ଭିଜିଲାନ୍ସ ଜାଲରେ ସିଇଟିର କୋଟିପତି ପ୍ରଫେସର

ଖଣ୍ଡଗିରିରେ ଦେଢ଼ କୋଟିର ୨ଟି କୋଠା, ୨ କୋଟି ୧୯ ଲକ୍ଷ ଟଙ୍କାର ସମ୍ପତ୍ତି

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ କୋଟିପତି ପ୍ରଫେସର। ଭୁବନେଶ୍ବର ଘାଟିକିଆସ୍ଥିତ କଲେଜ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି(ସିଇଟି)ର ଗଣିତ ବିଭାଗର ସହକାରୀ ପ୍ରଫେସର ପ୍ରସନ୍ନ କୁମାର ମିଶ୍ରଙ୍କ ଘରେ ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ ଚଢ଼ଉ କରିଛି। ଚଢ଼ଉ ସମୟରେ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଛି। ସିଇଟିରେ ଠିକା ଅଧ୍ୟାପିକା ଥିବା ତାଙ୍କ ପତ୍ନୀଙ୍କ କାର୍ଯ୍ୟା​ଳୟ ଚାମ୍ବରରେ ମଧ୍ୟ ଖାନତଲାସି କରାଯାଇଛି। ଏତେ ସମ୍ପତ୍ତି କେମିତି ହାତେଇଲେ, ସେ ନେଇ ଶ୍ରୀ ମିଶ୍ରଙ୍କୁ ଭିଜିଲାନ୍ସ ଜେରା କରୁଛି।

ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରସନ୍ନ ମିଶ୍ରଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ଆଜି ସକାଳୁ ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ୍‌ର ୫ଟି ଟିମ୍ ଚଢ଼ଉ ଆରମ୍ଭ କରିଥିଲେ। ସିଇଟିରେ ଥିବା କାର୍ଯ୍ୟାଳୟ, ଖଣ୍ଡଗିରିରେ ଥିବା ଘର, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ କାଳୁପଡ଼ାଘାଟରେ ଥିବା ପୈତୃକ ଘରେ ଚଢ଼ଉ ହୋଇଛି। ଚଢ଼ଉ ସମୟରେ ଖଣ୍ଡଗିରିବାରିରେ ସେ ରହୁଥିବା ଚାରି ମହଲା କୋଠା, ନିର୍ମାଣାଧୀନ ଥିବା ଆଉ ଏକ ଚାରି ମହଲା କୋଠା ଠାବ ହୋଇଥିଲା। ଏହି ଦୁଇଟି କୋଠାର ମୂଲ୍ୟ ୧ କୋଟି ୫୨ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେହିପରି ଦୁଇଟି ଜମି ମଧ୍ୟ ମିଳିଛି, ଯାହାର ମୂଲ୍ୟ ୧୪ଲକ୍ଷ ୮୫ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି। ସେହିପରି ୩୬ ଲକ୍ଷ ୩୬ ହଜାର ଟଙ୍କାର ବ୍ୟାଙ୍କ ଜମା, ୩ ଲକ୍ଷ ୮୭ ହଜାର ଟଙ୍କାର ଗହଣା, ୫ ଲକ୍ଷ ୫୧ ହଜାର ଟଙ୍କାର ଆସବାବପତ୍ର ମିଳିଛି। ମୋଟ୍ ସମ୍ପତ୍ତିର ପରିମାଣ ୨ କୋଟି ୧୯ ଲକ୍ଷ ୬୩ ହଜାର ଟଙ୍କା ହେବ ବୋଲି ଭିଜିଲାନ୍ସ ପକ୍ଷରୁ ହିସାବ କରାଯାଇଛି। ମାମଲା ରୁଜୁ କରିବା ଲାଗି ଆଇନଗତ ବିଚାରବିମର୍ଶ ଚାଲିଥିବା ଭିଜିଲାନ୍ସର ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର