ଶ୍ରୀମନ୍ଦିରରେ ଚାଚେରି ବେଶ, ବେଣ୍ଟବିନ୍ଧା ନୀତି : ମହାପ୍ରଭୁଙ୍କ ଘୋଡ଼ ଓଲାଗି

ପୁରୀ :‌ ପବିତ୍ର ମାଘ ଶୁକ୍ଳ ପଞ୍ଚମୀରେ ଆଜି ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି। ଶୀତ ପାଇଁ ଘୋଡ଼ ଲାଗି ହୋଇଥିବା ମହାପ୍ରଭୁଙ୍କଠାରୁ ଆଜି ଘୋଡ଼ ଓଲାଗି କରାଯାଇଛି। ତେବେ ଶୀତ କମିନଥିବାରୁ ଆଜିଠାରୁ ଦୋଳପୂର୍ଣ୍ଣିମା ପର୍ଯ୍ୟନ୍ତ ମହାପ୍ରଭୁ ସୁକ୍ଷ୍ମ ଜାମା ପରିଧାନ କରିଛନ୍ତି। ଅନ୍ୟପଟେ ଆଜି ମହାପ୍ରଭୁଙ୍କ ଚନ୍ଦନଫଗୁ ଲାଗି ନୀତି, ଚାଚେରି ବେଶ, ବେଣ୍ଟବିନ୍ଧା ନୀତି ଅନୁଷ୍ଠିତ ହୋଇଛି। ରବିବାର ମଧ୍ୟାହ୍ନ ଧୂପ ଶେଷ ହେବା ପରେ ପାଳିଆ ପୁଷ୍ପାଳକ ସେବକମାନେ ଠାକୁରମାନଙ୍କର ମଇଲମ କରି ମାଧାବଳି ଲୁଗା ଲାଗି କରାଇଥିଲେ। ପରେ ଦକ୍ଷିଣ ଘରେ ପକାଯାଇଥିବା ଖଟ ଶେଜ ଉପରେ ଶ୍ରୀଦେବୀ, ଭୂଦେବୀ ଓ ଦୋଳଗୋବିନ୍ଦଙ୍କୁ ବିଜେ କରାଯାଇଥିଲା। ସେଠାରେ ଏହି ଚଳନ୍ତି ପ୍ରତିମାମାନଙ୍କର ଚା‌ଚେରି ବେଶ ଅନୁଷ୍ଠିତ ହୋଇଥିଲା। ପରେ ପରେ ଶ୍ରୀବିଗ୍ରହମାନଙ୍କୁ ଚନ୍ଦନଫଗୁ ଲାଗି ଓ ବନ୍ଦାପନା କରାଯାଇଥିଲା। ପୂଜାପଣ୍ଡା ବିଜେ ପ୍ରତିମାମାନଙ୍କ ଶ୍ରୀଅଙ୍ଗରେ ଆଜ୍ଞାମାଳ ଦେବା ପରେ ବିମାନବଡ଼ୁ ସେବକମାନେ ଘଣ୍ଟ, ଛତା, କାହାଳୀ ସହ ସିଂହଦ୍ବାର ଦେଇ ଠାକୁର ଠାକୁରାଣୀଙ୍କୁ ବିମାନରେ ଜଗନ୍ନାଥ ବଲ୍ଲଭ ମଠକୁ ନେଇଥିଲେ। ସେଠାରେ ବେଣ୍ଟବିନ୍ଧା ନୀତି ପାଇଁ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଥିବା ବେଣ୍ଟ ପୋଖରୀ କୂଳକୁ ଠାକୁର, ଠାକୁରାଣୀ ବିଜେ କରିଥିଲେ। ଏଠାରେ ଭିତରଚ୍ଛ ମହାପାତ୍ର ସେବକ ଶ୍ରୀଅଙ୍ଗରେ ତୀରକମାଣ ସ୍ପର୍ଶ କରାଇବା ପରେ ଲେଙ୍କା ସେବକ ପଇଡ଼କୁ ବେଣ୍ଟ ବିନ୍ଧିଥିଲେ। ବେଣ୍ଟବିନ୍ଧା ନୀତି ଶେଷ ‌ପରେ ଦେବ ପ୍ରତିମାମାନେ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିଥିଲେ। ସଂଧ୍ୟା ଧୂପ ଶେଷ ହେବା ପରେ ଶ୍ରୀମନ୍ଦିର ବେଢ଼ାସ୍ଥିତ ସରସ୍ବତୀଙ୍କ ମନ୍ଦିରରେ ସ୍ବତନ୍ତ୍ର ପୂଜାପାଠ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର