ଚକଡ଼ା ପୋକ ଯୋଗୁଁ ଫସଲ ନଷ୍ଟ: ଶୁଣୁନି ପ୍ରଶାସନ, ଜମିରେ ନିଆଁ ଲଗାଇଲେ ଚାଷୀ

ରେଶମ: ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ୍‌ ରେଶମରେ ରବିବାର ଚାଷୀମାନେ ନିଜ ଜମିରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି। ଚକଡ଼ା ପୋକ ପ୍ରାଦୁର୍ଭାବ ଯୋଗୁଁ ଧାନ ଗଛ ସବୁ ମରି ଯାଇଥିବା ବେଳେ ଆଉ ମୁଠେ ବି ଧାନ ମିଳିବା ଆଶା ନାହିଁ। ଏ ନେଇ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇ ବି କିଛି ପଦକ୍ଷେପ ନିଆଯାଉ ନଥିବାରୁ ବାଧ୍ୟ ହୋଇ ପ୍ରତିବାଦ ଜଣାଇ ଏଭଳି କରିଥିବା ଚାଷୀମାନେ ପ୍ରକାଶ କରିଛନ୍ତି। ଅମଳ ଆଶା ନଥିବାରୁ ଚାଷ ପାଇଁ କରିଥିବା ଧାର କରଜ କିଭଳି ସୁଝିବେ ସେ ନେଇ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏପରିକି କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ପ୍ରଦାନ ପାଇଁ ଆର୍‌ଆଇ ଅଫିସ୍‌, ତହସିଲ୍‌ ଅଫିସ୍‌ ଓ ପରେ ଜିଲ୍ଲାପାଳଙ୍କ ଅଫିସ୍‌ ଘେରାଉ କରିଥିଲେ ହେଁ ଏ ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନଥିବା ସେମାନେ ଅଭିଯୋଗ କରିଛନ୍ତି। ସରକାର ତୁରନ୍ତ ଏ ନେଇ କୌଣସି ଠୋସ୍‌ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଚାଷୀ ଆତ୍ମହତ୍ୟା ଭଳି ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି। ତେଣୁ ପ୍ରତିବାଦ ସ୍ୱରୂପ ରବିବାର ରେଶମ ଗାଁର ଚାଷୀମାନେ ନିଜ ନିଜ ଜମିରେ ନିଆଁ ଲଗାଇ ଦେଇଥିଲେ। ଏହି ଅବସରରେ ଚାଷୀ ସୁରପତି ପଧାନ, ସୁନୀଲ ପଧାନ, ଫିରୋଜ ଖମାରୀ, ଶେଷଦେବ ପଧାନ, ସୁଶୀଳ ପଧାନ, ସୁଶାନ୍ତ ଭୋଇ, ସୁଦାମ ପାତ୍ରଙ୍କ ସହ ଗ୍ରାମବାସୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର