୪୦୦୦ ଲୋକଙ୍କର ଆବଶ୍ୟକତା ଥିବା ଟିପିସିଓଡିଏଲ୍ ଆକଳନ କରିଥିଲେ ହେଁ ପୂର୍ବରୁ କାର୍ଯ୍ୟ କରୁଥିବା ୭୬୮୦ ଜଣ କର୍ମଚାରୀଙ୍କ ମଧ୍ୟରୁ କାହାରିକୁ ନିଯୁକ୍ତି ଦିଆଯାଇନାହିଁ। ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ନିର୍ଦେଶକୁ ମଧ୍ୟ ବେଖାତିର୍ କରାଯାଇଛି। ଏ ସମସ୍ତ ବିଷୟକୁ ତର୍ଜମା କରି କ୍ୟାପେକ୍ସ ଉପରେ ନିଷ୍ପତ୍ତି ନିଆଯିବା ଦରକାର ବୋଲି ଉପଭୋକ୍ତା ମହାସଂଘ ଦାବି କରିଛି। ଉଲ୍ଲେଖଯୋଗ୍ୟ, ଆସନ୍ତା ୨୫ ତାରିଖ ଦିନ ଏ ସଂକ୍ରାନ୍ତ ମାମଲାର ପରବର୍ତୀ ଶୁଣାଣି ହେବ। ଆଜିର ଜନଶୁଣାଣିରେ ବରିଷ୍ଠ ଯନ୍ତ୍ରୀ ଆର୍‌ ପି ମହାପାତ୍ର, ଏ କେ ସାହାଣୀ, ଆନନ୍ଦ ମହାପାତ୍ର, ପ୍ରଭାକର ଦୋରା ଓ ଧୋବେଇ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର