ଦଉଡ଼ିରେ ବନ୍ଧା ପଡ଼ିଛି ଜୀବନ : ମୁଣ୍ଡରେ ନଡ଼ିଆ ଖସି ପଡ଼ିଥିଲା, ସରକାରୀ ସହାୟତା ବି ଅପହଞ୍ଚ

ଭଞ୍ଜନଗର : ବିଦ୍ୟାଳୟରେ ଭଲ ଛାତ୍ରୀଟିଏ ଥିଲେ ସେ। ସବୁ ପିଲାଙ୍କ ପରି ସ୍କୁଲ ମଧ୍ୟ ଯାଉଥିଲେ। ଆଗକୁ ଭଲ ପାଠ ପଢ଼ି ସଫଳ ହେବାକୁ ସ୍ବପ୍ନ ବି ଦେଖିଥି‌ଲେ। କିନ୍ତୁ ଛୋଟ ଦୁର୍ଘଟଣାଟିଏ ତାଙ୍କ ଭାଗ୍ୟ ଓଲଟପାଲଟ କରିଦେଲା। ଏବେ ସେ ନିଜ କାର୍ଯ୍ୟ ନିଜେ କରିବା ପାଇଁ ଅସମର୍ଥ। ପରିବାର ଲୋକେ ତାଙ୍କ ଦେଖାଶୁଣା କରି କରି ନୟାନ୍ତ ହୋଇ‌ଗଲେଣି। ଦଉଡ଼ି ବାନ୍ଧି ରଖୁଛନ୍ତି। ଏମିତି ଦଉଡ଼ିରେ ବ‌ନ୍ଧା ହୋଇ କଟୁଛି ରିଙ୍କି ପ୍ରଧାନଙ୍କ ଜୀବନ। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ହରିଶରଣପୁର ଗ୍ରାମର ଯୁବତୀ ରିଙ୍କିଙ୍କର ମାନସିକ ବିକୃତି ଦେଖାଦେବା ପରେ ତାଙ୍କୁ ପରିବାର ଲୋକେ ବାଧ୍ୟ ହୋଇ ଦଉଡ଼ିରେ ବାନ୍ଧି ରଖିଛନ୍ତି। ପରିବାର ‌ଲୋକଙ୍କ କହିବାନୁଯାୟୀ, ଏଭଳି ଅବସ୍ଥାରେ ଝିଅ ଥିବା ସତ୍ତ୍ବେ ତା’ପାଇଁ ଭିନ୍ନକ୍ଷମ ପ୍ରମାଣପତ୍ରଟିଏ ହୋଇପାରୁ ନାହିଁ। ସରକାରୀ ସୁବିଧା ମଧ୍ୟ ମିଳିପାରୁ ନାହିଁ।

ଗଣ୍ଡାଧର ପଞ୍ଚାୟତ ଅନ୍ତର୍ଗତ ହରିଶରଣପୁର ଗ୍ରାମରେ ସବିତା ପ୍ରଧାନ ଓରଫ ରିଙ୍କିଙ୍କ ଘର। ପିତା ଗୌରହରି ପ୍ରଧାନ ଓ ମାତା ସାବିତ୍ରୀ ପ୍ରଧାନ। ତିନି ଭଉଣୀ ଓ ଦୁଇ ଭାଇକୁ ନେଇ ୭ ଜଣିଆ ପରିବାର। ପିଲାଟି ଦିନରୁ ରିଙ୍କିର ପାଠ ପ୍ରତି ଆଗ୍ରହ ରହିଥିବା ବେଳେ ଗାଁ ଠାରୁ ଏକ କିଲୋମିଟର ଦୂରରେ ଥିବା ଚିକିଲି ଗ୍ରାମକୁ ପଢ଼ିବାକୁ ଯାଇଥିଲେ। କିନ୍ତୁ ଦିନେ ବାରିପଟେ ଠିଆ ହୋଇଥିବା ବେ‌ଳେ ମୁଣ୍ଡରେ ନଡ଼ିଆ ପଡ଼ି ଯାଇଥିଲା। ଏହାପରେ ପରିବାର ଲୋକେ ରିଙ୍କିକୁ ଭଞ୍ଜନଗର ଚିକିତ୍ସାଳୟ ଓ ବ୍ରହ୍ମପୁର ଚିକିତ୍ସାଳୟକୁ ନେଇଥିଲେ କିନ୍ତୁ ସେ ଭଲ ହୋଇପାରି ନଥିଲେ। ସପ୍ତମ ଶ୍ରେୀରେ ହିଁ ପାଠ ପଢ଼ାରେ ଡୋରି ବନ୍ଧାହେଲା। ସେ ପରିବାର ଲୋକଙ୍କୁ ଭଲ ଭାବରେ ଚିହ୍ନି ପାରୁନଥିଲେ କଥାବାର୍ତ୍ତା ମଧ୍ୟ ଠିକ୍‌ ଭାବେ ହେଉନଥିଲେ। ବହୁ ସମୟରେ ସେ ରାଗି ଯାଉଥିଲେ। ଏଭଳି ଭାବେ ଦିନକୁ ଦିନ ରିଙ୍କିଙ୍କ ମାନସିକ ରୋଗ ବଢ଼ିବାରେ ଲାଗିଲା। ଖାଇବାକୁ ଦେଲେ ଇଚ୍ଛା ହେଲେ ଖାଉଛନ୍ତି ନଚେତ ଫୋପାଡ଼ି ଦେଉଛନ୍ତି। ବହୁ ସମୟରେ ଗାଳିଗୁଲଜ କରିବା ସହ ପାଖରେ ଥିବା ଲୋକଙ୍କୁ କାମୁଡ଼ି ଦେଉଛନ୍ତି। ବାଡ଼ି କିମ୍ବା ହାତରେ ମଧ୍ୟ ଲୋକଙ୍କୁ ପିଟି ଦେଉଛନ୍ତି। ଏଭଳି ଭାବେ ତାଙ୍କର ଉତ୍ପାତ ବଢ଼ୁଥିବାର ‌ବେଳେ ଦେଖାଶୁଣା କରିବା ପରିବାରବର୍ଗଙ୍କ ପକ୍ଷରେ କଷ୍ଟସାଧ୍ୟ ହୋଇପଡୁଛି। ଯାହ ଫଳରେ ରିଙ୍କିକୁ ନିୟନ୍ତ୍ରଣ କରି ରଖିବା ପରିବାର ପକ୍ଷେ ସକ୍ଷମ ହୋଇପାରୁନଥିବାରୁ ଗୋଡ଼ରେ ଦଉଡ଼ି ବାନ୍ଧି ଦେଇଥିବା ବାପା ଗୌରହରି ପ୍ରକାଶ କରିଛନ୍ତି। ଯେଉଁ ସମୟରେ ସେ ସଠିକ ଭାବେ ଖାଦ୍ୟ ଗ୍ରହଣ କରୁଛି ଧୀର ସ୍ଥିର ରହୁଛି। ସେହି ସମୟରେ ପୁଣି ଦଉଡ଼ି ଖୋଲି ଦେଉଛନ୍ତି। ପୁଣି ଆବଶ୍ୟକସ୍ଥଳେ ଦଉଡ଼ି ବାନ୍ଧିବାକୁ ବାଧ୍ୟ ହେଉଛନ୍ତି। ଏଭଳି ପରିସ୍ଥିତିରେ ତାକୁ ଜଣେ ଘରେ ଜଗିବାକୁ ମଧ୍ୟ ପଡୁଛି। ପାଖାପାଖି ୧୦ ବର୍ଷ ଏଭଳି ପରିସ୍ଥିତିରେ ଗତି କରୁଛନ୍ତି ଗୌରହରିଙ୍କ ପରିବାର।

ରିଙ୍କିଙ୍କ ବଡ଼ ଭଉଣୀ ଓ ସାନ ଭଉଣୀ ବିବାହ କରିଥିବା ବେଳେ ଦୁଇ ସାନ ଭାଇ କଟକରେ ରହି କାମ କରି ଟଙ୍କା ପଠାଉଛନ୍ତି। କିଛି ଜମି ରହିଥିବା ବେଳେ ସେତିକରେ ଚାଷ କରି ପରିବାର ଚଳାଉଛନ୍ତି ଗୌରହରି। ରିଙ୍କିର ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା ରହିଥିବା ବେଳେ ତାହା ସମ୍ଭବପର ହୋଇପାରୁ ନାହିଁ। ଯେଉଁ ଘର ଖଣ୍ଡିଏ ଅଛି ସେଥିରେ ଛାତରୁ ପଲସ୍ତରା ଝଡ଼ି ତଳେ ପଡୁଛି। ସରକାରଙ୍କ ପକ୍ଷରୁ ଆବାସ ଯୋଜନାରେ ଘର ଟିଏ ମଧ୍ୟ ମିଳିପାରୁ ନାହିଁ। ରିଙ୍କିର ଭତ୍ତା ପାଇଁ ଆବେଦନ କରିଥିବା ବେଳେ ବ୍ଲକ୍‌ ପ୍ରଶାସନ କାମ ଆଗକୁ ନେଇଥିଲେ କିନ୍ତୁ ଭିନ୍ନକ୍ଷମ ପ୍ରମାଣପତ୍ର ନଥିବାରୁ ଭତ୍ତା ମଧ୍ୟ ହୋଇପାରୁ ନାହିଁ। ଗୌରହରିଙ୍କ କହିବାନୁଯାୟୀ, ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ବହ୍ମପୁର ଚିକିତ୍ସାଳୟକୁ ଯିବା ପାଇଁ ଅଟୋରେ ବାହାରିଥିଲେ। କିନ୍ତୁ ସେହି ଡ୍ରାଇଭରକୁ ପିଟିବା ସହ ଗାଡିରୁ ତଳକୁ ଡେଇଁ ପଡିଥିଲେ ରିଙ୍କି। ଯାହଫଳରେ ତାହୁ ବ୍ରହ୍ମପୁର ଚିକିତ୍ସାଳୟକୁ ନେବା ସମ୍ଭବପର ହୋଇପାରୁ ନାହିଁ। ତେଣୁ ମେଡିକାଲ ପ୍ରମାଣପତ୍ର ହୋଇପାରୁନଥିବାରୁ ଭତ୍ତା ହୋଇ ପାରୁନଥିବା ପରିବାରବର୍ଗ କହିଛନ୍ତି। ସରକାରଙ୍କ ପକ୍ଷରୁ ରିଙ୍କି ପାଇଁ କୌଣସି ସହାୟତା କରିବା ପାଇଁ ଦୁଃଖରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର