ସ୍ମାର୍ଟସିଟିରେ ଜମିଲା ଛାଡ଼ଖାଇ: ବୋହିନେଲେ ୮୦୦ କ୍ବିଣ୍ଟାଲ ମାଛ ଓ ମାଂସ 

ଆମିଷ ବଜାରରେ ଅସମ୍ଭାଳ ଭିଡ଼

ରାଉରକେଲା : ମଙ୍ଗଳବାର ଦିନ ସରିଥିଲା ଧର୍ମ ମାସ କାର୍ତ୍ତିକ। ବୁଧବାର ଥିଲା ଛାଡ଼ଖାଇ। ବାର ଥିବାରୁ ଛାଡ଼ଖାଇ ବେଶ୍‌ ଜମିଥିଲା। ମାସେ କାଳ ପାଟିରେ ଆମିଷ ବାଜି ନଥିବାରୁ ମାଛ, ମାଂସ ଓ ଚିକେନ୍‌ କିଣିବାକୁ ସକାଳୁ ସକାଳୁ ଆମିଷ ବଜାରେ ଲାଗିଥିବା ଭିଡ। ସହରର ପ୍ରମୁଖ ଆମିଷ ବଜାରେ ଅସମ୍ଭାଳ ଭିଡ ପରିଲକ୍ଷିତ ହୋଇଥିଲା। ଅନ୍ୟ ଦିନ ଠାରୁ ବୁଧବାର ଦିନ କିଛି ଆମିଷ ବଜାରରେ ମାଛ, ମାଂସ ଓ ଚିକେନ ଚଢ଼ା ଦରରେ ବିକ୍ରି ହୋଇଥିଲା। ଗୋଟିଏ ଦିନରେ ପ୍ରାୟ ମାଛ ୨୫ ଟନ୍‌, ମାଂସ ୩୦ ଟନ୍‌ ଓ ଚିକେନ ୨୫ ଟନ୍‌ ଏମିତି ମୋଟ ୮୦ ଟନ୍‌ (୮୦୦ କ୍ବିଣ୍ଟାଲ) ଆମିଷ ବିକ୍ରି ହୋଇଥିବା ବ୍ୟବସାୟୀମାନେ କହିଛନ୍ତି।

ରୋହି, ଭାକୁର, ମିରକାଳି, ପାମ୍ପଲେଟ୍, ଇଲିସି, ବଛୁଆ, କଉ, ମାଗୁର, ଜଳାଙ୍କ, ଖଇଙ୍ଗା, ଚାନ୍ଦି, ବାହାଲ, କଙ୍କଡା,ଚିଙ୍ଗୁଡି, ଚୁନା ମାଛ ଆଦି ବିଭିନ୍ନ ପ୍ରକାର ମାଛ ବିକ୍ରି ହୋଇଥିଲା।ସହରର ପ୍ରମୁଖ ଆମିଷ ବଜାର ସେକ୍ଟର-୧୯ ଇସ୍ପାତ ମାର୍କେଟ, ବାସନ୍ତି ଡିଏଭି ଛକ, ସେକ୍ଟର-୨୧ ଷ୍ଟକ୍ ୟାର୍ଡ, ପାନପୋଷ ଏନ୍ଏସି ମାର୍କେଟ, ପାନପୋଷ ସରକାରୀ କଲେଜ ସମ୍ମୁଖ, କଳିଙ୍ଗ ବିହାର, ସେକ୍ଟର-୧୮ ଡେଲିମାର୍କେଟ, ଆଇଜିଏଚ୍ ମୁଣ୍ଡା ମାର୍କେଟ, ବନ୍ଧମୁଣ୍ଡା, ଫର୍ଟିଲାଇଜର, ଟ୍ରାଫିକଗେଟ୍, ଡେଲିମାର୍କେଟ, ସେକ୍ଟର-୨୦, ସେକ୍ଟର-୨ ଏନ୍ଏସି ମାର୍କେଟ ଆମିଷ ନେବାକୁ ଲୋକଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା।

ଛାଡଖାଇରେ ଚାହିଦା ମୁକାତବକ ସହରବାସୀଙ୍କ ପାଇଁ ହୋଟେଲ, ରେଷ୍ଟୁରାଣ୍ଟ ଓ କ୍ଲବରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସହରବାସୀଙ୍କୁ ଆମିଷର ବିଭିନ୍ନ ପ୍ରକାର ସ୍ବାଦ ଚଖାଇବାକୁ ହୋଟେଲ, ରେଷ୍ଟୁରାଣ୍ଟ ସମେତ ବ୍ଲକଗୁଡ଼ିକ ପକ୍ଷରୁ ମଧ୍ୟ ମାଛ,ମାଂସ ଓ ଚିକନେ୍ରେ ବିଭିନ୍ନ ଆଇଟମ୍ ପ୍ରସ୍ତୁତ କରିଥିଲେ। କିଛି ପ୍ରମୁଖ ହୋଟେଲ, ରେଷ୍ଟୁରାଣ୍ଟରେ ଗ୍ରାହକଙ୍କ ଆମିଷରେ ପ୍ରସ୍ତୁତି ହୋଇଥିଲା ସ୍ବତନ୍ତ୍ର ମେନୁ। ପୁଣି କିଛି ବିକ୍ରେତା ଚମଡ଼ା ଥିବା ଖାସିମାଂସ ବିକ୍ରି କରିଥିଲେ। ଏହାର ସ୍ବାଦ ଖାଲି ମାଂସ ଅପେକ୍ଷା ଖୁବ୍ ଅଧିକ ବୋଲି ଲୋକେ ମନେ କରନ୍ତି। ତେଣୁ ଏହାର ଚହିଦା ମଧ୍ୟ ବେଶ୍‌ ଅଧିକ ଥିଲା। ଏ ପ୍ରକ୍ରିୟା ଅପେକ୍ଷାକୃତ କଷ୍ଟକର ହୋଇଥିବାରୁ କିଛି ନିର୍ଦ୍ଦିଷ୍ଟ ମାଂସ ବିକ୍ରତା ହିଁ ଏହା କରିଥିଲେ। ଏହାର ଦର ମଧ୍ୟ ସ୍ବାଭାବିକ ଭାବେ ଅଧିକ ଥିଲା। ଭଲ ବାର ପଡୁଥିବାରୁ ଅନ୍ୟ ଦିନ ଅପକ୍ଷୋ ଆଜି ଦୁଇଗଣା ମାଛ ଆନ୍ଧପ୍ରଦେଶ, ଛତିଶଗଡ, ନାଗପୁର ସମେତ ଓଡ଼ିଶା ବିଭିନ୍ନ ସ୍ଥାନରୁ ମଗାଯାଇଥିଲା।

ଖୁଚୁରା ବେପାରୀଙ୍କ ଭିଡ ସମ୍ଭାବନା ଥିବାରୁ ହୋଲ୍‌ସେଲ୍‌ ବଜାରରେ ଭୋର ପ୍ରାୟ ୪ଟାରୁ ବିକ୍ରି ଆରମ୍ଭ କରି ସକାଳ ୭ଟା ସୁଦ୍ଧା ଶେଷ ହୋଇଥିଲା। ସହରରେ ପ୍ରମୁଖ ମାଛ ବଜାର ସମେତ ଏହାର ଆଖପାଖରେ ପ୍ରାୟ ୨୦୦ରୁ ଅଧିକ ଖୁଚୁରା ମାଛ ଦୋକାନ ବେଶ୍‌ ଭିଡ ପରିଲକ୍ଷିତ ହୋଇଥିଲା। ସହରରେ ପ୍ରାୟ ୧୦ରୁ ଅଧିକ ହୋଲ୍‌ସେଲ୍‌ ବଏଲର କୁକୁଡା ବ୍ୟବସାୟୀ ଥିବାବେଳେ ୧୫୦ରୁ ଅଧିକ ଖୁଚୁରା କୁକୁଡା ଦୋକାନରେ କୁକୁଡା ବିକ୍ରି ହୋଇଥିଲା। ଦେଶୀ କୁକୁଡାର ପ୍ରମୁଖ ମାର୍କେଟ କୁହାଯାଉଥିବା ଆଇଜିଏଚ୍ ମୁଣ୍ଡା ମାର୍କେଟ, ସେକ୍ଟର-୧୮ ଡେଲିମାର୍କେଟ, ପାନପୋଷ ଏନ୍ଏସି ମାର୍କେଟ ସମେତ ଅନ୍ୟାନ୍ୟ ମାର୍କେଟ ଦେଶୀ କୁକୁଡା ବିକ୍ରି ‌ହୋଇଥିଲା। ସବୁଠୁ ବେଶି ଭିଡ ଜମି ଥିଲା ଖାସି ମାଂସ ଦୋକାନରେ। ଖାସି ମାଂସର ବେଶ୍ ଚାହିଦା ଥିବାରୁ ପୂର୍ବ ଅପେକ୍ଷା ଅଧିକ ସ୍ଥାନରେ ମାଂସ ଦୋକାନ ଖୋଲିଥିଲା। ମୋଟାମୋଟି ଭାବେ ସହରବାସୀ ଛାଡଖାଇର ବେଶ୍ ମଜା ଉଠାଇଥିଲେ।

ସମ୍ବନ୍ଧିତ ଖବର