କ୍ଷତିପୂରଣ ନେଇ ହିତାଧିକାରୀ ଉଭାନ୍‌; ୨ କୋଟିର ବିଲ୍‌ ଧରି ବୁଲୁଛି ସେସୁ

ଭୁବନେଶ୍ୱର : ପ୍ରାୟ ୨ କୋଟିର ବକେୟା ବିଜୁଳି ବିଲ୍‌ ଧରି ସେସୁ ଅଧିକାରୀ ବୁଲୁଛନ୍ତି, ହେଲେ ଉପଭୋକ୍ତା ମିଳୁ ନାହାନ୍ତି। ପୂର୍ବ ଘୋଷଣା ମୁତାବକ ସଂଯୋଗ ବିଚ୍ଛିନ୍ନ କରିବା ପାଇଁ ସ୍ବତନ୍ତ୍ର ସ୍କ୍ବାଡ୍‌ ପହଞ୍ଚିବା ବେଳକୁ କୋଠା ନାହିଁ କି ତାର ନାହିଁ। ଏଭଳି ବିଚିତ୍ର ପରିସ୍ଥିତି ପୁରୀରେ ଦେଖାଯାଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ସୌନ୍ଦର୍ଯ୍ୟୀକରଣ ପ୍ରକ୍ରିୟାରେ ଯେଉଁ କୋଠା ସବୁ ଉଚ୍ଛେଦ ‌ହୋଇଛି ସେହି ସବୁ କୋଠାର ଏଭଳି ମୋଟା ଅଙ୍କର ବିଜୁଳି ବିଲ୍‌ ବାକି ପଡ଼ିଛି। ଯାହାକୁ ଆଦାୟ କରିବା ପାଇଁ ସେସୁର ମୁଣ୍ଡବିନ୍ଧା ଆରମ୍ଭ ହୋଇଛି। ହିତାଧିକାରୀ ମୋଟା ଅଙ୍କର କ୍ଷତିପୂରଣ ଅର୍ଥ ଧରି ଅନ୍ୟଆ‌ଡ଼େ ଘର କିଣୁଛି। ଏଠାରେ ଥିବା କୋଠାକୁ ପ୍ରଶାସନ ଉଚ୍ଛେଦ କରିଦେଇଛି। ଏହି ତାଲିକାରେ କେତେକ ମଠ ମଧ୍ୟ ରହିଛି। ପ୍ରାୟ ‌୧୫୦ଟି ବିଜୁଳି ସଂଯୋଗରୁ ବକେୟା ବିଲ୍‌ ବାବଦକୁ ପ୍ରାୟ ଦୁଇ କୋଟି ଆଦାୟ ହେବାକୁ ରହିଛି। ଏତେ ପରିମାଣର ବକେୟା ଅର୍ଥକୁ ଛାଡ଼ିଦେଲେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବ। ନିୟମିତ ବିଲ୍‌ ପୈଠ କରୁଥିବା ଉପଭୋକ୍ତା ରାଜରାସ୍ତାକୁ ଆସିଯିବେ। ଏଭଳି ଏକ ବିଚିତ୍ର ପରିସ୍ଥିତି‌ରୁ ମୁକୁଳିବା ପାଇଁ ସେସୁ ପୁରୀ ଜିଲ୍ଲାପାଳଙ୍କୁ ପତ୍ର ଲେଖିବାକୁ ଯାଉଛି।

ଏହି ସୌନ୍ଦର୍ଯ୍ୟୀକରଣ ପ୍ରକ୍ରିୟାରେ ଆଉ କିଛି କୋଠା ମଧ୍ୟ ଉଚ୍ଛେଦ ହେବାକୁ ରହିଛି। ସେଥିରେ ମଧ୍ୟ ମୋଟା ଅଙ୍କର ବିଲ୍‌ ବାକି ପଡ଼ିଛି। କେତେକରେ ବିଲ୍‌ ନେଇ ବିବାଦ ବିଚାରାଧୀନ ରହିଛି। ଏହି ସବୁ ଅର୍ଥ କିଭଳି ଆଦାୟ ହେବ ସେ ନେଇ କୌଣସି ଯୋଜନା ଅଦ୍ୟାବଧି ହୋଇ ନାହିଁ। ଏଣୁ ପରବର୍ତ୍ତି ପର୍ଯ୍ୟାୟରେ ଏହି ସବୁ ଘର ଉଚ୍ଛେଦ ହୋଇଯିବା ପରେ ସେସୁ ପୁନର୍ବାର ଏଭଳି ମୋଟାଅଙ୍କର ବିଲ୍‌ ଧରି ବୁଲିବା ଭଳି ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

