ଷ୍ଟାଫ୍‌ ସିଲେକ୍ସନ୍ କମିସନ ଅଧ୍ୟକ୍ଷ ଓ ସଦସ୍ୟଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ: ବିଜୟ ମହାପାତ୍ର

ଭୁବନେଶ୍ବର : ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିସନ (ଓଏସ୍‌ଏସ୍‌ସି)ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିବା ପରେ ଏବେ ଏହି ସଂସ୍ଥାର ବିଶ୍ବାସନିୟତା ନେଇ ବରିଷ୍ଠ ବିଜେପି ନେତା ବିଜେପି ମହାପାତ୍ର ପ୍ରଶ୍ନ ଉଠାଇଛନ୍ତି। ଶ୍ରୀ ମହାପାତ୍ର ଗଣମାଧ୍ୟକୁ କହିଛନ୍ତି, ଷ୍ଟାଫ ସିଲେକ୍ସନ ଦୁର୍ନୀତିରେ କେବଳ କମିସନଙ୍କ ବ୍ୟକ୍ତିଗତ ସଚିବ ନୁହନ୍ତି କମିସନଙ୍କ ସମସ୍ତ ସଦସ୍ୟ ସମ୍ପୃକ୍ତ ଅଛନ୍ତି। ରାଜ୍ୟର ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ଏଥିରେ ଅନ୍ଧକାର ହୋଇଯାଇଛି। କମିସନ ଏବେ କାଠଗଡ଼ାରେ ଛିଡ଼ା ହୋଇଛନ୍ତି। ଷ୍ଟାଫ ସିଲେକ୍ସନ କମିସନରେ ଜୀବିକାକୁ ନିଲାମ କରାଯାଉଛି। ଏହିଭଳି ସମ୍ବେଦନଶୀଳତା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନିଜେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରନ୍ତୁ। ଜୀବିକାକୁ ଆଉ ନିଲାମ ନକରନ୍ତୁ।

ଶ୍ରୀ ମହାପାତ୍ର ଅଭିଯୋଗ ଆଣିଛନ୍ତି ଯେ, ୧୦ବର୍ଷ ହେଲା କମିସନରେ ଏପରି କେଳେଙ୍କାରୀ ଚାଲିଥିଲା। ଯେବେଠୁ ଚାଲିଛି, ଯେଉଁ କମିସନ ଏଥିରେ ସମ୍ପୃକ୍ତ ଅଛନ୍ତି, ସମସ୍ତଙ୍କୁ ତଦନ୍ତ ପରିସରକୁ ଅଣାଯାଉ। କମିସନ ଅଧ୍ୟକ୍ଷ ଓ ସଦସ୍ୟଙ୍କୁ ତୁରନ୍ତ ତଦନ୍ତ ପରିସରଭୁକ୍ତ କରାଯାଉ। କମିସନ ନିଜ ଆଡ଼ୁ ଭିଜିଲାନ୍ସ ତଦନ୍ତର ସମ୍ମୁଖୀନ ହୁଅନ୍ତୁ। ନଚେତ୍ ରାଜ୍ୟ ସରକାର ସେମାନଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ। ସେମାନେ ଯେତେ ଅଧିକ ଦିନ ରହିବେ ସେତେ ତଥ୍ୟ ପ୍ରମାଣ ନଷ୍ଟ କରିବାର ସୁଯୋଗ ପାଇବେ ଓ ସେମାନେ ମଧ୍ୟ କରିବେ। ତେଣୁ ଭିଜିଲାନ୍ସ ନିଜର ତଦନ୍ତକୁ ଅଧପନ୍ତରିଆ ନକରି ନିର୍ଣ୍ଣାୟକ ମୋଡ଼କୁ ଆଣୁ। ଭିଜିଲାନ୍ସ ଏନେଇ ଏକ ପବ୍ଲିକ ନୋଟିସ୍ ଜାରି କରୁ। ଯେଉଁ ପିଲାମାନେ ବା ଚାକିରି ଆଶାୟୀ ଯୁବକଯୁବତୀମାନେ ଏହି କେଳେଙ୍କାରୀର ଶିକାର ହୋଇଛନ୍ତି ସେମାନଙ୍କର ଅଭିଯୋଗ ଗ୍ରହଣ କରି ତଦନ୍ତ ପରିସରକୁ ବଢ଼ାଯାଉ। ଏହି ସମସ୍ତ ପ୍ରକ୍ରିୟାରେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ନିରବଦ୍ରଷ୍ଟା ସାଜିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର