ମଥା ଘୂରାଇ ଦେଉଛି ବିଜୁଳି ବିଲ୍‌, ସବୁ ଠିକ୍‌ ଥିବା ହିସାବ ଦେଲା ସେସୁ

ଭୁବନେଶ୍ୱର : ବିଜୁଳି ବିଲ୍‌କୁ ନେଇ ଖପ୍ପା ହୋଇଛନ୍ତି ଉପଭୋକ୍ତା। ଲକ୍‌ଡାଉନ୍‌ ଅବଧିକୁ ମିଶାଇ ଏକାଠି ଆସିଥିବା ଦୁଇମାସର ବିଲ୍‌ ଉପଭୋକ୍ତାଙ୍କ ମଥା ଘୂରାଇ ଦେଇଛି। ୪ ଦିନ ହେବ ସେସୁର ବିଭିନ୍ନ କାର୍ଯ୍ୟାଳୟରେ ୪ ହଜାରରୁ ଊର୍ଦ୍ଧ୍ବ ଅଭିଯୋଗପତ୍ର ପହଞ୍ଚିଥିବା ବେଳେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାହକଙ୍କୁ ନ ଜଣାଇ ସେସୁ ଦର ବଢ଼ାଇ ଦେଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଆସିଥିବା ଅଭିଯୋଗକୁ ସେସୁ ସମୀକ୍ଷା କରିଛି। ସମୀକ୍ଷା କରିବା ପରେ ସବୁ ଠିକ୍‌ ଥିବା ଗତକାଲି ଏକ ପ୍ରେସ୍‌ ରିଲିଜ୍‌ରେ ସ୍ପଷ୍ଟ କରିଛି। ତେବେ କେତେକ ବିଲ୍‌କୁ ଅନୁଧ୍ୟାନ କଲେ ତଥାପି ଦ୍ବନ୍ଦ୍ବ ରହିଥିବା ଦେଖାଯାଇଛି।

ସୂଚନା ମୁତାବକ, ମେ’ ମାସରେ ଯେଉଁ ବିଲ୍‌ ଆସିଛି ତାହା ମାର୍ଚ୍ଚ ଓ ଏପ୍ରିଲ ମାସର। ଅନେକ ଉପଭୋକ୍ତାଙ୍କର ଆଶାତୀତ ଭାବରେ ଅଧିକ ଆସିଥିବା ଅଭିଯୋଗ ରହିଛି। ଜଣେ ଉପଭୋକ୍ତାଙ୍କର ମେ’ ୧୦ ତାରିଖରେ ଯେଉଁ ବିଲ୍‌ ଆସିଛି ସେଥିରେ ଏହି ଦୁଇମାସରେ ୧୪୦୩ ୟୁନିଟ୍‌ ବ୍ୟବହାର ହୋଇଥିବା ଉଲ୍ଲେଖ ରହିଛି। ୭ହଜାର ୪୪୦ ଟଙ୍କା ବିଲ୍‌ ଆସିଛି। ଏଥିରେ ସେସୁ ୮୧୯ ଟଙ୍କା ୨୦ ପଇସା ଅଧିକ ନେଇ ଯାଇଥିବା ଜଣେ ଉପଭୋକ୍ତା ଅଭିଯୋଗ କରିଛନ୍ତି।

ସେସୁ କରିଥିବା ହିସାବ ମୁତାବକ, ମାସିକିଆ ସ୍ଲାବ୍‌ ହିସାବରେ ଦୁଇମାସର ପ୍ରଥମ ୧୦୦ ୟୁନିଟ୍‌(ମାସକୁ ୫୦ ଲେଖାଏ) ପାଇଁ ୨ଟଙ୍କା ୫୦ ପଇସା ହିସାବରେ ୨୫୦ଟଙ୍କା, ପରବର୍ତ୍ତି ୩୦୦ ୟୁନିଟ୍‌ ପାଇଁ ୪ଟଙ୍କା ୩୦ ପଇସା ହିସାବରେ ୧୨୯୦ଟଙ୍କା, ପରବର୍ତ୍ତୀ ୪ଶହ ୟୁନିଟ୍‌ ପାଇଁ ୫ଟଙ୍କା ୩୦ ହିସାବରେ ୨୧୨୦ ଟଙ୍କା, ବାକି ୬୦୩ ୟୁନିଟ୍‌ ପାଇଁ ୫ ଟଙ୍କା ୭୦ ହିସାବରେ ୬୦୩ ୟୁନିଟ୍‌ ପାଇଁ ୟୁନିଟ୍‌ ୩୪୩୭ ଟଙ୍କା ୧୦ ପଇସା ଚାର୍ଜ ହୋଇଛି। ଏହାକୁ ହିସାବ କଲେ ୭ ହଜାର ୯୭ ଟଙ୍କା ୧୦ ପଇସା ହୋଇଛି। ଉପଭୋକ୍ତାଙ୍କ ହିସାବରେ ୮୧୯ ଟଙ୍କା ଅଧିକ ହୋଇଥିବା ବେଳେ ସେସୁ ହିସାବରେ ୩୪୩ ଟଙ୍କା ଅଧିକ ଆସିଛି।

ଏକ ପ୍ରେସ୍‌ ରିଲିଜ୍‌ ଜରିଆରେ ସେସୁ ଏ ନେଇ ସ୍ପଷ୍ଟ କରିବା ସହ ଅଧିକ ହେଉଥିବା ବିଲ୍‌ ପରିମାଣକୁ ପରବର୍ତ୍ତୀ ବିଲ୍‌ରେ ଆଡ୍‌ଜଷ୍ଟ କରାଯିବ ବୋଲି କହିଛି। ଏଭଳି ହଜାର ହଜାର ଅଭିଯୋଗ ଆସିଛି। ସବୁଗୁଡ଼ିକୁ ରିଭ୍ୟୁ କରାଯାଉଛି। କିନ୍ତୁ ଉପଭୋକ୍ତା ଅଭିଯୋଗ କରୁଥିବା ପରିମାଣ ଅଧିକ ହୋଇ ନାହିଁ, ଅଧିକାଂଶ ବିଲ୍‌ ପରିମାଣ ଠିକ୍‌ ରହିଛି ବୋଲି ସେସୁ କହିଛି। ତାରିଫ୍‌ ସମ୍ପୂର୍ଣ୍ଣ ଭାବରେ ଅପରିବର୍ତ୍ତିତ ରହିଛି। ଲକ୍‌ଡାଉନ୍‌ରେ ମିଟର ରିଡିଂ ହୋଇ ପାରିନଥିବାରୁ ଶେଷ ମାସର ବିଜୁଳି ବ୍ୟବହାରକୁ ନେଇ ବିଲ୍‌ ପ୍ରସ୍ତୁତ ହୋଇଛି। ସ୍ଲାବ୍‌ ସୁବିଧା ଉପଲବ୍ଧ କରାଯାଇଛି। ଲକ୍‌ଡାଉନ୍‌ ସମୟରେ ଅଧିକାଂଶ ସଦସ୍ୟ ଘରେ ରହୁଥିବା ବେଳେ ଖରାଦିନ ହୋଇଥିବାରୁ ବିଜୁଳି ବ୍ୟବହାର ବଢ଼ିଛି। ଏଣୁ ବିଲ୍‌ ଉପଭୋକ୍ତାଙ୍କୁ ଅଧିକ ଲାଗୁଥିବା ସେସୁ ସ୍ପଷ୍ଟ କରିଛି।

ସେସୁ ପକ୍ଷରୁ ଆହୁରି ମଧ୍ୟ କୁହ‌ାଯାଇଛି କି ମାର୍ଚ୍ଚ-ଏପ୍ରିଲରେ ୩ଶହ କୋଟି ଦେୟ ସଂଗୃହୀତ ହୋଇ ପାରିନାହିଁ। ଏହି ବକେୟା ରାଶି ମେ ମାସର ବିଲ୍‌ରେ ଯୋଗ ହୋଇଥିବାରୁ ବିଲ ପରିମାଣ ବଢ଼ିଛି। ଯେଉଁମାନଙ୍କର ଅଧିକା ଆସିଥିବା ନେଇ ଆଶଙ୍କା ହେଉଛି ସେମାନେ ଟୋଲ ଫ୍ରି ନମ୍ବର ୧୯୧୨ କିମ୍ବା ୧୮୦୦-୩୪୫-୭୧୨୨ରେ ଡାଏଲ କରିପାରିବେ। ସମସ୍ତଙ୍କର ଅଭିଯୋଗକୁ ବିଚାରକୁ ନିଆଯିବ।

ସୂଚନାଯୋଗ୍ୟ, ଏପ୍ରିଲ ମାସରେ ଦେୟ ଜମା କଲେ ସେସୁ ୪ ପ୍ରତିଶତ ଅତିରିକ୍ତ ରିହାତି ଦେବ ବୋଲି ‌ଘେଷଣା କରିଥିଲା। ହେଲେ ଏହି ମାସରେ ମାତ୍ର ୧୩୫ କୋଟି ଆଦାୟ ହୋଇଥିଲା। କିନ୍ତୁ ଏହି ମାସରେ ସାଧାରଣତଃ ୨୫୫ କୋଟି ଆଦାୟ ହୋଇଥାଏ। ଏଣୁ ୧୨୦ କୋଟି ନିଅଣ୍ଟ ରହିଛି। ଏହି ବକେୟା ରାଶି ଯୋଗ ହୋଇଥିବାରୁ ବିଲ୍‌ ଅଧିକ ଲାଗିବାର ଆଉ ଏକ କାରଣ ବୋଲି ସେସୁ କହିଛି।

ସମ୍ବନ୍ଧିତ ଖବର