ସିଇଟି ହେବ ଏକକ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର : ଭୁବନେଶ୍ବରର କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି(ସିଇଟି)କୁ ଅଣଅନୁବନ୍ଧିତ ଏକକ ବିଶ୍ବବିଦ୍ୟାଳୟରେ ପରିଣତ କରାଯିବ। ଏହାକୁ ‘ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ବବିଦ୍ୟାଳୟ’(ଓଡ଼ିଶା ଟେକ୍ନୋଲୋଜି ଆଣ୍ଡ୍ ରିସର୍ଚ୍ଚ ୟୁନିଭର୍ସିଟି) ନାମରେ ନାମିତ କରାଯିବ। ଏଥିପାଇଁ ରାଜ୍ୟ ସରକାର ନୂଆ ଆଇନ ପ୍ରଣୟନ କରିବେ। ଏ ସଂକ୍ରାନ୍ତୀୟ ପ୍ରସ୍ତାବରେ ଆଜି କ୍ୟାବିନେଟ୍ ମୋହର ବାଜିଛି।

ପ୍ରସ୍ତାବିତ ବିଶ୍ବବିଦ୍ୟାଳୟ ସ୍ନାତକ, ସ୍ନାତକୋତ୍ତର ଶିକ୍ଷା ତଥା ପିଏଚ୍‌ଡି ଶିକ୍ଷା କ୍ଷେତ୍ରରେ ନୂଆ ସୁଯୋଗ ପ୍ରଦାନ କରିବ। ଏହି ବିଶ୍ବବିଦ୍ୟାଳୟ ଇଞ୍ଜିନିୟରିଂ, ସାଇନ୍ସ ଓ ଟେକ୍ନୋଲୋଜି କ୍ଷେତ୍ରରେ ତଥା ଅନୁସନ୍ଧାନ, ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଏହାର ପ୍ରୟୋଗ, ତାଲିମ, ଅନୁସନ୍ଧାନକୁ ସମ୍ପ୍ରସାରିତ କରିବାରେ ସହାୟକ ହେବ। ବିଶ୍ବବିଦ୍ୟାଳୟ ସ୍ଥାପନ ଦ୍ବାରା ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କମ୍ପାନି ସମୂହ ସହିତ ଦୀର୍ଘମିଆଦି ସମ୍ପର୍କ ପାଇଁ ଏମ୍ଓୟୁ କରିବାର ସୁଯୋଗ ସୃଷ୍ଟି ହେବ। ରାଜ୍ୟ, ଦେଶ ଓ ବିଦେଶର ଅନ୍ୟ ବିଶ୍ବବିଦ୍ୟାଳୟଗୁଡ଼ିକ ସହିତ ଅଭିଜ୍ଞତା ଆଦାନ ପ୍ରଦାନ କରାଯାଇପାରିବ ତଥା ଉଚ୍ଚଶିକ୍ଷା ଏବଂ ଅନୁସନ୍ଧାନ ପାଇଁ ନୂଆ ଦ୍ବାର ଉନ୍ମୁକ୍ତ ହୋଇପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଯେ ୧୯୮୧ ମସିହାରେ ସିଇଟି ପ୍ରତିଷ୍ଠା କରାଯାଇଥିଲା। ପ୍ରଥମେ ଏହା ଓୟୁଏଟି ଅଧୀନରେ ଥିଲା ବେଳେ ଏବେ ଏହା ବିପିୟୁଟିର ଏକ କନ୍‌ଷ୍ଟିଚୁଏଣ୍ଟ୍ କଲେଜ ଭାବେ କାର୍ଯ୍ୟ କରୁଛି।

ସମ୍ବନ୍ଧିତ ଖବର