ଖୋର୍ଧାରେ ସିଏଫ୍‌ଆର୍ ରାଜ୍ୟଠାରୁ ଅଧିକ

୧୨୦୮ ପଜିଟିଭ୍, ୬୬ ମୃତ

ଭୁବନେଶ୍ବର : ରାଜ୍ୟରେ ଦୈନିକ କୋଭିଡ୍‌ ମୃତ୍ୟୁ ସଂଖ୍ୟା ୬୫ ଉପରେ ଜାରି ରହିଛି। କରୋନା ଜନିତ ମୃତ୍ୟୁ ସଂଖ୍ୟା ୬ ହଜାର ପାର୍ କରି ସାରିଲାଣି। ଏଥିରୁ ସିଂହଭାଗ ମୃତ୍ୟୁ କେବଳ ଖୋର୍ଧା ଜିଲ୍ଲାରେ ହୋଇଛି। ଭୁବନେଶ୍ବରରେ ଅଧିକ ସଂଖ୍ୟାରେ କୋଭିଡ୍‌ ହସ୍ପିଟାଲ ଥିବା ସତ୍ତ୍ବେ ରାଜ୍ୟର ସର୍ବାଧିକ ମୃତ୍ୟୁ ଖୋର୍ଧା ଜିଲ୍ଲାରେ ହୋଇଛି। ରାଜ୍ୟର ଏ ପର୍ଯ୍ୟନ୍ତ ଘୋଷଣା ହୋଇଥିବା କୋଭିଡ୍ ମୃତ୍ୟୁର ୨୦ ପ୍ରତିଶତ ଖୋର୍ଧାରୁ ଆସିଛି। ତେଣୁ ଖୋର୍ଧା ଜିଲ୍ଲାରେ କେସ୍ ଫାଟାଲିଟି ରେଟ୍ ବା ସିଏଫ୍‌ଆର ୦.୮୧ ପ୍ରତିଶତ ରହିଛି। ଏହା ରାଜ୍ୟର ୦.୬୩ ପ୍ରତିଶତଠାରୁ ଅଧିକ।

ରାଜ୍ୟରେ ଶୁକ୍ରବାର ଆଉ ୬୬ଜଣଙ୍କ କରୋନା ମୃତ୍ୟୁ ଘୋଷଣା କରାଯାଇଛି। ଏଥିରେ ଖୋର୍ଧାରୁ ସର୍ବାଧିକ ୧୯, କଟକ ୧୧, ଗଞ୍ଜାମ ୧୦, ବାଲେଶ୍ବର ୬, ଅନୁଗୁଳ ୪, କେନ୍ଦୁଝର ୩, ପୁରୀ, ମୟୂରଭଞ୍ଜ ଓ ବଲାଙ୍ଗୀରରେ ୨ ଲେଖାଏଁ, ଭଦ୍ରକ, ଝାରସୁଗୁଡ଼ା, କନ୍ଧମାଳ, ନୟାଗଡ଼, ନୂଆପଡ଼ା, ରାୟଗଡ଼ା ଓ ସମ୍ବଲପୁରରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ମୋଟ ମୃତ୍ୟୁ ସଂଖ୍ୟା ୬୩୦୨କୁ ବୃଦ୍ଧି ପାଇଛି।

ଅପରପକ୍ଷେ ରାଜ୍ୟରେ ଦୈନିକ ସଂକ୍ରମଣ ହଜାର ଉପରେ ସ୍ଥିର ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୨୦୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ହାର ୧.୭୪ ପ୍ରତିଶତ ରହିଛି। ତେବେ ଉପକୂଳ ଓଡ଼ିଶାର ୫ଟି ଜିଲ୍ଲାରେ ସଂକ୍ରମଣ ହାର ରାଜ୍ୟଠାରୁ ଢେର୍‌ ଅଧିକ ରହିଛି। ଖୁସିର କଥା ହେଉଛି ଯେ ରାଜ୍ୟର ୧୨ଟି ଜିଲ୍ଲାରେ ସଂକ୍ରମଣ ଏକ ଅଙ୍କରେ ସୀମିତ ରହିଛି। ହେଲେ ଖୋର୍ଧାରୁ ସଂକ୍ରମଣ ଖସୁ ନାହିଁ। ଜିଲ୍ଲାରେ ସର୍ବାଧିକ ୩୯୯ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। କଟକ ୧୭୩, ବାଲେଶ୍ବର ୬୩, ଜଗତସିଂହପୁର ୬୦, ଯାଜପୁର ୫୭, ପୁରୀ ୫୮, ଅନୁଗୁଳ ୫୫ ଓ ଷ୍ଟେଟ୍‌ ପୁଲରୁ ୮୪ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟର ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୮୪ଜାର ୭୩୧ରେ ପହଞ୍ଚିଛି।

ରାଜ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ କହିବା କଥା, ଯେ କୌଣସି ମହାମାରୀରେ କେସ୍ ବଢ଼ିବା ଓ କମିବା ଏକ ନିୟମିତ ଧାରା। କିଛି ରାଜ୍ୟରେ ସଂକ୍ରମଣ ବଢ଼ିଛି, କିଛି ରାଜ୍ୟରେ କମୁଛି। ସାମଗ୍ରିକ ଭାବେ ଦେଶରେ ଗତ ୧୫ଦିନ ହେବ ସଂକ୍ରମଣ ସ୍ଥିର ରହିଛି। ରାଜ୍ୟର ପଜିଟିଭ୍ ହାର ଉପରେ ନଜର ରଖାଯାଇଛି। ସବୁ ସ୍ଥାନରେ ଟେଷ୍ଟିଂ ଜାରି ରହିଛି। ଯଦି କୌଣସିଠାରେ ସଂକ୍ରମଣ ବଢ଼େ, ତାହାଲେ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଅଧିକାରୀମାନେ ମତ ଦେଉଛନ୍ତି। ରାଜ୍ୟରେ ଆଜି ୧୫୫୮ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୧,୪୪୮କୁ ଖସି ଆସିଛି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୯ଲକ୍ଷ ୬୬ହଜାର ୯୨୮କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର