ରାଜ୍ୟପାଳଙ୍କୁ ବାର୍ଷିକ ରିପୋର୍ଟ ଦେଲେ ଲୋକସେବା ଆୟୋଗ ଅଧ୍ୟକ୍ଷ

ଚଳିତବର୍ଷ ସର୍ବାଧିକ ନିଯୁକ୍ତି ସୁପାରିସ କରିବେ ଆୟୋଗ

ଭୁବନେଶ୍ବର : ଓଡ଼ିଶା ଲୋକ ସେବା ଆୟୋଗ ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ୨୦୨୧-୨୨ର ବାର୍ଷିକ ରିପୋର୍ଟ ପ୍ରଦାନ କରିଛନ୍ତି। ଶ୍ରୀ ମହାନ୍ତି ଓଡ଼ିଶା ଲୋକ ସେବା ଆୟୋଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ। ୨୦୨୧-୨୨ରେ ଆୟୋଗଙ୍କ ପକ୍ଷରୁ ପ୍ରଥମ କରି ଏକ ନିଯୁକ୍ତି କ୍ୟାଲେଣ୍ଡର ପ୍ରକାଶ ପାଇଛି।

ଶ୍ରୀ ମହାନ୍ତି କହିଥିଲେ ଯେ କୋଭିଡ଼୍‍ ସମେତ ଅନେକ ବାଧାବିଘ୍ନକୁ ଅତିକ୍ରମ କରି ଆୟୋଗ ଘୋଷିତ ଲକ୍ଷ୍ୟ ପୂରଣରେ ସମର୍ଥ ହୋଇପାରିଛି। ଏହି ସମୟରେ ଗ୍ରୁପ୍‍-‘ଏ’ ଓ ‘ବି’ ରେ ୨୨୭୭ ପ୍ରାର୍ଥୀଙ୍କୁ ନିଯୁକ୍ତି ପାଇଁ ସୁପାରିସ କରିବା ସହ ୨୨ଟି ସରକାରୀ ବିଭାଗରେ ୧୫୩୬ ପଦୋନ୍ନତିକୁ ଆୟୋଗ ସ୍ୱୀକୃତି ପ୍ରଦାନ କରିଛନ୍ତି। ୨୨୪ଟି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଫଇସଲା କରାଯାଇଛି। ଆୟୋଗ ୨୦୨୨-୨୩ ପାଇଁ ୨୬ଟି ସରକାରୀ ବିଭାଗରେ ପାଞ୍ଚ ହଜାରରୁ ଅଧିକ ସରକାରୀ ଚାକିରି ପାଇଁ ନିଯୁକ୍ତି କ୍ୟାଲେଣ୍ଡର ପ୍ରକାଶ କରିଛନ୍ତି।

ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଶୀଘ୍ର ଫଳ ପ୍ରକାଶନ ଉପରେ ଆୟୋଗ ଗୁରୁତ୍ୱ ଦେଉଛନ୍ତି। ଶୀଘ୍ର ଫଳ ପ୍ରକାଶନକୁ ଅଗ୍ରାଧିକାର ଦିଆଯାଉଛି। ଅନଲାଇନ୍‌ ପୋର୍ଟାଲ ଓ ସମନ୍ୱିତ ନିଯୁକ୍ତି ପରିଚାଳନା ପଦ୍ଧତିର ଉନ୍ନତିକରଣ କରି ଏହାକୁ ବ୍ୟବହାରୀମାନଙ୍କ ପାଇଁ ସହଜ ଓ ସରଳ କରିବା ପାଇଁ ପ୍ରୟାସ କରାଯାଉଛି। ଚୟନ ପ୍ରକ୍ରିୟାରେ କମ୍ପ୍ୟୁଟରଭିତ୍ତିକ ପରୀକ୍ଷା ପଦ୍ଧତିକୁ ଗୁରୁତ୍ୱ ଦେଇ ମୂଲ୍ୟାୟନରେ ପ୍ରାର୍ଥୀମାନଙ୍କ ପରିଚୟକୁ ଗୋପନ ରଖିବା ନିମନ୍ତେ ଉଦ୍ୟମକୁ ଆହୁରି ଫଳପ୍ରସୂ କରାଯାଉଛି। ଚଳିତ ବର୍ଷ ପରୀକ୍ଷା ଫଳାଫଳ ଶୀଘ୍ର ପ୍ରକାଶନ ଲକ୍ଷ୍ୟରେ ‘ଅନସ୍କ୍ରିନ୍’ମୂଲ୍ୟାୟନ ପଦ୍ଧତିର ପ୍ରଚଳନ କରାଯାଉଛି। ଓଡ଼ିଶା ଲୋକ ସେବା ଆୟୋଗ ଚଳିତ ବର୍ଷ ସର୍ବାଧିକ ନିଯୁକ୍ତ ସୁପାରିସ କରିବେ ବୋଲି ଶ୍ରୀ ମହାନ୍ତି କହିଥିଲେ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆୟୋଗଙ୍କ ସଂସ୍କାରମୂଳକ ଓ ପ୍ରଗତିଶୀଳ କାର୍ଯ୍ୟର ପ୍ରଶଂସା କରିବା ସହ ଏହାକୁ ଆହୁରି ବ୍ୟାପକ କରିବାକୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର