ଭୁବନେଶ୍ବର : ବିଦ୍ୟୁତ ୟୁଟିଲିଟି ସଂସ୍ଥା ସେସୁର ଘରୋଇକରଣ କରାଯାଇଛି। ଏହାକୁ ଘରୋଇ ସଂସ୍ଥା ଟାଟା ପାୱାର ଅଧିଗ୍ରହଣ କରିଛି। ସେସୁକୁ ବିକ୍ରି କରିବା ଲାଗି ଘରୋଇ ସରକାରୀ ସହଭାଗିତାରେ (ପିପିପି) ଏକ ସ୍ପେସିଆଲ୍ ପରପୋଜ ଭେଇକିଲ୍ (ଏସ୍ଭିପି) ଗଠନ କରାଯିବ। ସେଥିରେ ଟାଟା ପାୱାରର ୫୧% ଓ ଓଡ଼ିଶା ସରକାରଙ୍କ ୪୯% ଅଂଶଧନ ରହିବ। ଦିଲ୍ଲୀରେ ଏହି ଢାଞ୍ଚାରେ ଟାଟା ପାୱାର କାର୍ଯ୍ୟ କରୁଛି।
ସେସୁ ଅଧୀନରେ ଥିବା ଓଡ଼ିଶାର ପାଞ୍ଚଟି ବିଦ୍ୟୁତ ସର୍କଲ୍ ଯଥା ଭୁବନେଶ୍ବର ୧ ଓ ୨, କଟକ, ପାରାଦୀପ ଓ ଢେଙ୍କାନାଳ (ଉପକୂଳବର୍ତୀ ୯ ଜିଲ୍ଲା ଓ ଯାଜପୁରର ୪୫ଟି ପଞ୍ଚାୟତ) ପାଇଁ ଟାଟା ପାୱାର ବିଦ୍ୟୁତ ବିତରଣ ଓ ଖୁଚୁରା ଯୋଗାଣ ଲାଇସେନ୍ସ ହାସଲ କରିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ୨୫ ବର୍ଷ ପାଇଁ ଏହି ଲାଇସେନ୍ସ ଦିଆଯିବ। ସେସୁର ଘରୋଇକରଣ ଲାଗି ଯେଉଁ ବିଡ୍ ଆହ୍ବାନ କରାଯାଇଥିଲା ସେଥିରେ ଟାଟା ପାୱାରର ସଫଳ ବିଡର୍ ଭାବେ ଉଭା ହୋଇଛି ବୋଲି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍ସି)ଙ୍କ ତରଫରୁ ଘୋଷଣା କରାଯାଇଛି। ଟାଟା ପାୱାର୍କୁ ଓଇଆର୍ସି ତରଫରୁ ଲେଟର ଅଫ୍ ଇଣ୍ଟେଣ୍ଡ୍ (ଇଓଆଇ) ପ୍ରଦାନ କରାଯାଇଛି। ରାଜ୍ୟର ପାଞ୍ଚଟି ବିଦ୍ୟୁତ ସର୍କଲ୍ରେ ସେସୁ ପ୍ରାୟ ୨୫ ଲକ୍ଷ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି। ଆଗାମୀ ଦିନରେ ଟାଟା ପାୱାର ଏହି ଅଞ୍ଚଳର ବିଦ୍ୟୁତ ବିତରଣ ଓ ଯୋଗାଣ କାର୍ଯ୍ୟ କରିବ।
୨୦୦୯-୧୦ ପରଠାରୁ ସେସୁକୁ ବିକ୍ରି କରିବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ଏହା ପୂର୍ବରୁ ଏଥିପାଇଁ ଚାରି ଥର ବିଡ୍ ଆହ୍ବାନ କରାଯାଇଥିଲା। ଶେଷ ଥର ମାତ୍ର ଗୋଟିଏ କଂପାନି ବିଡ୍ ଦାଖଲ କରିବାରୁ ଟେଣ୍ଡର ପ୍ରକ୍ରିୟାକୁ ବାଧ୍ୟ ହୋଇ ରଦ୍ଦ କରାଯାଇଥିଲା। ସେସକୁ ବିକ୍ରି କରିବା ଲାଗି ପ୍ରାଇସ୍ୱାଟର ହାଉସ୍କୁପର୍କୁ ଦାୟିତ୍ବ ଦିଆଯାଇଥିଲା। ଏହାପରେ ୨୦୧୬ରେ ପୁଣି ଥରେ ଟେଣ୍ଡର୍ ଆହ୍ବାନ କରାଯାଇଥିଲା। ଏଥର ଟାଟା ପାୱାର ଓ ଆଇପିସିଏଲ୍-ଫେଡ୍କୋ ପକ୍ଷରୁ ବିଡ୍ ଦାଖଲ କରାଯାଇଥିଲା। ଟାଟା ପାୱାର ସଫଳ ବିଡର୍ ଭାବେ ଉଭା ହୋଇଥିବା ଜଣାପଡ଼ିଛି।
୨୦୦୧ରେ ବିଦ୍ୟୁତ ବିତରଣ କ୍ଷେତ୍ରରୁ ଆମେରିକୀୟ କଂପାନି ଏଇଏସ୍ ହଟିଯିବା ପରେ ସେସୁକୁ ବିତରଣ ଦାୟିତ୍ବ ପ୍ରଦାନ କରାଯାଇଥିଲା। ପୂର୍ବରୁ ସେସୁର ନାମ ଥିଲା ସେସ୍କୋ। ୨୦୦୬ରେ ତାହାର ନାମ ପରିବର୍ତ୍ତନ କରି ସେସୁ ରଖାଯାଇଥିଲା ଏବଂ ସେସ୍କୋର ସମସ୍ତ ସମ୍ପତ୍ତି ଓ ପରିଚାଳନା ଦାୟିତ୍ବ ସେସୁକୁ ପ୍ରଦାନ କରାଯାଇଥିଲା। ଏହା ବର୍ତ୍ତମାନ ସୁଦ୍ଧା ଏକ ସରକାରୀ ସଂସ୍ଥା ଭାବେ ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ପରିଚାଳିତ ହେଉଛି। ଏହାର ମୁଖ୍ୟ କାର୍ଯ୍ୟାଳୟ ଇଡ୍କୋ ଟାୱାରର ଦ୍ବିତୀୟ ମହଲାରେ ରହିଛି। କଂପାନିର ୱେବସାଇଟ୍ରେ ପ୍ରଦତ୍ତ ସୂଚନା ଅନୁସାରେ ୨୦୧୮ ମାର୍ଚ ୩୧ ସୁଦ୍ଧା ସେସୁ ପାଇଁ ୬୪୦୭ କର୍ମଚାରୀ କାର୍ଯ୍ୟ କରୁଥିଲେ। ସମ୍ପତ୍ତି ଭାବେ ଏହା ଅଧୀନରେ ୩୩୫୯.୯୮୨ ସିକେଟି କିମି ୩୩ କେଭି ଲାଇନ୍, ୩୪, ୦୬୫.୬ ସିକେଟି କିମି ୧୧ କେଭି ଲାଇନ୍, ୫୦,୨୭୨.୩ ସିକେଟି କିମି ଏଲ୍ଟି ଲାଇନ୍, ୨୫୧ଟି ୩୩/୧୧ କେଭି ସବ୍-ଷ୍ଟେସନ, ୫୬୬ଟି ୩୩/୧୧ କେଭି ପାୱାର ଟ୍ରାନ୍ସଫରମର୍, ୧୬୬ଟି ୩୩ କେଭି ଫିଡର୍ ଓ ୮୪୭ଟି ୧୧ କେଭି ଫିଡର୍ ରହିଛି। ସେସୁ ଅଧୀନରେ ଥିବା ଅଞ୍ଚଳଗୁଡ଼ିକରେ ୯୦% ଆବାସିକ ଗ୍ରାହକ ହୋଇଥିବା ବେଳେ ୭% ହେଉଛନ୍ତି ଶିଳ୍ପ ସଂସ୍ଥା, ୧ ଜଳସେଚନ ଏବଂ ୨% ଅନ୍ୟାନ୍ୟ ଗ୍ରାହକ ଅଛନ୍ତି। ଏହାର ଟିଆଣ୍ଡ୍ଡି କ୍ଷତି ୩୧.୭୨% ରହିଥିବା ବେଳେ ଏଟି ଆଣ୍ଡ୍ ସି କ୍ଷତି ୩୪.୦୭% ରହିଛି। ଘରୋଇକରଣ ଜରିଆରେ ସେସୁ ଏଟିଆଣ୍ଡ୍ଟି କ୍ଷତିକୁ ୨୦୨୩ ସୁଦ୍ଧା ୨୨.୫୭% ପର୍ଯ୍ୟନ୍ତ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ବ୍ୟତୀତ ୨୦୦ କୋଟି ଟଙ୍କାର ବକେୟା ଅସୁଲ କରିବାକୁ ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ସେସୁ ଘରୋଇକରଣକୁ ନେଇ ରାଜ୍ୟ କଂଗ୍ରେସ ଓ ବିଜେପି ନେତୃତ୍ବ ପ୍ରଶ୍ନ ଉଠାଇଛନ୍ତି। କଂପାନିକୁ ଶାଗମାଛ ଦରରେ ବିକ୍ରି କରାଯାଇଛି ବୋଲି ଏହି ଦୁଇ ଦଳ ଅଭିଯୋଗ କରିଛନ୍ତି। କିନ୍ତୁ ଶାସକ ବିଜେଡି ତରଫରୁ ସଫେଇ ଦିଆଯାଇଛି ଯେ, ସେସକୁ ବିକ୍ରି କରିବା ନିଷ୍ପତ୍ତି ଓଇଆର୍ସି ନେଇଛି। ଏହା ଏକ ଅର୍ଧ-ନ୍ୟାୟିକା ବ୍ୟବସ୍ଥା। ଏହାର ନିଷ୍ପତ୍ତିକୁ ଗ୍ରହଣ କରାଯାଏ ବୋଲି ବିଜେଡ଼ି ପକ୍ଷରୁ କୁହାଯାଇଛି। ସେସୁ ଘରୋଇକରଣ ଉଦ୍ୟମକୁ ଉପଭୋକ୍ତା ମହାସଂଘ ଓ ଓଡ଼ିଶା ରାଜ୍ୟ ବିଦ୍ୟୁତ ଶ୍ରମିକ, କର୍ମଚାରୀ ଓ ଇଞ୍ଜିନିୟର ସଂଘ ପକ୍ଷରୁ ବିରୋଧ କରାଯାଇଥିଲା।