ସିଇଟିକୁ ବିଶ୍ୱବିଦ୍ୟାଳୟ କରିବାକୁ ଦାବି କଲେ ପୁରାତନ ଛାତ୍ରଛାତ୍ରୀ

ଭୁବନେଶ୍ୱରରେ ଆୟୋଜିତ ରକ୍ସ କାର୍ଯ୍ୟକ୍ରମରେ ମତ ଦେଲେ ୧୯୯୪-୯୫ ବ୍ୟାଚର ଛାତ୍ରଛାତ୍ରୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଥିବା ସରକାରୀ ଇଂଜିନିୟରିଂ କଲେଜ ବା ସିଇଟିକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାକୁ ଦାବି କରିଛନ୍ତି ପୁରାତନ ଛାତ୍ରଛାତ୍ରୀ | ୧୯୯୪-୧୯୯୫ ମସିହାରେ ଉତ୍ତୀର୍ଣ୍ଣ ହୋଇଥିବା ବ୍ୟାଚର ଇଂଜିନିୟରିଂ ଛାତ୍ରଛାତ୍ରୀମାନେ ସିଇଟି(କଲେଜ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି)କୁ ବିଶ୍ୱବିଦ୍ୟାଳୟ ମାନ୍ୟତା ସହ ଗୁଣବତ୍ତା ଶିକ୍ଷା ପାଇଁ ସରକାର ଦୃଷ୍ଟି ଦେବାକୁ ଦାବି କରିଛନ୍ତି | ମିଳିଥିବା ସୂଚନା ମୁତାବକ,  ଶୁକ୍ରବାର ଦିନ ଏକ ତାରକା ହୋଟେଲରେ ୧୯୯୪-୯୫ ବ୍ୟାଚର ପୁରାତନ ଛାତ୍ର ଓ ଛାତ୍ରୀଙ୍କ ପକ୍ଷରୁ ‘ରକ୍ସ’ ନାମରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା| ଏଥିରେ ମେକାନିକାଲ, ଆର୍କିଟେକଚର, ଇଲେକ୍ଟ୍ରିକାଲ ଓ ସିଭିଲ ବିଭାଗର ପ୍ରାୟ ୬୦ ପ୍ରାକ୍ତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ |

ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ଦେଶବିଦେଶରେ ଥିବା ପୁରାତନ ଛାତ୍ରଛାତ୍ରୀମାନଙ୍କ ସହ ସେହି ସମୟର ପ୍ରାଧ୍ୟାପକମାନେ ମଧ୍ୟ ଏକାଠି ହୋଇଥିଲେ | ଏହି ବୈଠକରେ ସିଇଟିରେ ପାଠପଢୁଥିବା ଛାତ୍ରଛାତ୍ରୀମାନଙ୍କୁ କିଭଳି ଆର୍ଥିକ ପ୍ରୋତ୍ସାହନ ଦେଇ ହେବ ସେ ବାବଦରେ ଆଲୋଚନା ହୋଇଥିଲା | ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ପ୍ରକଳ୍ପ ଭିତରୁ ଗୋଟିକୁ ବାର୍ଷିକ ସର୍ବୋତ୍ତମ ପ୍ରକଳ୍ପ ପୁରସ୍କାର ଦେବା ଲାଗି ୩୦ରୁ ୪୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପୁରାତନ ଛାତ୍ରଛାତ୍ରୀମାନେ ଯୋଗାଇ ଦେବେ ‌ବୋଲି ନିଷ୍ପତ୍ତି ନିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ ପ୍ରଫେସର ପି.ସି ପଟ୍ଟନାୟକ, ପ୍ରଫେସର ବି.ଏସ ପାତ୍ର, ପ୍ରଫେସର ଏସ.ସି ମିଶ୍ର, ପ୍ରଫେସର ସି.ପି ନାୟକ, ପ୍ରଫେସର ଆର.ସି ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମକୁ ପୁରାତନ ଛାତ୍ରଛାତ୍ରୀ ଦେବସ୍ମିତ ମହାନ୍ତି, ରଶ୍ମି ରଞ୍ଜନ ମହାନ୍ତି, ଶୁଭାଶିଷ ହୋତା, ରଶ୍ମିକାନ୍ତ ନନ୍ଦ, ବିଶ୍ୱରଂଜନ ପଟ୍ଟନାୟକ, ଶଶାଙ୍କ ପଣ୍ଡା, ମିନର୍ଭା ମିଶ୍ର, ସିଜୁ ନାରାୟଣ, ଦେବାଶିଷ ମହାନ୍ତି, ପ୍ରମୋଦ ପରିଡା ଓ ସଞ୍ଜିତା ବହିଦାର ପ୍ରମୁଖ ଆୟୋଜନ କରିଥିଲେ |

ସମ୍ବନ୍ଧିତ ଖବର