ବାଲିଆପାଳ: ଜୀବନରେ ସଫଳ ହେବାକୁ ହେଲେ ୪ଟି ଦିଗ ଗୁରୁତ୍ବପୂର୍ଣ୍ଣ। ସେଗୁଡ଼ିକ ହେଲା; ସକାରାତ୍ମକ ଚିନ୍ତାଧାରା, ଦୃଢ଼ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଓ ଈଶ୍ୱର ବିଶ୍ୱାସ। ଏଥିପ୍ରତି ଜଣେ ଯତ୍ନଶୀଳ ହେଲେ ଜୀବନରେ ସଫଳତା ମିଳିବା ସୁନିଶ୍ଚିତ। ତେବେ ଏଥିପାଇଁ ଏକାଗ୍ରତା ଜରୁରି ବୋଲି ଆଜି ‘ସୁବର୍ଣ୍ଣ ସମ୍ପର୍କ’ ଓ ‘ଛବିବାଳା ଟ୍ରଷ୍ଟ’ ପକ୍ଷରୁ ଆୟୋଜିତ ‘ଛବିବାଳା ମେଧାବୃତ୍ତି ସମ୍ମାନ’ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମତବ୍ୟକ୍ତ କରିଛନ୍ତି ବସ୍ତା ବିଧାୟିକା ସୁବାସିନୀ ଜେନା।
ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ୍ ଛକସ୍ଥିତ ଶୁଭମ ଗେଷ୍ଟ ହାଉସ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ‘ସୁବର୍ଣ୍ଣ ସମ୍ପର୍କ’ର ସଭାପତି ପ୍ରଫେସର ଡକ୍ଟର ମୃତ୍ୟୁଞ୍ଜୟ ପଣ୍ଡା ଅଧ୍ୟକ୍ଷତା କରିଥିଲେ। ସମ୍ମାନିତ ଅତିଥି ଭାବେ ଇଂ.ହୃଷୀକେଶ ସାହୁ, ଇଂ.ଅଚ୍ୟୁତାନନ୍ଦ ଦାସ, ବରିଷ୍ଠ ନାଗରିକ ପରିଷଦର ସଭାପତି ନାରାୟଣ ପ୍ରସାଦ ସାହୁ ଓ ‘ସୁବର୍ଣ୍ଣ ସମ୍ପର୍କ’ର ସଂଯୋଜକ ଇଂ.ବିଜୟ କୁମାର ସେଠୀ ବକ୍ତବ୍ୟ ରଖିଥିଲେ।
‘ଛବିବାଳା ଟ୍ରଷ୍ଟ’ର ଅଧ୍ୟକ୍ଷ ତଥା ଆପୋଲୋ ହସ୍ପିଟାଲ୍ର ବିଶିଷ୍ଟ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ବ୍ରଜରାଜ ଦାସ ଯୋଗ ଦେଇ କହିଲେ, ସଫଳତାର ଶୀର୍ଷରେ ପହଞ୍ଚିବା ପାଇଁ ମଣିଷର ଲକ୍ଷ୍ୟ ଦୃଢ଼ ହେବା ଜରୁରି। ଦୃଢ଼ ଲକ୍ଷ୍ୟ ଥିଲେ ଅସାଧ୍ୟ କାମ ବି ସାଧ୍ୟ ହୋଇଯାଏ।
‘ସୁବର୍ଣ୍ଣ ସମ୍ପର୍କ’ର ସଂଯୋଜକ ସମାଜସେବୀ ସଞ୍ଜୟ କୁମାର ପାତ୍ର କହିଲେ, ‘ଛବିବାଳା ଟ୍ରଷ୍ଟ’ ବିଶିଷ୍ଟ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ଦାସଙ୍କ ଦିବଂଗତ ମାଆ ଛବିବାଳା ଦାସଙ୍କ ସ୍ମୃତିରେ ଗଠନ କରାଯାଇଛି। ଯାହା ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ସହାୟତା ପ୍ରଦାନ କରିଆସୁଛି। ଅନ୍ୟମାନଙ୍କ ମଧ୍ୟରେ ବାଲିଆପାଳ ସମ୍ବାଦ ସାହିତ୍ୟଘରର ସଭାପତି ଝାଡ଼େଶ୍ୱର ପ୍ରଧାନ ଓ ବାଘା ଯତୀନ ସ୍ମୃତି ପରିଷଦର ଆବାହକ ଅରବିନ୍ଦ ବେହେରା ଯୋଗ ଦେଇଥିଲେ। ଏହି ଅବସରରେ ବାଲିଆପାଳ ବ୍ଲକ୍ରେ ମାଟ୍ରିକ୍ ପରୀକ୍ଷାରେ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ରଖିଥିବା ୫୯ ଜଣ ଛାତ୍ରଛାତ୍ରୀ ଓ ସେମାନଙ୍କ ପ୍ରଧାନଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ସଭାପତି ପ୍ରଫେସର ଡକ୍ଟର ପଣ୍ଡା ସ୍ୱାଗତ ଭାଷଣ ଓ ଡ.ଗୟାରାମ ଗଙ୍ଗାଇ ଧନ୍ୟବାଦ ଅର୍ପଣ କରିଥିଲେ। ସାମ୍ବାଦିକ ପ୍ରତାପ ପାତ୍ର, ବ୍ୟୋମକେଶ ସାହୁ, ଅର୍ଦ୍ଧେନ୍ଦୁ ପାଣିଗ୍ରାହୀ, ଉମାକାନ୍ତ ନାୟକ, ନଳିନୀକାନ୍ତ ପାଢ଼ୀ, ପଙ୍କଜ ସାହୁ ପ୍ରମୁଖଙ୍କ ଦ୍ବାରା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।
ଛବିବାଳା ମେଧାବୃତ୍ତି ସମ୍ମାନ ସମାରୋହ, ଏକାଗ୍ରତା ସଫଳତାର ଚାବିକାଠି: ସୁବାସିନୀ
ଜୀବନରେ ସଫଳ ହେବାକୁ ହେଲେ ୪ଟି ଦିଗ ଗୁରୁତ୍ବପୂର୍ଣ୍ଣ। ସେଗୁଡ଼ିକ ହେଲା; ସକାରାତ୍ମକ ଚିନ୍ତାଧାରା, ଦୃଢ଼ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଓ ଈଶ୍ୱର ବିଶ୍ୱାସ। ଏଥିପ୍ରତି ଜଣେ ଯତ୍ନଶୀଳ ହେଲେ ଜୀବନରେ ସଫଳତା ମିଳିବା ସୁନିଶ୍ଚିତ।
/sambad/media/media_files/2025/06/18/lujktghjtrfh-b8b9f64d.jpg)