ସିଇଟି ହେବ ‘ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ବବିଦ୍ୟାଳୟ’

ବିଧାନସଭାରେ ପାରିତ ହେଲା ତିନି ବିଲ୍
ବିରୋଧୀ ଆଲୋଚନାରେ ଭାଗ ନେଲେନି

ଭୁବନେଶ୍ବର : ଭୁବନେଶ୍ବରରେ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି(ସିଇଟି) ଖୁବ୍ ଶୀଘ୍ର ‘ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ବବିଦ୍ୟାଳୟ’ ନାମରେ ନାମିତ ହେବ। ଏହା ଏକକ ବିଶ୍ବବିଦ୍ୟାଳୟ ହେବ। ଏ ସଂକ୍ରାନ୍ତୀରୟ ବିଲ୍ ଆଜି ବିଧାନସଭାରେ ପାରିତ ହୋଇଛି। ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ‘ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ବବିଦ୍ୟାଳୟ ବିଲ୍, ୨୦୨୧’ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ। ଶାସକ ଦଳ ସଭ୍ୟ ପ୍ରଫୁଲ୍ଲ ସାମଲ ଓ ଧ୍ରୁବଚରଣ ସାହୁ ଆଲୋଚନାରେ ଭାଗ ନେଇଥିଲେ। ଏହା ପରେ ବିଲ୍ ପାରିତ ହୋଇଥିଲା। ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି, ଯାନ୍ତ୍ରିକ ବିଦ୍ୟା, ପ୍ରଯୁକ୍ତି ବିଦ୍ୟା ଓ ତାହାର ପ୍ରୟୋଗ, ସ୍ଥାପତ୍ୟ ବିଦ୍ୟା, ଯୋଜନା, ମ୍ୟାନେଜ୍‌ମେଣ୍ଟ୍ ଓ ପ୍ରାୟୋଗିକ ବିଜ୍ଞାନ କ୍ଷେତ୍ରରେ ଶିକ୍ଷା, ଗବେଷଣା ଓ ତାଲିମକୁ ବିକଶିତ କରିବା ଏହି ବିଶ୍ବବିଦ୍ୟାଳୟର ଲକ୍ଷ୍ୟ। ଏହି ବିଶ୍ବବିଦ୍ୟାଳୟ ଶିକ୍ଷା ସଂକ୍ରାନ୍ତରେ ପରାମର୍ଶ ସେବା ଯୋଗାଇ ଦେବା ସହ ଶିଳ୍ପ ସଂସ୍ଥାଗୁଡ଼ିକର ଦକ୍ଷତାସମ୍ପନ୍ନ ବ୍ୟକ୍ତିମାନଙ୍କ ଆବଶ୍ୟକତା ପୂରଣ କରିବା ନିମନ୍ତେ ସହାୟତା ଯୋଗାଇ ଦେବ। ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ରାଜ୍ୟପାଳ ଏହି ବିଶ୍ବବିଦ୍ୟାଳୟର କୁଳାଧିପତି ହେବେ। କୁଳାଧିପତିଙ୍କ ଦ୍ବାରା ନିଯୁକ୍ତ ଏକ କମିଟି ଦ୍ବାରା ସୁପାରିସ କରାଯାଇଥିବା ଏକ ତିନି ଜଣିଆ ନାମ ତାଲିକା ମଧ୍ୟରୁ କୁଳପତିଙ୍କୁ କୁଳାଧିପତି ଚୟନ କରିବେ। ସଂପୃକ୍ତ ବ୍ୟକ୍ତି ବୈଷୟିକ ଶିକ୍ଷା କ୍ଷେତ୍ରରେ ପ୍ରବୀଣ ହୋଇଥିବେ। ସେହିପରି ଓଏଏସ୍ କ୍ୟାଡର୍ର ଜଣେ ଯୁଗ୍ମ ସଚିବ ପାହ୍ୟାର ଅଧିକାରୀ କୁଳସଚିବ ଭାବେ ନିଯୁକ୍ତି ପାଇବେ। ଏହା ବାଦ୍ ବିଶ୍ବବିଦ୍ୟାଳୟର ପରିଚାଳନା ବୋିର୍ଡ, ବିଦ୍ୟା ପରିଷଦ, ଅଧ୍ୟୟନ ବୋର୍ଡ ଓ ଅର୍ଥ କମିଟି ରହିବ।