ତେବେ ଏତେ ଦିନ ଧରି ବିଜୁଳି ବିଲ୍‌ କାହିଁକି ଆଦାୟ ହେଉନଥିଲା? ଯଦି ଜବର ଦଖଲ ଜମିରେ ଘର ତିଆରି ହୋଇଥିଲା ତେବେ ସେଠାକୁ ବିଜୁଳି ସଂଯୋଗ କିଏ ଦେଇଥିଲା? ଶ୍ରୀମନ୍ଦିର ସୌନ୍ଦର୍ଯ୍ୟୀକରଣ ଯୋଜନା ହେବା ବେଳେ ସେସୁ ଜାଣି ପାରିଲା ନାହିଁ କିଭଳି? କ୍ଷତିପୂରଣ ବଣ୍ଟା ହେବା ବେଳେ ଏହି ବକେୟା ଅର୍ଥ ଆଦାୟ କରିବାକୁ ସେସୁ ଚାହିଲା ନାହିଁ କାହିଁକି? ନା’ ସବୁ ଜାଣି ସେସୁ ଆଖି ବୁଜି ଦେଇଥିଲା? ଏଭଳି ଅନେକ ପ୍ରଶ୍ନ ଏବେ ସେସୁକୁ ବିବାଦୀୟ କରିଛି।

ଏ ନେଇ ପୁରୀର ସେସୁ ନିର୍ବାହୀ ଯନ୍ତ୍ରୀ ଶିବ ସ୍ବାଇଁ କହିଛନ୍ତି,‌ ଶ୍ରୀମନ୍ଦିର ଚତୁର୍ପାର୍ଶ୍ବରୁ ଉଚ୍ଛେଦ ହୋଇଥିବା ଘରମଧ୍ୟରୁ ପାଖାପାଖି ୧୫୦ଟି ସଂଯୋଗରୁ ଶତ ପ୍ରତିଶତ ବିଲ୍‌ ଆଦାୟ ହୋଇ ପାରୁନଥିଲା। ଏହି ବକେୟା ବିଲ୍‌ ଦୁଇ କୋଟି ହେବ ନାହିଁ। ଏକ କୋଟିରୁ ଊର୍ଦ୍ଧ୍ବ ହୋଇପାରେ। ଉପଭୋକ୍ତାଙ୍କ ସମ୍ପୂର୍ଣ୍ଣ ବିବରଣୀକୁ ନେଇ ରିପୋର୍ଟ ତିଆରି କରୁଛୁ। ଏ ନେଇ ଜିଲ୍ଲାପାଳଙ୍କୁ ଆମେ ଚିଠି ଲେଖିବୁ। ପ୍ରଶାସନ ପାଖରୁ ଆମେ ହିତାଧିକାରୀଙ୍କ ତାଲିକା ଆଣି ସେମାନେ ଯେଉଁଠି ଘର କରିବେ ସେଠାରେ ବକେୟା ବିଲ୍‌ ଆଦାୟ କରିବା ପରେ ନୂତନ ସଂଯୋଗ ଦେବୁ। ସମସ୍ତ ବକେୟା ରାଶି ଆଦାୟ କରାଯିବାକୁ ଯଥାସାଧ୍ୟ ଉଦ୍ୟମ ହେବ ବୋଲି ସେ କହିଛନ୍ତି।

ସୂଚନା ମୁତାବକ, ସେସୁ ଅଧୀନରେ ୨୭ ଲକ୍ଷ ଉପଭୋକ୍ତା ରହିଛନ୍ତି। ଉପଭୋକ୍ତାଙ୍କ ନିକଟରେ ଡିସେମ୍ବର ସୁଦ୍ଧା ୧ ହଜାର ୯୭୧ କୋଟି ଟଙ୍କା ବିଦ୍ୟୁତ ବିଲ୍‌ ବାକି ପଡ଼ିଥିଲା। ୧ ଲକ୍ଷ ୪ ହଜାର ଉପଭୋକ୍ତା ଗତ ଦୁଇ ବର୍ଷ ହେଲା ମାଗଣା ବିଜୁଳି ଜାଳୁଥିଲେ। ଏଥିରୁ ୭ ଲକ୍ଷ ଲୋକ ବିଦ୍ୟୁତ ବିଲ୍‌ ଦେବାରେ ଠକୁଥିଲେ। ଏଭଳି ସ୍ଥିତିକୁ ନେଇ ସେସୁ ଗତ ୧୬ ତାରିଖରୁ ବକେୟା ବିଲ୍‌ ଆଦାୟ ସହ ସଂଯୋଗ ବିଚ୍ଛିନ୍ନ କାମ ଆରମ୍ଭ କରିଛି। ପ୍ରାଥମିକ ପର୍ଯ୍ୟାୟରେ ଶିଳ୍ପ ଓ ବ୍ୟବସାୟିକ ପ୍ରତିଷ୍ଠାନରୁ ବକେୟା ରାଶି ଆଦାୟ କରାଯାଉଛି। ୨୫ ତାରିଖ ସୁଦ୍ଧା ସେସୁ ୪୪ କୋଟି ୨୭ ଲକ୍ଷ ଟଙ୍କା ବକେୟା ବିଲ୍‌ ବାବଦକୁ ଆଦାୟ ହୋଇଥିବା ବେଳେ ୧୩ ହଜାର ୩୬୮ଟି ସଂଯୋଗ ବିଚ୍ଛିନ୍ନ ହୋଇଛି। ପରବର୍ତ୍ତି ପର୍ଯ୍ୟାୟରେ ସାଧାରଣ ଉପଭୋକ୍ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର