ଭୁଲ ଛାପିଲେ, ଭୁଲିଗଲେ

‘ବର୍ଣ୍ଣବୋଧ’ ଏବେ ପାଷାଣୀ ଅହଲ୍ୟା

ଭୁବନେଶ୍ୱର : ବାଃ ବାଃ ବାଃରେ ମଜା, ଭାଲୁ ନାଟ କରେ ବଜାଇ ବାଜା…ହେଉ ଅବା ‘ମାଙ୍କଡ଼ ଖାଏ କାଙ୍କଡ଼ କଷି, ବାଙ୍କ ବାବୁଙ୍କ ବାଡ଼ିରେ ପଶି…। ବର୍ଣ୍ଣବୋଧର ଏ ସାବଲୀଳ ଶବ୍ଦମାଳା ଏବେ ଆଉ ଶୁଭୁନି। ‘ଅ’ ରୁ ‘ଲ’ ମୁଖସ୍ଥ ହେଉଣୁ ଘରେ ବରାଦ ହେଉଥିବା ‘ଛବିଳ ମଧୁ ବର୍ଣ୍ଣବୋଧ’ ଏବେ ପ୍ରାୟ ଦୁଷ୍ପ୍ରାପ୍ୟ। ଏ ନେଇ ନା ସରକାରଙ୍କର ନିଘା ଅଛି ନା ବୁଦ୍ଧିଜୀବୀ, ଅଭିଭାବକ ଚାପ ସୃଷ୍ଟି କରୁଛନ୍ତି। ସରକାର ଯେମିତି ଭୁଲିଯାଇଥିବା ମନେହେଉଛି। କେବଳ ସେତିକି ନୁହେଁ, ସରକାରଙ୍କ କଥା ଓ କାର୍ଯ୍ୟ ଭିତରେ କେତେ ଅନ୍ତର ରହିଛି, ଏହି ଗୋଟିଏ ଉଦାହରଣ ତାର ସଙ୍କେତ ଦେଉଛି।

ଏଠାରେ ଉଲ୍ଲେଖଯୋଗ୍ୟ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମୟରେ ୨୦୧୨ରେ ଶୁଦ୍ଧ ଓଡ଼ିଆ ବନାନ ଶିକ୍ଷାର ଗୁରୁତ୍ୱକୁ ଉପଲବ୍ଧି କରି ଭକ୍ତକବି ମଧୁସୂଦନ ରାଓଙ୍କ ଏହି ବର୍ଣ୍ଣବୋଧକୁ ପୁନଃ ପ୍ରକାଶ କରିବା ପାଇଁ ଭାଷା ପ୍ରତିଷ୍ଠାନ ବୋର୍ଡର ଏକ ବୈଠକରେ ସ୍ଥିର ହୋଇଥିଲା। ଡ. ପ୍ରସନ୍ନ ମହାନ୍ତି ନିର୍ଦେଶକ ପଦରେ ଥିବା ସମୟରେ ୨୦୧୪ ମସିହାରେ ପ୍ରତିଷ୍ଠାନ ୧ଲକ୍ଷ ୫ ହଜାର ବହି ଛାପିଥିଲା। ଏହାର ସମ୍ପାଦନା ଦାୟିତ୍ୱରେ ଥିଲେ ଡ. ପ୍ରଫୁଲ୍ଲ କୁମାର ତ୍ରିପାଠୀ ଏବଂ ନିର୍ମଳକାନ୍ତ ମହାନ୍ତି। ହେଲେ ନୂଆ ରୂପରେ ଏହା ଆତ୍ମପ୍ରକାଶ କରିବା ସହିତ ଜନ୍ମ ନେଇଥିଲା ବିବାଦ। ୨୦୧୪ରେ ଅଭିଯୋଗ ଉଠିଲା ଯେ ଏହି ନୂଆ ପ୍ରକାଶନ ବିକୃତ ହୋଇଛି। ସତକୁ ସତ ବର୍ଣ୍ଣବୋଧର ‘ବିଲେଇ’ ଚରିତ୍ରଟି ଆଉ ପ୍ରଥମ ପୃଷ୍ଠାରେ ନ ଥିଲା। ପୁଣି ଛବିଳ ମଧୁ ବର୍ଣ୍ଣବୋଧର ନାଁ ପରିବର୍ତନ ହୋଇ ତାହା ହୋଇଯାଇଥିଲା ‘ଛବିଳ ବର୍ଣ୍ଣବୋଧ’। ‘ମଧୁ’ ନାଁ ବହିରୁ କାଟିଦେବା ହେଉ ଅବା ‘ଣ’ ଫଳା ଉଠାଇ ଦେବା। ପୁଣି ବର୍ଣ୍ଣମାଳାରୁ ଈ,ଋ,ଶ,ଷ ଉଠାଇଦେବା ଯୋଗୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ମହଲ ଏହାକୁ ଗ୍ରହଣ କରିପାରିନଥିଲେ।

ଅନ୍ୟପଟରେ ସରକାର ନିଷ୍ପତ୍ତି ନେଇଥିଲେ ଯେ ରାଜ୍ୟର ବିଚ୍ଛିନ୍ନାଞ୍ଚଳରେ ୫୨ ହଜାର ପ୍ରାଥମିକ ବିଦ୍ୟାଳୟରେ ଏହି ବହି ବଣ୍ଟାଯିବ।

ନୂଆ ବର୍ଣ୍ଣବୋଧର ଉନ୍ମୋଚନ ପାଇଁ ଦିନ ବି ଧାର୍ଯ୍ୟ କରିଥିଲେ। ସ୍ଥିର ହୋଇଥିଲା, ପ୍ରତିଟି ବିଦ୍ୟାଳୟକୁ ପ୍ରାଥମିକ ପର୍ଯ୍ୟାୟରେ ୨ଟି ଲେଖାଏଁ ବହି ଦିଆଯିବ। ହେଲେ ବିବାଦ କିନ୍ତୁ ବହିର ଭାଗ୍ୟ ମୋଡ଼ିଦେଲା। ବିଶିଷ୍ଟ ସାହିତ୍ୟିକା ବୀଣାପାଣି ମହାନ୍ତିଙ୍କ ସମେତ ଅନନ୍ତ ଦେବଦର୍ଶୀ, ସୁରଥ ବେହେରା ଓ ନଟବର ଶତପଥୀ ପ୍ରମୁଖ ପୁସ୍ତକରେ ଅନେକ ତ୍ରୁଟି ଥିବା ଦର୍ଶାଇ ଏହାକୁ ବିରୋଧ କରିବା ପରେ ମାମଲା କୋର୍ଟକୁ ଚାଲିଯାଇଥିଲା। ଏମିତି ଯେ ଭାଷା ପ୍ରତିଷ୍ଠାନ ପକ୍ଷରୁ ୧୪ ଲକ୍ଷ ଟଙ୍କା ଖର୍ଚ୍ଚରେ ଛପା ଯାଇଥିବା ୧ଲକ୍ଷ ୫ହଜାର ବହି ଏବେ ବି କାଠଗଡା ଭିତରେ।

ମିଳିଥିବା ସୂଚନାନୁସାରେ, ବିବାଦରେ ଥିବା କିଛି ହାତଗଣତି ବହି ବିଚ୍ଛିନ୍ନାଞ୍ଚଳରେ ବିତରଣ କରାଯାଇଛି। ତାଲିକାରେ ଥିବା ଅନ୍ୟ ବିଦ୍ୟାଳୟକୁ ଆଉ ସରକାର ଏହି ବହି ପଠାଇବାକୁ ଚାହିଁନାହାନ୍ତି। ଏକ ବନ୍ଦ ଘରେ ପ୍ରାୟ ୧ ଲକ୍ଷରୁ ଅଧିକ ବହିକୁ ତା’ର ଭାଗ୍ୟରେ ଛାଡ଼ିଦେଇ କର୍ତ୍ତୃପକ୍ଷ ତାଲା ଠୁଙ୍କି ଦେଇଛନ୍ତି।

ଏବେ ଭାଷା ପ୍ରତିଷ୍ଠାନ ସଂସ୍କୃତି ବିଭାଗ ଅଧୀନରେ ଅଛି। ଏହି ପ୍ରକାଶନକୁ ୪ ବର୍ଷ ବିିତିଲାଣି। କିନ୍ତୁ ଭୁଲ୍‌କୁ ସଂଶୋଧନ କରାଯାଇପାରିନି କି ମାମଲାକୁ ରଫାଦଫା କରି ଓଡ଼ିଆ ପିଲାଙ୍କ ପାଇଁ ଏହି ଶୁଦ୍ଧ ଓଡ଼ିଆ ଲିଖନର ଚଟି ବହିକୁ ପ୍ରକାଶ ଦିଗରେ ସରକାର ଆଉ କୌଣସି ଠୋସ୍‌ ପଦକ୍ଷେପ ନେଇନାହାନ୍ତି।

ଏ ନେଇ ଓଡ଼ିଆ ଭାଷା ପ୍ରତିଷ୍ଠାନର ଭାରପ୍ରାପ୍ତ ନିର୍ଦେଶିକା ଡ. ତମସାରାଣୀ ଦାସ ମହାପାତ୍ରଙ୍କୁ ପଚାରିବାରେ ସେ କହିଥିଲେ, ଯେଉଁ ବ୍ୟକ୍ତିବିଶେଷ ଏହି ପୁସ୍ତକରେ ତ୍ରୁଟି ଥିବା ଯୋଗୁଁ ବିରୋଧ କରିଥିଲେ ସେମାନଙ୍କଠାରୁ ଚିଠି ଜରିଆରେ ମତାମତ ଲୋଡ଼ା ଯାଇଥିଲା। ସେମାନେ ନିଜର ମତ ବି ଚିଠି ମାଧ୍ୟମରେ ଜଣାଇଛନ୍ତି। ମତାମତ ସହିତ ଏନେଇ ଏକ ରିପୋର୍ଟ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପଠାଯାଇଛି। ମାତ୍ର ଏ ସମ୍ପର୍କରେ ସରକାର କଣ ପଦକ୍ଷେପ ନେଇଛନ୍ତି, ସେ ନେଇ କୌଣସି ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ।

ଏଣେ ଯେଉଁ ଲକ୍ଷାଧିକ ବହି ବନ୍ଦ କୋଠରୀ ଭିତରେ ଅଦରକାରୀ ହୋଇ ପଡ଼ି ରହିଛି, ତାହାର ଭାଗ୍ୟ ବି ପାଷାଣୀ ଅହଲ୍ୟା ସଦୃଶ ପାଲଟି ଯାଇଛି। କେବେ ତା’ର ଭାଗ୍ୟ ଫିଟିବ, ସେନେଇ କାହା ପାଖରେ ଉତ୍ତର ନାହିଁ।

ସମ୍ବନ୍ଧିତ ଖବର