ଏପ୍ରିଲ ପହିଲାରୁ ଚୈତ୍ର ପର୍ବ: ମା’ ମଝିଘରିଆଣୀ ମନ୍ଦିରରେ ସ୍ଥାପନ ହେଲା ଶୁଭଖୁଂଟି

ମା’ଙ୍କ ସୁନାବେଶ ସହ ବିଶ୍ୱଶାନ୍ତି ଯଞ ଅନୁଷ୍ଠିତ ହେବ

ରାୟଗଡ଼ା: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିରରେ ଚୈତ୍ର ପର୍ବ ପାଳନ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଛି ମନ୍ଦିର ପରିଚାଳନା କମିଟି। ଏହି ଅବସରରେ ଆଜି ପୂର୍ବାହ୍ନରେ ମା’ଙ୍କ ମନ୍ଦିର ପ୍ରାଙ୍ଗଣରେ ଚୈତ୍ର ପର୍ବ ପାଳନକୁ ନେଇ ଶୁଭଖୁଂଟି ସ୍ଥାପନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର ଟ୍ରଷ୍ଟି ଅଧ୍ୟକ୍ଷ ରାଇସିଂ ବିଡିକା, ସଭ୍ୟ ଭି.ଶ୍ରୀନିବାସ ରାଓ, ପି.ବାସୁଦେବ ରାଓ, ରାଧାକୃଷ୍ଣ ଦଳେଇ, ଦେବେନ୍ଦ୍ର ବେହେରା, ବି ସତ୍ୟ ନାରାୟଣଙ୍କ ସମେତ ମନ୍ଦିର ଅଧୀକ୍ଷକ, କର୍ମଚାରୀ ପ୍ରମୁଖଙ୍କ ଉପସ୍ଥିତିରେ ପୂଜକମାନେ ଶୁଭଖୁଂଟି ସ୍ଥାପନା କରିଥିଲେ।
ଆସନ୍ତା ଏପ୍ରିଲ ୧ ଠାରୁ ୫ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ମନ୍ଦିରରେ ଚୈତ୍ର ପର୍ବ ପାଳନ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ବିଡିକା ପ୍ରକାଶ କରିବା ସହ ଏହି ୫ ଦିନରେ ମା’ଙ୍କ ସୁନାବେଶକୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଦେଖିବାର ସୁଯୋଗ ପାଇ ଆଶୀର୍ବାଦ ଲାଭ କରିବେ ବୋଲି କହିଛନ୍ତି। ଏଥିସହ ବିଶ୍ୱଶାନ୍ତି ଯଜ୍ଞ ମଧ୍ୟ ଅନୁଷ୍ଠିତ ହେବ। ଶୁକ୍ରବାର ଠାରୁ ନିମନ୍ତ୍ରଣ ପତ୍ର ପଠାଯାଇ ଜିଲ୍ଳା ସମେତ ରାଜ୍ୟ ଓ ପଡୋଶୀ ଆନ୍ଧ୍ର, ତେଲଙ୍ଗାନା, ଛତିଶଗଡ଼ ଭଳି ରାଜ୍ୟର ଶ୍ରଦ୍ଧାଳୁଙ୍କୁ ଏହି ଚୈତ୍ର ପର୍ବରେ ଅଧିକ ସଂଖ୍ୟାରେ ସାମିଲ ହୋଇ ମା’ଙ୍କ ଆଶୀର୍ବାଦ ଲାଭ କରିବାକୁ ପ୍ରୟାସ କରିବୁ ବୋଲି ଅଧ୍ୟକ୍ଷ ଶ୍ରୀ ବିଡିକା କହିଛନ୍ତି।
ସେହିପରି ଉକ୍ତ ୫ଦିନରେ କଡ଼ାସୁରକ୍ଷା ମଧ୍ୟରେ ଶ୍ରଦ୍ଧାଳୁମାନେ କିପରି ମା’ ଦର୍ଶନ ସୁବିଧାରେ କରିପାରିବେ ସେ ବନ୍ଦୋବସ୍ତ କରାଯିବା ସହ ମନ୍ଦିରରେ ପାନୀୟ ଜଳ ବ୍ୟବସ୍ଥା, ଅନ୍ନ ପ୍ରସାଦ ବଂଟନ ବ୍ୟବସ୍ଥା ସହ ଶ୍ରଦ୍ଧାଳୁମାନେ କିପରି ଯାତାୟାତ କରିପାରିବେ ସେଥିପାଇଁ ବସଗାଡିର ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି କହିଛନ୍ତି। ଚୈତ୍ର ପର୍ବ ସମୟରେ ପାରମ୍ପରିକ ରୀତିନୀତି ଅନୁଯାୟୀ ମା’ଙ୍କ ସହର ଗମନ କାର୍ଯ୍ୟକ୍ରମ ରହିଛି। ବାଦ୍ୟଘଂଟର ତାଳେ ତାଳେ ମା’ଙ୍କ ଘଂଟ ସହରର ବିଭିନ୍ନ ସ୍ଥାନକୁ ବୁଲାଯିବ। ଚୈତ୍ର ଶୁକ୍ଳ ପ୍ରତିପଦା ଠାରୁ ନବମୀ ପର୍ଯ୍ୟନ୍ତ ନଅ ଦିନ ଧରି ଯେଉଁମାନେ ନବରାତ୍ର ପାଳନ କରିଥାନ୍ତି ସେମାନେ ମା’ଙ୍କ ମନ୍ଦିରରେ ଅଖଣ୍ଡ ଦୀପ ପ୍ରଜ୍ୱଳନ କରିଛନ୍ତି ବୋଲି ପୂଜକ ପ୍ରକାଶ କରିଛନ୍ତି।
ସମ୍ବନ୍ଧିତ ଖବର