ଅଚଳ କରିଦେଲେ : ମହିଳା, ଭିନ୍ନକ୍ଷମ କମିସନରେ ଅଧ୍ୟକ୍ଷ ନାହାନ୍ତି, ଖାଦ୍ୟ କମିସନରେ ଅଚଳାବସ୍ଥା

ସୂଚନା କମିସନ କଥା ନ କହିବା ଭଲ, ବିଚାର ଅପେକ୍ଷାରେ ହଜାର ହଜାର ମାମଲା

ଭୁବନେଶ୍ବର : ରାଜ୍ୟରେ ୩ କମିସନରେ ଅଧ୍ୟକ୍ଷ ପଦବି ଖାଲି ପଡ଼ିଛି। କେବଳ ଅଧ୍ୟକ୍ଷ ପଦବି ଖାଲି ପଡ଼ିନାହିଁ ମାମଲାଗୁଡ଼ିକର ବିଚାର ମଧ୍ୟ ଠପ୍ ହୋଇଯାଇଛି। ଆଉ ଏକ କମିସନ ସ୍ଥିତି ବି ସାଂଘାତିକ । ଏହାସହ ଆବଶ୍ୟକ ଅଧିକାରୀଙ୍କ ଅଭାବରୁ ଏକାଧିକ କମିସନ ଏକପ୍ରକାର ସ୍ଥାଣୁ ହୋଇଯାଇଛି। ବିଭିନ୍ନ କମିସନଙ୍କ ନିକଟରେ ହଜାର ହଜାର ମାମଲା ପଡ଼ି ରହିଥିବା ବେଳେ ତ୍ବରିତ ବିଚାର ଅଭାବରୁ ମାମଲା ତାଲିକା ଲମ୍ବି ଚାଲିଛି। ଲୋକଙ୍କୁ ନ୍ୟାୟ ମିଳିପାରୁ ନାହିଁ। ପରିସ୍ଥିତି ଏପରି ହୋଇଛି ଯେ, ମାନବାଧିକାର କମିସନ ଅଧିକାରୀଙ୍କ ଅଭାବରୁ ନିଜ ଆଡ଼ୁ ମଧ୍ୟ ମାମଲା ଦାୟର କରିବାରେ ପଛଘୁଞ୍ଚା ଦେଉଛନ୍ତି। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଖାଲି ପଡ଼ିଥିବା ପଦବି ପୂରଣ ପାଇଁ ଆଗ୍ରହ ନ ଦେଖାଇବା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।

ବିଭିନ୍ନ କ୍ଷେତ୍ରରେ ମାମଲାର ତ୍ବରିତ ବିଚାର ପାଇଁ ଏକାଧିକ କମିସନ ଗଠନ କରାଯାଇଛି। ଗତବର୍ଷ ନଭେମ୍ବର ମାସରେ ରାଜ୍ୟ ମହିଳା କମିସନ ଓ ଭିନ୍ନକ୍ଷମ କମିସନର ଅଧ୍ୟକ୍ଷା ପଦବିରୁ ଲୋପାମୁଦ୍ରା ବକ୍ସିପାତ୍ର ଓ ମିନତି ବେହେରା ଇସ୍ତଫା ଦେଇଥିଲେ। ଚଳିତବର୍ଷ ରାଜ୍ୟ ଖାଦ୍ୟ କମିସନର ଅଧ୍ୟକ୍ଷ ରଙ୍ଗଲାଲ ଜାମୁଦାଙ୍କ କାର୍ଯ୍ୟକାଳ ଶେଷ ହେବା ଯୋଗୁଁ ଅଧ୍ୟକ୍ଷ ପଦବି ଖାଲି ପଡ଼ିଛି।

ଏସବୁ କମିସନଗୁଡ଼ିକରେ ହଜାର ହାଜର ମାମଲା ବିଚାରାଧୀନ ରହିଛି। ଉଲ୍ଲେଖନୀୟ ବିଷୟ ହେଉଛି, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁସାରେ ରାଜ୍ୟରେ ଖାଦ୍ୟ କମିସନଙ୍କ ପାଇଁ ଯେଉଁ ରୁଲ ଫ୍ରେମ୍‌ ହେବାର ଆବଶ୍ୟକତା ରହିଛି ତାହା ମଧ୍ୟ ହୋଇପାରି ନାହିଁ। ମାମଲାର ଶୁଣାଣି, ଫଏସଲା, ଦଣ୍ଡବିଧାନ ଏସବୁ ପାଇଁ ଆଇନ ପ୍ରଣୟନ ହୋଇନାହିଁ। ଯାହାଫଳରେ ଖାଦ୍ୟ କମିସନ ଅଚଳ ପ୍ରାୟ ପଡ଼ିରହିଛି। କମିସନଙ୍କ ନିକଟରେ ୮ହଜାରରୁ ଅଧିକ ମାମଲା ବିଚାରାଧୀନ ରହିଥିବା କୁହାଯାଉଛି।

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ, ୨୦୧୫ରୁ ୨୦୧୮ ମସିହା ମଧ୍ୟରେ ରାଜ୍ୟ ଭିନ୍ନକ୍ଷମ କମିସନ ୩୬୪ଟି ମାମଲାର ଶୁଣାଣି କରିଥିଲେ। ୭ଶହରୁ ଅଧିକ ମାମଲା କମିସନଙ୍କ ନିକଟରେ ବିଚାରଧୀନ ରହିଥିବା ଜଣାପଡ଼ିଛି।

ରାଜ୍ୟ ମାନବାଧିକାର କମିସନ୍‌ରେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତ ହୋଇ ନାହାନ୍ତି। ଜଷ୍ଟିସ୍ ରଘୁବୀର ଦାସ କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ବ ତୁଲାଉଛନ୍ତି। କମିସନରେ ଅନ୍ୟ ଦୁଇ ସଦସ୍ୟ ପଦବି ମଧ୍ୟ ଖାଲି ରହିଛି। ଦୀର୍ଘଦିନ ହେବ ମାନବାଧିକାର କମିସନରେ ସ୍ଥାୟୀ ଅଧ୍ୟକ୍ଷ ସହିତ ଅନ୍ୟ ସଦସ୍ୟ ନ ଥିବାରୁ ଫୁଲ୍‌ ବେଞ୍ଚରେ କୌଣସି ମାମଲାର ଶୁଣାଣି ହୋଇନାହିଁ। ମାନବାଧିକାର କମିସନଙ୍କ ନିକଟରେ ମଧ୍ୟ ହଜାର ହଜାର ମାମଲା ପଡ଼ି ରହିଛି।

ନିକଟରେ ଏକ ବୈଠକରେ ଜଷ୍ଟିସ୍ ଦାସ ଅଧିକାରୀ ପଦବି ଖାଲି ରହିଥିବାରୁ ମାନବାଧିକାର ଉଲ୍ଲଂଘନ ଘଟଣାରେ ନିଜ ଆଡ଼ୁ ମାମଲା କରିବା ସମ୍ଭବ ନୁହେଁ ବୋଲି ନିଜର ଅସହାୟତା ପ୍ରକାଶ କରିଥିଲେ। ଏପରିକି ଅନେକ ମାନବାଧିକାର କର୍ମୀ ଖବରକାଗଜ କଟିଂକୁ ସିଧାସଳଖ କମିସନଙ୍କ ନିକଟକୁ ପଠାଉଥିବାରୁ କମିସନ ସମସ୍ୟାରେ ପଡ଼ୁଥିବା ମଧ୍ୟ କହିଥିଲେ।

ରାଜ୍ୟ ସୂଚନା କମିସନରେ ମଧ୍ୟ ହଜାର ହଜାର ମାମଲା ପଡ଼ି ରହିଛି। ସୂଚନା କମିସନରେ ଜଣେ ମୁଖ୍ୟ କମିସନଙ୍କ ସମେତ ୨ଜଣ କମିସନର ରହିଥିଲେ ହେଁ ମାମଲାଗୁଡ଼ିକର ତ୍ବରିତ ବିଚାର ହୋଇପାରୁ ନାହିଁ।

ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କ କହିବାନୁଯାୟୀ, ଯେଉଁ ଢଙ୍ଗରେ ସୂଚନା କମିସନରେ ମାମଲାର ଶୁଣାଣି ଚାଲିଛି, ଯଦି ଏହା ଜାରି ରହେ ତେବେ ସଂପୂର୍ଣ୍ଣ ମାମଲାର ଫଇସଲା ହେବା ପାଇଁ ୫ବର୍ଷରୁ ଅଧିକ ସମୟ ଲାଗିବ।

ମାନବାଧିକାର କର୍ମୀ ଅଖଣ୍ଡ କହିଛନ୍ତି, ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ୧୦ହଜାରରୁ ଅଧିକ ମାମଲା ପଡ଼ି ରହିଛି। ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତ ନ ହେବା ସହିତ ସଦସ୍ୟ ପଦବି ଖାଲି ରହିବା ଯୋଗୁଁ ମାମଲା ବିଚାର ହୋଇପାରୁନାହିଁ।

ସମ୍ବନ୍ଧିତ ଖବର