ଆଜି ବିଧାନସଭାରେ ଏହି ବିଲ୍ ସମେତ ଆଉ ଦୁଇଟି ବିଲ୍ ପାରିତ ହୋଇଥିଲା। ଆଇନ ମନ୍ତ୍ରୀ ମନ୍ତ୍ରୀ ପ୍ରତାପ ଜେନା ଓଡ଼ିଶା ବିନିଯୋଗ ଅଧିନିୟମ(ନିରସନ) ବିଲ୍, ୨୦୨୧ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ। ଶାସକ ଦଳ ପକ୍ଷରୁ ଅଶ୍ବିନୀ ପାତ୍ର ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ଆଇନ ବଳରେ ୧୯୫୦ରୁ ୨୦୧୧ ମଧ୍ୟ‌ରେ ଥିବା ୨୧୪ଟି ବିନିଯୋଗ ଅଧିନିୟମ ଅକାମୀ ହୋଇଯିବ। ଏହି ଅଧିନିୟମଗୁଡ଼ିକ କେବଳ ସେହି ଆର୍ଥିକ ବର୍ଷ ପାଇଁ ପ୍ରଯୁଜ୍ୟ ଥିବାରୁ ପରବର୍ତ୍ତୀ ସମୟରେ ତାହାର କୌଣସି ପ୍ରାସଙ୍ଗିକତା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଏଗୁଡ଼ିକୁ ଅକାମୀ କରିବା ପାଇଁ ଓଡ଼ିଶା ବିଧି ଆୟୋଗ ୨୦୨୦ ସେପ୍ଟେମ୍ବର ମାସରେ ସୁପାରିସ୍ କରିଥିଲେ।

ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଓଡ଼ିଶା ସହର ଯୋଜନା ଓ ଅଭିବୃଦ୍ଧି ନ୍ୟାସ(ସଂଶୋଧନ) ବିଲ୍,୨୦୨୧ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ। ଶାସକ ଦଳ ସଭ୍ୟ ଦେବେଶ ଆଚାର୍ଯ୍ୟ ଓ ଲତିକା ପ୍ରଧାନ ଆଲୋଚନାରେ ଭାଗ ‌ନେଇଥିଲେ। ଓଡ଼ିଶା ସହର ଯୋଜନା ଓ ଅଭିବୃଦ୍ଧି ନ୍ୟାସ ଆଇନ ୬୫ ବର୍ଷ ତଳେ ପ୍ରଣୟନ କରାଯାଇଥିଲା। କିନ୍ତୁ ଏହା ମଧ୍ୟରେ ସହରର କଳେବର ବୃଦ୍ଧି ପାଇଥିଲା ବେଳେ ତାହାକୁ ଯୋଜନାବଦ୍ଧ ଭାବେ ବିକଶିତ କରିବା ପାଇଁ ଆଇନରେ ସଂଶୋଧନ କରାଯାଇଛି। ଏହା ଦ୍ବାରା ଛୋଟ ଛୋଟ ଘର ନିର୍ମାଣ ପାଇଁ ପ୍ଲାନ୍ ଅନୁମୋଦନ ବ୍ୟବସ୍ଥା କୋହଳ ହେବ। ରାଜ୍ୟର ସବୁ ସହରାଞ୍ଚଳ ପାଇଁ ଅନ୍‌ଲାଇନ୍ ବିଲ୍‌ଡିଂ ପ୍ଲାନ୍ ମଞ୍ଜୁରୀ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ।

ଆଜିର ତିନିଟି ଯାକ ବିଲ୍‌ ଆଲୋଚନାରେ ବିରୋଧୀ ଦଳ ଅଂଶଗ୍ରହଣ କରି ନ ଥିଲେ। ବିଜେପି ସଭ୍ୟମାନେ ଗୃହରେ ଉପସ୍ଥିତ ନ ଥିଲେ। କଂଗ୍ରେସ ସଭ୍ୟମାନେ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ଗୃହ ଭିତରେ ପ୍ରତିବାଦ କରୁଥିବାରୁ ଆଲୋଚନାରେ ଭାଗ ନେଇ ନ ଥିଲେ।

ସମ୍ବନ୍ଧିତ ଖବର