ଘଟଗାଁ: ମା’ ତାରିଣୀ ଠାକୁରାଣୀଙ୍କ ଚଇତି ପର୍ବ ଆସନ୍ତା ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ମା’ଙ୍କ ପୀଠକୁ ସଜ୍ଜିତ କରାଯିବା ସହ ସ୍ବାଗତ ତୋରଣ ନିର୍ମାଣ କରାଯାଉଛି। ୯ ତାରିଖରେ ମା’ଙ୍କ ଷୋଡ଼ଶ ଉପଚାର ପୂଜା ସହ ମଙ୍ଗଳ ଆଳତି, ବଡ଼ସିଂହାର ପୂଜା କରାଯିବ। ପ୍ରତିଦିନ ମା’ଙ୍କ ସୁନାବେଶ କରାଯିବ। ଘଟଗାଁ ବ୍ରାହ୍ମଣ ସମାଜ ପକ୍ଷରୁ ଦେବୀସ୍ତୁତି ଓ ଗୀତାପାଠ କରାଯିବ। ଏହାଛଡ଼ା ପୀଠରେ ଭାଗବତ ପାଠ, ଚଣ୍ତୀପାଠ ଓ ପାଲାମଣ୍ତପରେ ସତ୍ୟନାରାୟଣ ପୂଜା ଅନୁଷ୍ଠିତ ହେବ। ସକାଳ ୯ରୁ ଭୋର ପର୍ଯ୍ୟନ୍ତ ୫ଟି ପର୍ଯ୍ୟାୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।
୯ ତାରିଖରେ ମା’ ତାରିଣୀ ନୃତ୍ୟ ଶିକ୍ଷାକେନ୍ଦ୍ର, ଘଟଗାଁ, ଭଦ୍ରକର ସ୍ବର ସାଧନା, ଘଟଗାଁ ମା’ ତାରିଣୀ ସୁର ସଂଗୀତ ଅନୁଷ୍ଠାନର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଗାୟତ୍ରୀ ପରିବାର ପକ୍ଷରୁ ଦୀପଯଜ୍ଞ ବାଦୀପାଲା ଅନୁଷ୍ଠିତ ହେବ। ୧୦ରେ ଗାୟକ ଯୁବସମ୍ରାଟ ନୃସିଂହ ଚରଣ ହୋତା ଓ ଗାୟକ ଜ୍ଞାନବାରିଧି ଭାସ୍କର ଚନ୍ଦ୍ର ସାହୁ ପାଲା, କେନ୍ଦୁଝରର ଇନ୍ଦ୍ରଧନୁ, ମାନସୀ ପାତ୍ର ଓ ତାଙ୍କ ସହଯୋଗୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ସେହିପରି ମାହାଙ୍ଗାର ବୈଷ୍ଣବ ପାଣି ଘୋଡ଼ାନାଚ, ଗୁରୁପ୍ରସାଦ ମହାପାତ୍ରଙ୍କ ଦ୍ବାରା ପ୍ରବଚନ ଏବଂ ବାଦୀପାଲା ପରିବେଷଣ କରାଯିବ। ୧୧ରେ ବୀଣାପାଣି କଳାନିକେତନ, ଅସୀମା ପଣ୍ତା ଓ ସାଥୀ, କଟକର ସିଂହମ ଡ୍ୟାନ୍ସ ଗ୍ରୁପ୍ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ, ଗୁରୁପ୍ରସାଦ ମହାପାତ୍ର ପ୍ରବଚନ ଦେବେ। ୧୨ରେ କେନ୍ଦୁଝର ବର୍ଷା କ୍ଲବ୍, କଟକର ଶ୍ରୀକ୍ଷେତ୍ର ଭଜନ ସଂଧ୍ୟା, ଶୈଳଭାମା ମହାପାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ।
ଏହାଛଡ଼ା ଖୋର୍ଦ୍ଧାର ପାଇକ ଆଖଡା ପ୍ରଦର୍ଶନ ଏବଂ କୁନି ପ୍ରବଚକ କେଶବ ଦାସ ଦ୍ବିତୀକୃଷ୍ଣ ପ୍ରଚବତ ଦେବେ। ୧୩ରେ ବଡ଼ବିଲର ସାଇକଳା କେନ୍ଦ୍ର, କଟକର ନୃତ୍ୟାଙ୍ଗ, କଟକର ନଟରାଜ ଡ୍ୟାନ୍ସ ଗ୍ରୁପ୍ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ସ୍ବାମୀ ବ୍ରହ୍ମାନନ୍ଦ ସ୍ବରସତୀ ପ୍ରବଚନ ଦେବେ। ୧୪ରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଅଖଣ୍ତ ଭଜନ ସନ୍ଧ୍ୟା ସାଙ୍ଗକୁ ପ୍ରବଚକ ପ୍ରମୋଦ ପୃଷ୍ଟି ପ୍ରବଚନ ଦେବେ। ୧୫ରେ କେନ୍ଦୁଝରର ଆମେ ଓଡ଼ିଆ, ପୁରୀର ଶିଳ୍ପୀ, ସମ୍ବଲପୁରର ରଙ୍ଗଫରୁଆ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ପ୍ରବଚକ ପ୍ରମୋଦ ପୃଷ୍ଟି ପ୍ରବଚନ ଦେବାର କାର୍ଯ୍ୟକ୍ରମ ରହିଛି।