ମାଡ଼ି ଚାଲିଛି ‘ଚକଡ଼ା’ ପୁଣି ଜଣେ ଚାଷୀଙ୍କ ଆତ୍ମହତ୍ୟା

ଅତାବିରା: ଚକଡ଼ା ଏବଂ ଅଦିନିଆ ଝଡ଼ବର୍ଷା ଜିଲ୍ଳାର ଚାଷୀଙ୍କୁ ଦୋହଲାଇ ଦେଇଛି। ପୁଣି ଜଣେ ଚାଷୀ ହତାଶ ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ ଅତାବିରା ବ୍ଲକ ମନାପଡ଼ା ପଞ୍ଚାୟତ ଲୁରୁପାଲି ଗାଁର ଅଶୋକ ମେହେର (୩୪)। ସେ ଗତ ମଂଗଳବାର ସଂଧ୍ୟାରେ କୀଟନାଶକ ପିଇ ଦେଇଥିଲେ। ତାଙ୍କୁ ତୁରନ୍ତ ବୁର୍ଲା ମେଡିକାଲରେ ଭର୍ତି କରାଯାଇଥିଲା। ମାତ୍ର ଆଜି ସକାଳ ୧୧ଟାରେ ସେଠାରେ ଚିିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ସୂଚନା ମୁତାବକ, ଅଶୋକ ନିଜର ଅଢ଼େଇ ଏକର ଜମି ସମେତ ୫ଏକର ଜମିରେ ଭାଗ ଚାଷ କରିଥିଲେ। ମାତ୍ର ଚକଡ଼ା ମାଡ଼ି ଯିବାରୁ ସେ ଚିନ୍ତାଗ୍ରସ୍ତ ରହୁଥିଲେ ବୋଲି ପତ୍ନୀ ପୂର୍ଣ୍ଣବାସୀ (୩୦) କହିଛନ୍ତି। ଶବ ଗାଁକୁ ଫେରିବା ପରେ ଅନ୍ୟେଷ୍ଟିକ୍ରିୟା ସଂପନ୍ନ ହୋଇଛି।

କଟକରେ ଶହେ ହେକ୍ଟର ଚାଷଜମି ପ୍ରଭାବିତ
କଟକ: କଟକ ଜିଲ୍ଲାରେ ଏବେ ଦେଖା ଦେଇଛି ‘ଚକଡ଼ା’ ଆତଙ୍କ। ଏହାକୁ ନେଇ ମୁଣ୍ଡରେ ହାତ ଦେଲେଣି ଚାଷୀ। ବାଙ୍କୀର ଗୋଟିଏ ଦୁଇଟି ଗାଁରେ ପ୍ରଥମେ ଚକଡ଼ା ଦେଖାଦେଇଥିବା ବେଳେ ଏବେ ବାଙ୍କୀ ବ୍ଲକ୍‌ ସମେତ କଟକ ସଦର, ନିଶ୍ଚିନ୍ତକୋଇଲି, ବାରଙ୍ଗ ବ୍ଲକ୍‌କୁ ମାଡ଼ିଲେଣି ‘ଚକଡ଼ା’ ପୋକ। କୃଷି ବିଭାଗ ରିପୋର୍ଟ ଅନୁସାରେ ପ୍ରାୟ ୫୦/୬୦ ହେକ୍ଟର ଚାଷ ଜମି ଚକଡ଼ା ପୋକ ଦ୍ବାରା ପ୍ରଭାବିତ ହୋଇଛି। କିନ୍ତୁ ବାସ୍ତବିକ ସ୍ଥିତି ଅନୁଯାୟୀ ‌ଶହେ ହେକ୍ଟରରୁ ଅଧିକ ଚାଷ ଜମିରେ ଧୀରେଧୀରେ ମାଡ଼ିଲେଣି ଚକଡ଼ା। ଏଭଳି ସ୍ଥିତିରେ ବର୍ଷା ‌ହେଲେ ସ୍ଥିତି ଅଧିକ ସଙ୍ଗୀନ ହେବ ବୋଲି ଆଶଙ୍କା କରାଯାଉଛି। ସୂଚନା ଅନୁସାରେ, କଟକ ଜିଲ୍ଲାରେ ରହିଛି ମୋଟ ୧ ଲକ୍ଷ ୮୮ ହଜାର ହେକ୍ଟର ଚାଷ ଜମି। ସେଥିରୁ ୧ ଲକ୍ଷ ୪୦ ହଜାର ହେକ୍ଟର ଜମିରେ ଧାନ ଚାଷ ଓ ୪୮ ହଜାର ହେକ୍ଟର ଜମିରେ ଅଣଧାନ ଚାଷ କରାଯାଇଥାଏ। ଜିଲ୍ଲାର ବାଙ୍କୀ ବ୍ଲକ୍‌ର ଖଜୁରପଦା, ନୂଆଗାଁ, ଟୋକିଳଡାଳ ତଥା ବିଭିନ୍ନ ଗାଁରେ ୬୦ ହେକ୍ଟରରୁ ଅଧିକ ଜମିରେ ଚକଡ଼ା ମାଡ଼ିଥିବା ବେଳେ ବାରଙ୍ଗ, କଟକ ସଦର, ନିଶ୍ଚିନ୍ତକୋଇଲି ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଚକଡ଼ା ପୋକ ମାଡ଼ୁଛନ୍ତି। କୃଷି ବିଭାଗ ପକ୍ଷରୁ ଚକଡ଼ା ଲାଗିଥିବା ‌େକ୍ଷତ ପରିଦର୍ଶନ କରିଛନ୍ତି କୃଷି ଅଧିକାରୀ। ଏଥିସହ ତୁରନ୍ତ ଚାଷୀଙ୍କୁ ଔଷଧ ଯୋଗାଇ ଦିଆଯାଇଥିବା ଜିଲ୍ଲା ଉପକୃଷି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଚକଡ଼ା ମାଡ଼ିଥିବା କଥାକୁ କୃଷି ଅଧିକାରୀ ସ୍ବୀକାର କରିଛନ୍ତି। ଅନ୍ୟପଟେ ତୁରନ୍ତ ‘ଚକଡ଼ା’ ସମସ୍ୟାର ସମାଧାନ ପାଇଁ ଚାଷୀ ଦାବି କରିଛନ୍ତି।

ଏଯାଏ ମିଳିନି କ୍ଷତିପୂରଣ
ସମ୍ବଲପୁର: ଗତବର୍ଷ ଚକଡ଼ା ଓ ରୋଗ ପୋକ ଜନିତରେ କ୍ଷତିଗ୍ରସ୍ତ ସମ୍ବଲପୁର ଜିଲ୍ଲାର ସମସ୍ତ ଚାଷୀ ଏଯାଏ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କ୍ଷତିପୂରଣ ପାଇନାହାନ୍ତି। ସେପଟେ, ବୋଝ ଉପରେ ନଳିତା ବିଡ଼ା ଭଳି ଏଥର ପୁଣି ଚକଡ଼ା ବ୍ୟାପିବାରେ ଲାଗିଛି। ଜିଲ୍ଲାର କେତେକ ବ୍ଲକରେ ଚକଡ଼ା ମିଡ଼ିବା ଯୋଗୁଁ ସ୍ଥିତି ସଂଗିନ ହେଲାଣି। ମିଳିଥିବା ସଦ୍ୟ ରିପୋର୍ଟ ମୁତାବକ, ଯୁଯୁମୁରା ବ୍ଲକ କବରାପାଲି ପଞ୍ଚାୟତର ଅଣଜଳସେଚିତ ଜମିରେ ଚକଡ଼ା ପ୍ରାୟ ଦମନ ହୋଇଯାଇଥିବା ବେଳେ ଏବେ ଏହାର ପ୍ରାଦୁର୍ଭାବ ଦେଖା ଦେଇଛି। ଯୁୁଯୁମୁରା ବ୍ଲକରେ ପ୍ରାୟ ୬ ହେକ୍ଟର ଜମିରେ ଚାଷ ହୋଇଥିବା ବେଳେ ଶହେ ହେକ୍ଟରରୁ ଅଧିକ ଜମିରେ ଚକଡ଼ା ମଡ଼ିଯାଇଛି। ଅପରପକ୍ଷେ,ବ୍ଲକର ୬୦ ପ୍ରତିଶତ ଜଳସେଚିତ ଅଞ୍ଚଳରେ ମଧ୍ୟ ଚାଷ ଜମିରେ ରୋଗ ପୋକ ହେଉଥିବା ଜଣାପଡ଼ିଛି। ଏନେଇ ପଞ୍ଚାୟତର ବିଭିନ୍ନ ଚାଷୀଙ୍କୁ ପଚରାଯିବାରେ କିଛି ସ୍ଥାନରେ ସରକାରଙ୍କ ପକ୍ଷରୁ ମିଳୁଥିବା ଔଷଧ କାମ କରୁନଥିବା ବେଳେ ଆଉ କିଛି ସ୍ଥାନରେ ପର୍ଯ୍ୟାପ୍ତ ଔଷଧ ମିଳିନଥିବା କହିଛନ୍ତି। ଗତମାସରେ କେନ୍ଦ୍ରୀୟ ଦଳ ସମ୍ବଲପୁର ଆସି ବିଭିନ୍ନ ବ୍ଲକ ବୁଲି ଚକଡ଼ା ସ୍ଥିତି ଅନୁଧ୍ୟାନ କରିବା ପରେ ଚାଷୀଙ୍କୁ ନେଇ ଚଳିତ ମାସରେ ସଚେତନତା ଶିବିର ମଧ୍ୟ କରିଥିଲେ। କିନ୍ତୁ ରୋଗପୋକ ନିୟନ୍ତ୍ରଣରେ ସମ୍ପୂର୍ଣ୍ଣ ସଫଳତା ମିଳିପାରିନଥିବା ଜଣାପଡ଼ିଛି। ଏନେଇ ଜିଲ୍ଲା କୃଷି ଉପ ମହାନିର୍ଦେଶକ ଖଗେନ୍ଦ୍ରନାଥ ଜେନାଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଯୁଯୁମୁରା ବ୍ଲକରେ ଏଭଳି ଚକଡ଼ା ସମସ୍ୟା ନେଇ ଖବର ମିଳିଥିବା ବେଳେ ଏହାର ସମାଧାନ ପାଇଁ ପର୍ଯ୍ୟାପ୍ତ ପରିମାଣର କୀଟନାଶକ ମଧ୍ୟ ଅଣାଯାଇଛି। ତୁରନ୍ତ ଏଗୁଡ଼ିକୁ ଚାଷୀଙ୍କୁ ଦେଇ ଚକଡ଼ାକୁ ନିୟନ୍ତ୍ରଣ କରାଯିବ। ତେବେ କାଁ ଭାଁ ସ୍ଥାନରେ ଏଭଳି ପରିସ୍ଥିତି ଉପୁଜିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର