ଭୁବନେଶ୍ବର : ଓଡ଼ିଶା ପୁଞ୍ଜିନିବେଶର ଏକ ଉତ୍କୃଷ୍ଟ ଲକ୍ଷ୍ୟସ୍ଥଳ ହୋଇ ପାରିଛି। ଭୁବନେଶ୍ବରସ୍ଥିତ କଲେଜ ଅଫ୍ ଟେକ୍ନୋଲୋଜି (ସିଇଟି) ପରିସରରେ ସଫ୍ଟୱେୟାର୍ କମ୍ପାନି ଟେକ୍ ମହିନ୍ଦ୍ରା ଦ୍ବାରା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି (ଏଆଇ) ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ଦ୍ବାରା ଓଡ଼ିଶାର ଏହି ସ୍ବପ୍ନ ପୂରଣ ଦିଗରେ ଆଉ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଏହି ପରବର୍ତ୍ତୀ ନୂତନ ପିଢ଼ିର ବୈଷୟିକ ଜ୍ଞାନକୌଶଳ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ଦ୍ବାରା ଇଂଜିନିୟରିଂ କ୍ଷେତ୍ରରେ କାମ କରୁଥିବା ଆମ ଯୁବପିଢ଼ିକୁ ନୂଆ ଆବିଷ୍କାରର ବାଟ ମିଳିବ ଓ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଏହା ସହାୟକ ହେବ। ସୋମବାର ସିଇଟି କଲେଜ ପରିସରରେ ଏଆଇ ଉତ୍କର୍ଷ କେନ୍ଦ୍ର ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ଏକ ନୂତନ ପିଢ଼ିର ବୈଷୟିକ ଜ୍ଞାନକୌଶଳ। ପୂର୍ବରୁ ଟେକ୍ ମହିନ୍ଦ୍ରା ଓ ସିଇଟି ମଧ୍ୟରେ ଏହି କେନ୍ଦ୍ର ନିର୍ମାଣ ପାଇଁ ଏକ ଏମ୍ଓୟୁ ସ୍ବାକ୍ଷରିତ ହୋଇଥିଲା। ଶିଳ୍ପ, ଶିକ୍ଷା, ପରିବହନ, କୃଷି ଓ ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ଏଠାରୁ ସମାଧାନର ବାଟ ଆବିଷ୍କାର ହେବ। ଏହି ଅବସରରେ ଟେକ୍ ମହିନ୍ଦ୍ରାର ସିଇଓ ତଥା ପରିଚାଳନା ନିର୍ଦେଶକ ସି.ପି ଗୁର୍ଣ୍ଣାନି କହିଛନ୍ତି ଯେ, ଏହି ଉତ୍କର୍ଷ କେନ୍ଦ୍ର ଦ୍ବାରା ଯୁବ ଇଂଜିନିୟରମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଉପୁଜୁଥିବା ସମସ୍ୟା ସମାଧାନର ବାଟ ବାହାର କରିବା ପାଇଁ ସୁଯୋଗ ମିଳିବ। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ଭଳି ନୂତନ ବୈଷୟିକ ଜ୍ଞାନକୌଶଳ ବଳରେ ସେମାନେ ଅଧିକ ଦକ୍ଷ ଓ କୁଶଳୀ ହୋଇପାରିବେ। ଫଳରେ ଶିଳ୍ପ ଜଗତରେ ଅଧିକ ନିଯୁକ୍ତି ସୃଷ୍ଟି କରିବା ପାଇଁ ଏହା ବେଶ୍ ସହାୟକ ହେବ। ସିଇଟି କଲେଜ ଅଧ୍ୟକ୍ଷ ପ୍ରଶାନ୍ତ ପାତ୍ର ସୂଚନା ଦେଇ କହିଛନ୍ତି ଯେ ଏଭଳି ଉତ୍କର୍ଷ କେନ୍ଦ୍ର ଓଡ଼ିଶାରେ ପ୍ରଥମ। ଏବେ ୩୦ ଜଣ ଏମ୍ଟେକ୍ ପାସ୍ ଆଉଟ୍ ଇଂଜିନିୟର ଏହି କେନ୍ଦ୍ରରେ କାମ କରିବାର ସୁଯୋଗ ପାଇଛନ୍ତି। କୃଷି, ସ୍ବାସ୍ଥ୍ୟସେବା, ଇ-ଏଜୁକେସନ୍, ସ୍ମାର୍ଟ କେୟାର୍ ଆଣ୍ଡ ଇନ୍ଫ୍ରାଷ୍ଟ୍ରକ୍ଚର ଏବଂ ସ୍ମାର୍ଟ ମୋବିଲିଟି ଆଣ୍ଡ ଟ୍ରାନ୍ସପୋର୍ଟ ଆଦି କ୍ଷେତ୍ରରେ ଦେଖାଯାଉଥିବା ସମସ୍ୟାର ସମାଧାନ ପାଇଁ ଏମାନେ କାମ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କଲେଜ ପରିସରରେ ୨ ହଜାର ସିଟ୍ ବିଶିଷ୍ଟ ବିଜୁ ପଟ୍ଟନାୟକ ଅଡିଟୋରିଅମ୍ ଓ ଇ-ଲର୍ଣ୍ଣିଂ ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଇ-ଲର୍ଣ୍ଣିଂ ସେଣ୍ଟର ଦ୍ବାରା ଛାତ୍ରଛାତ୍ରୀମାନେ ଇଂଜିନିୟରିଂ ଶିକ୍ଷାଗ୍ରହଣ କ୍ଷେତ୍ରରେ ବିଶେଷ ଉପକୃତ ହେବେ ଓ ଏହା ପାଠାଗାର କ୍ଷେତ୍ରରେ ଏକ ମାଇଲ୍ ଖୁଣ୍ଟ ହେବ।