ମାନବାଧିକାର ଆୟୋଗ ଅଧ୍ୟକ୍ଷଙ୍କ ସମ୍ବଲପୁର ଗସ୍ତ, କୁଳପତିଙ୍କ ବିରୋଧରେ ଫେରାଦ ହେଲେ ଆଇନଜୀବୀ, ବୁଦ୍ଧିଜୀବୀ

ସମ୍ବଲପୁର : ସୋମବାର ସମ୍ବଲପୁର ବିଶ୍ବବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମଦାହ ମାମଲାରେ ପୁଲିସ ପ୍ରଶାସନ ପକ୍ଷପାତିତା ନେଇ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ଓଡ଼ିଶା ମାନବାଧିକାର ଆୟୋଗର ଅଧ୍ୟକ୍ଷ ମାନ୍ୟବର ଅବସରପ୍ରାପ୍ତ ବିଚାରପତି ବି.କେ. ପଟେଲଙ୍କ ଦୃଷ୍ଟି ଆକର୍ଷଣ କରିଛି। ସମ୍ବଲପୁର ଡେପ୍‌ଲପ୍‌ମେଣ୍ଟ ଫୋରମ୍ ମଧ୍ୟ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।

ସୋମବାର ଓଡ଼ିଶା ମାନବାଧିକାର ଆୟୋଗର ଅଧ୍ୟକ୍ଷ ମାନ୍ୟବର ଅବସରପ୍ରାପ୍ତ ବିଚାରପତି ବି.କେ. ପଟେଲ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ସମ୍ବଲପୁର ବୁଦ୍ଧିଜୀବୀଙ୍କ ସହିତ ବିଭିନ୍ନ ବର୍ଗର ଲୋକଙ୍କ ସହିତ ମାନବ ଅଧିକାର କାର୍ଯ୍ୟକାରିତା ସଂକ୍ରାନ୍ତରେ ଆଲୋଚନା କରିଥିଲେ। ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଭାପତି ଡ. ପ୍ରମୋଦ ରଥ ଓ ସଂପାଦକ ରବି ରଂଜନ ପୂଜାରୀ ପୁଲିସର ପକ୍ଷପାତିତା ନୀତି ଯୋଗୁ ସମ୍ବଲପୁର ବିଶ୍ବବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ପରିବାର ନ୍ୟାୟ ପାଇବାରୁ ବଂଚିତ ହୋଇଥିବା ଅଭିଯୋଗ କରିଥିଲେ। ମୃତ୍ୟୁକାଳୀନ ଜମାନବନ୍ଦୀ ଥିବା ସ‌ତ୍ତ୍ବେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରିଲା ନାହିଁ। ପୁଲିସର ତଦନ୍ତ ଠିକ୍ ବାଟରେ ଗଲା ନାହିଁ। କେବଳ ଏହି ମାମଲାରେ ନୁହେଁ, ସମ୍ବଲପୁର ଜିଲ୍ଲାରେ ବିଭିନ୍ନ ଥାନାକୁ ଗଲେ ଲୋକମାନଙ୍କୁ ଉଚିତ ବ୍ୟବହାର ମିଳିପାରୁନଥିବା କହିଥିଲେ। ଏପରିକି ଥାନାକୁ ଗଲେ ଅନେକ ସମୟରେ ଏଫ୍‌ଆଇଆର୍‌ କପି ବି ଦିଆଯାଉନାହିଁ। ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନରେ ସରକାରଙ୍କ ଅବହେଳା ଯୋଗୁଁ ପଶ୍ଚିମ ଓଡ଼ିଶାର ଲୋକଙ୍କୁ କଟକ ଦୌଡ଼ିବାକୁ ପଡ଼ୁଛି। ଏସବୁ କ୍ଷେତ୍ରରେ ମାନବ ଅଧିକାରର ଘୋର ଉଲ୍ଲଂଘନ ହେଉଥିବା ଡ. ରଥ ଓ ଶ୍ରୀ ପୂଜାରୀ କହିଥିଲେ।

ଅପରପକ୍ଷରେ ସମ୍ବଲପୁର ଡେପ୍‌ଲପ୍‌ମେଣ୍ଟ ଫୋରମ୍‌ର ଏକ ପ୍ରତିନିଧି ଦଳ ସମ୍ବଲପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସଂଜୀବ ମିତ୍ତଲଙ୍କ ବିରୋଧରେ ଅନେକ ଅଭିଯୋଗ କରିଥିଲେ। ବିଶ୍ବବିଦ୍ୟାଳୟର ପ୍ରଶାସନିକ ଭବନ ସମ୍ମୁଖରେ ଏକ ବଟାନିକାଲ ଗାର୍ଡେନ ରହିଥିଲା। ଭାରତର ପୂର୍ବତନ ରାଷ୍ଟ୍ରପତି ଡ.ଏପିଜେ ଅବଦୁଲ୍ କଲାମ ଏହାର ଉଦ୍‌ଘାଟନ କରିଥିଲେ। କୁଳପତି ତତ୍କାଳୀନ କୁଳସଚିବ ତଥା ବିତ୍ତ ନିୟନ୍ତ୍ରକଙ୍କ ଅଗ‌ୋଚରରେ ଠିକାଦାର ଲଗାଇ ଏହି ସୁନ୍ଦର ବଗିଚାରେ ଥିବା ଗଛଗୁଡ଼ିକୁ କାଟିଦେଲେ। ଗଛଗୁଡ଼ିକ ବାହାର ଲୋକଙ୍କୁ ବିକି ଦିଆଯାଇଛି। ଗଛକାଟିବା ପାଇଁ ଡିଏଫ୍ଓଙ୍କଠାରୁ ଅନୁମତି ବି ନିଆଯାଇନାହିଁ। ଏହା ଦ୍ବାରା ଜଂଗଲ ଆଇନର ଉଲ୍ଲଂଘନ ହୋଇଛି। ବିଶ୍ବବିଦ୍ୟାଳୟର କର୍ମଚାରୀ, ଛାତ୍ରଛାତ୍ରୀମାନଙ୍କୁ ଏହି ଗଛଗୁଡ଼ିକ ଅମ୍ଲଜାନ ଯୋଗାଉ ଥିଲା। ଗଛଗୁଡ଼ିକ କାଟି ଦ୍ବାରା ନାକ୍‌ ଟିମ୍‌ର ଆକଳନ ବେଳେ ଏନାର୍ଜି ଅଡିଟ୍ ଓ ଗ୍ରିନ୍ ଅଡିଟ୍ ପାଇଁ ପ୍ରଦାନ କରାଯାଉଥିବା ମାର୍କ ଆଉ ବିଶ୍ବବିଦ୍ୟାଳୟକୁ ମିଳିବ ନାହିଁ। ଏସବୁ କ୍ଷେତ୍ରରେ ମାନବ ଅଧିକାରର ଉଲ୍ଲଂଘନ ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ ନେବାକୁ ସମ୍ବଲପୁର ଡେପ୍‌ଲପ୍‌ମେଣ୍ଟ ଫୋରମ୍‌ ପକ୍ଷରୁ ଅନୁରୋଧ କରାଯାଇଥିଲା। ଆଦିବାସୀ ଦଳିତ ସେନାର ସଭାପତି ପ୍ରଶାନ୍ତ ହାଓ, ଶ୍ୟାମ ସୁନ୍ଦର ମୁଣ୍ଡା ପ୍ରମୁଖ ଆଦିବାସୀ ଜମି ହଡ଼ପ ହେଉଥିବା ପ୍ରସଂଗ ଉଠାଇଥିଲେ। ସମ୍ବଲପୁର ଜିଲ୍ଲାରେ ଆଦିବାସୀମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ।

ପରେ ମାନବ ଅଧିକାର ଆୟୋଗର ଅଧ୍ୟକ୍ଷ ସମ୍ବଲପୁର ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହିତ ମାନବ ଅଧିକାରର ଯେପରି ଉଲ୍ଲଂଘନ ନହୁଏ ସେଥିପ୍ରତି ବେଶ୍‌ ଯତ୍ନବାନ ରହିବାକୁ କହିଥିଲେ। ବରିଷ୍ଠ ନାଗରିକ ଏବଂ ଅସହାୟ ଅବସ୍ଥାରେ ରହୁଥିବା ବରିଷ୍ଠ ନାଗରିକ ଦମ୍ପତିଙ୍କ ଚିହ୍ନଟ କରି ସେମାନଙ୍କ ଆବଶ୍ୟକ ପଦକ୍ଷେପ ନେବାକୁ ସାମାଜିକ ସୁରକ୍ଷା ବିଭାଗର ଅଧିକାରୀମାନଙ୍କୁ କହିଥିଲେ। ଭାରପ୍ରାପ୍ତ ଜିଲ୍ଲାପାଳ ସୁକାନ୍ତ ତ୍ରିପାଠୀ, ଏସ୍‌ପି ବି. ଗଂଗାଧରଙ୍କ ସହିତ ଜେଲ୍‌ ଅଧୀକ୍ଷକ, ଡିଏଫ୍ଓ ଏବଂ ଅନ୍ୟ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର