ସେସୁ ଘରୋଇକରଣକୁ ବିରୋଧ, ଅଧିକାରୀଙ୍କ ଉପରକୁ ଉଠିଲା ଅଙ୍ଗୁଳି

ଭୁବନେଶ୍ୱର : ସେସୁ ଘରୋଇକରଣର ବିରୋଧ କରିଛି ଓଡ଼ିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ଇଞ୍ଜିନିୟର୍ସ ଏକତା ମଞ୍ଚ। ଆଜି ହୋଟେଲ କେଶରୀ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ମଞ୍ଚ ସେସୁ କ୍ଷତିରେ ଚାଲିବା ପାଇଁ ସିଇଓ ପଦରେ ରହୁଥିବା ବରିଷ୍ଠ ଅଧିକାରୀଙ୍କ ଉପରକୁ ଅଙ୍ଗୁଳି ଉଠାଇଛି। ଏହି ଅଧିକାରୀମାନଙ୍କ ଅବହେଳାରୁ ସେସୁ ବିକ୍ରି ହୋଇଛି। କର୍ମଚାରୀମାନେ ସେସୁରେ ୧୦ ପ୍ରତିଶତ ଭାଗିଦାରି ଥିଲେ ମଧ୍ୟ ସେମାନଙ୍କ ଅଗୋଚରରେ ଘରୋଇକରଣ ଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଦୁର୍ଭାଗ୍ୟଜନକ। ଆସନ୍ତା ୩୦ ତାରିଖରେ ଏହାର ପ୍ରତିବାଦରେ ଓଇଆରସି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ବ୍ରହ୍ମପ୍ରକାଶ ପାଇଟାଳ, ପ୍ରଶାନ୍ତ ମହାପାତ୍ର, ଅକ୍ଷୟ ତ୍ରିପାଠୀ, ପ୍ରଭାତ ମଲ୍ଲ, ଶରତ ପ୍ରଧାନ, ଧୋବେଇ ସାହୁ, କେଦାରନାଥ ଷଡ଼ଙ୍ଗୀ, ନଳିନୀ ବିଶ୍ବାଳ, ବିପି ବସୁମଲ୍ଲିକ ପ୍ରମୁଖ ଅଭିଯୋଗ କରିଛନ୍ତି।

ମଞ୍ଚର ଅଭିଯୋଗ ମୁତାବକ, ପୂର୍ବରୁ ବିଜୁଳି ବଣ୍ଟନ ଘରୋଇକରଣ ହୋଇଥିଲା। ଘରୋଇକରଣ ଫେଲ ମାରିବା ପରେ ଓଇଆରସି ଗତ ୧୮ ବର୍ଷ ହେଲା ଏହାକୁ ପରିଚାଳନା କରିଆସୁଥିଲା। ସିଇଓ ପଦରେ ଆଇଏଏସ୍‌, ଆଇଏଫ୍‌ଏସ୍‌, ଆଇପିଏସ୍‌ ଅଫିସର ଦାୟିତ୍ବ ନେଇଥିଲେ ମଧ୍ୟ ତ୍ରୁଟି କାହିଁକି ସୁଧାରିଲେ ନାହିଁ ବୋଲି ମଞ୍ଚ ପ୍ରଶ୍ନ କରିଛି।

ସେସୁ ୨୦୧୨ ମସିହାରୁ ୧୪ ଡିଭିଜନରେ କ୍ଷତି କମାଇବା, ଶତପ୍ରତିଶତ ମିଟର ଲଗାଇବା, ଭିତ୍ତିଭୂମି ଉନ୍ନତି କରିବା କାମ ପାଇଁ ବିଭିନ୍ନ ଫ୍ରାଞ୍ଚାଇଜିଙ୍କୁ ଦାୟିତ୍ବ ଦେଇଥିଲା। କିନ୍ତୁ ଫ୍ରାଞ୍ଚାଇଜିମାନେ ଏହି ଦାୟିତ୍ବ ନିର୍ବାହ କରିନଥିଲେ ମଧ୍ୟ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା।

ଗତ ୩ ବର୍ଷରେ କେନ୍ଦ୍ର ଓ ରାଜ୍ୟ ସରକାର ସେସୁ ଭିତ୍ତିଭୂମି ଉନ୍ନତି କ୍ଷେତ୍ରରେ ପାଖାପାଖି ୨ହଜାର କୋଟି ଖର୍ଚ୍ଚ କରିଛନ୍ତି। ତା’ ସହ ଫନି ପରର ପୁନରୁଦ୍ଧାର କାମରେ ୪ଶହ କୋଟି ଖର୍ଚ୍ଚ ହୋଇଛି। କିନ୍ତୁ ଟାଟ‌ା ପାୱାର ୫୧ ପ୍ରତିଶତ ହିସାବରେ ମାତ୍ର ୧୭୫ କୋଟି ଟଙ୍କା ଭାଗିଦାରିରେ ପରିଚାଳନା କରିବା ପାଇଁ ଅନୁମତି ଦିଆଯାଉଛି। ଅନ୍ୟପଟେ ବାକି ପଡ଼ିଥିବା ୧୯୦୦ କୋଟି ଟଙ୍କା ବିଦ୍ୟୁତ ବିଲ୍‌ ଆଦାୟ କରିବାକୁ ସେସୁ ଅଣ୍ଟା ଭିଡ଼ିଛି। ଏହି ଟଙ୍କା ଆଦାୟ ହେଲେ ତାହାର ଭାଗବଣ୍ଟା ଓ ସେସୁ ସମ୍ବଳ ହିସାବ ବେଳେ ବାକି ପଡ଼ିଥିବା ଦେୟ ହିସାବକୁ ନିଆଯିବ କି ନାହିଁ ତାହା ଅନିଶ୍ଚିତତା ମଧ୍ୟରେ ରହିଛି। ପେନ୍‌ସନ୍‌, ପିଏଫ୍‌, ଗ୍ରାଚ୍ୟୁଇଟି ଓ ଲିଭ୍‌ ସାଲାରି ଫଣ୍ଡକୁ ନେଇ ସ୍ବଚ୍ଛତା ନଥିବାରୁ ବର୍ତ୍ତମାନର କର୍ମଚାରୀ ଓ ନୂଆ ଆସିବାକୁ ଥିବା କର୍ମଚାରୀଙ୍କ ଭବିଷ୍ୟତ ବାଜିରେ ଲାଗିଛି। ଘରୋଇକରଣ ଅବଧିରେ ଡିସ୍‌କମ୍‌ ଗ୍ରିଡ୍‌କୋକୁ ୧୦ହଜାର କୋଟି ଟଙ୍କା ଦେବାକୁ ରହିଥିଲା‌। ପରବର୍ତ୍ତୀ ସମୟରେ ଏଇଏସ୍‌ ଓ ରିଲାଏନ୍ସ ଏନର୍ଜି ଦୁଇଟି ଘରୋଇ ସଂସ୍ଥା ହାତରେ ସେସୁ୍କୁ ଟେକି ଦିଆଗଲା। ଉଭୟଙ୍କୁ ମାଗଣାରେ ଦିଆଯିବାରୁ ଏହି ୧୦ ହଜାର କୋଟି ବୋଝ ସରକାର ବୋହିଲେ। ଏବେ ଟାଟା ପାୱାର ନେବାକୁ ଯାଉଛି। ସେ ମଧ୍ୟ ଏଭଳି ବୋଝ ଦେଇ ଫେରାର ହେବା ନେଇ ମଞ୍ଚ ଆଶଙ୍କା କରିଛି।

ସମ୍ବନ୍ଧିତ ଖବର