କରୋନା ପାଇଁ ଚଇତି ପରବ ନୋହିଲା, ପାରଂପାରିକ ରୀତିରେ ଘରେ ହେଲା ପୂଜା

ଶିକାରକୁ ଯାଇପାରିଲେନି ଆଦିବାସୀ

ମାଲକାନଗିରି: ଚଇତି ପରବକୁ ଅନେଇ ବସିଥାନ୍ତି ଆଦିବାସୀ। ମାସ ତମାମ ପାଳନ ହେଉଥିବା ଏହି ପର୍ବ ଆଦିବାସୀଙ୍କ ଜୀବନ ଓ ସଂସ୍କୃତି ସହ ଜଡ଼ିତ। ଏହି ମାସରେ ପ୍ରବାସୀ ଚାଲି ଆସନ୍ତି ନିଜ ଗାଁକୁ। ଭୋଜିଭାତ ସହ ନାଚଗୀତରେ ଗାଁ ଦାଣ୍ଡ କମ୍ପିଉଠେ। ଅନାଦି କାଳରୁ ପାଳନ ହୋଇ ଆସୁଥିବା ଏହି ପର୍ବ ପାଳନରେ ଚଳିତ ବର୍ଷ ବଡ଼ ବ୍ୟତିକ୍ରମ ହୋଇଛି। ରୀତିନୀତିକୁ ଯଦିଓ ପାଳନ କରାଯାଇଛି, କିନ୍ତୁ କରୋନା ଜନିତ କଟକଣା ଯୋଗୁଁ ଅନେକ ପ୍ରଥା ଓ ପରଂପରାକୁ ବନ୍ଦ କରିବାକୁ ଆଦିବାସୀ ବାଧ୍ୟ ‌ହୋଇଛନ୍ତି। ଏଥିରେ ମନରେ ରହିଛି କ୍ଷୋଭ, ହେଲେ ସରକାରଙ୍କ ନିଷ୍ପତ୍ତିକୁ ସଚେତନ ଆଦିବାସୀ ସମର୍ଥନ ଜଣାଇଛନ୍ତି।

ଓଡ଼ିଆରେ କରୋନା ଭୂତାଣୁର ଭୟାବହତା ସେତେଟା ନାହିଁ। ତଥାପି ସରକାର ଆଗକୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ଜନଗହଳି ଉପରେ କଟକଣା ଲଗାଇ ଯାନିଯାତ୍ରା ଏବଂ ମହୋତ୍ସବ ଉପରେ ରୋକ ଲଗାଇଛନ୍ତି। ତେଣୁ ମାଲକାନଗିରି ଜିଲ୍ଲାରେ ବସବାସ କରୁଥିବା ଆଦିବାସୀ ଚଳିତ ବର୍ଷ ବଡ଼ଧରଣର ଉତ୍ସବ ଚଇତି ପରବ ପାଳନରୁ ବଞ୍ଚିତ ହୋଇଛନ୍ତି। ବିଶେଷ କରି ଏହି ପର୍ବ ସମୟରେ ଆଦିବାସୀମାନେ ବେଣ୍ଟ (ଶିକାର)ର ମଜା ମଧ୍ୟ ଉଠାଇଥାନ୍ତି। ରାଜରାସ୍ତାକୁ ଅବରୋଧ କରି ପାଜର (ଟଙ୍କା) ମାଗିବା ସହ ସେହି ଟଙ୍କାରେ ଭୋଜିଭାତ ଆୟୋଜନ କରିଥାନ୍ତି। କିନ୍ତୁ କରୋନା ଯୋଗୁଁ କୌଣସି ଗ୍ରାମରେ ନା ପାରଂପରିକ ବାଜା ବାଜୁଛି, ନା ନାଚଗୀତର ଆସର ଜମୁଛି। ପରଂପରାକୁ ବଞ୍ଚାଇ ରଖିବାକୁ ଲୋକେ ଘରେ ରହି ଯଥାରୀତି ପୂଜାର୍ଚ୍ଚନା କରୁଛନ୍ତି। ପୁଲିସ ଭୟରେ ଲୋକେ ବାହରକୁ ବାହାରୁ ନଥିବା ବେଳେ ଦିଶାରୀ (ପୂଜକ)ଙ୍କ ଆଦେଶ ଅନୁଯାୟୀ ପରିବାର ମଧ୍ୟରେ ସବୁ ପରଂପରାକୁ ସାରି ଦେଉଥିବା ଦେଖିବାକୁ ମିଳିଛି।

ଏହି ପରବରେ ଆଦିବାସୀ ଆମ୍ବ ନୂଆ ଖାଇବା ସହ ନୂଆ ମହୁଲ ଫୁଲ, ମକା ଇତ୍ୟାଦି ଖାଇବା ବିଧି ରହିଛି। ସେହିପରି ନୂଆ ପୋଷାକ ପିନ୍ଧି ସଂପର୍କୀୟଙ୍କ ଘରକୁ ଯିବା ପ୍ରଥା ରହିଛି। ତେବେ ଏଥର କେବଳ ଔପଚାରିକତା ମଧ୍ୟରେ ଏହି ପରବକୁ ସାରିଦେଲେ। କୁକୁଡ଼ା ବଳି ବଦଳରେ କେବଳ ନଡିଆରେ ପୂଜାକୁ ସାରି ଦେଉଥିବା ଦେଖିବାକୁ ମିଳିଛି। ଶହ ଶହ ବର୍ଷ ହେଲା ଏଠାକାର ଆଦିବାସୀ ପର୍ବ ସମୟରେ ଶିକାର କରିବାକୁ ଜଙ୍ଗଲକୁ ଯାଉଛନ୍ତି। ଏଥର ତାହା ମଧ୍ୟ ବନ୍ଦ ହୋଇଯାଇଛି। ଯାହାକୁ ବୁଦ୍ଧିଜୀବୀ ସ୍ବାଗତ କରି କରୋନା ବନ୍ୟଜନ୍ତୁଙ୍କ ପାଇଁ କିଛିଟା ଶୁଭ ସମୟ ଆଣିଛି ବୋଲି ମତ ପ୍ରକାଶ ପାଇଛି। ଏତେବଡ଼ ପର୍ବ ସମୟରେ ଗାଁ ଗୁଡ଼ିକ ଖାଁ ଖାଁ ଲାଗୁଛି। ରାସ୍ତାଗୁଡ଼ିକ ଶୂନଶାନ ରହିଛି। ତେବେ ଜୀବନ ଥିଲେ ଆସନ୍ତା ବର୍ଷକୁ ଏହି ପରବ ଜାକଜମକରେ ପାଳିବେ ବୋଲି କିଛି ଆଦିବାସୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର