ପୁଣି ଚକଡ଼ା ଚଡ଼କ: କାମ ଦେଉନି କୀଟନାଶକ

ବରଗଡ଼:  ବରଗଡ଼ ଜିଲ୍ଲାର ଚାଷୀଙ୍କ ମୁଣ୍ତରେ ପୁଣି ସ˚କଟର କଳା ବାଦଲ ଢାଙ୍କିଛି। ଖରିଫ ଫସଲ ଆରମ୍ଭରୁ ଚାଷୀ ପ୍ରତିକୂଳ ସ୍ଥିତି ଦେଇ ଗତି କରୁଛି। ମଣ୍ଡି ଖୋଲିବାରେ ବିଳମ୍ବ ହେଉଥିବାରୁ ଚାଷୀର ଅମଳ ଧାନ ଖଳାରେ ପଡ଼ିଛି। କିନ୍ତୁ ସପ୍ତାହେ ହେଲା କୋହଲା ପାଗ ଏବଂ ମଝିରେ ମଝିରେ ବର୍ଷା ଯୋଗୁଁ ଧାନ ନଷ୍ଟ ହେବାକୁ ଲାଗିଛି। ମଣ୍ଡିକୁ ଆସିବା ପୂର୍ବରୁ ଧାନ ଅର୍ଦ୍ଧାଧିକ ନଷ୍ଟ ହୋଇସାରିଲାଣି। ଏବେ ପାଖାପାଖି ୫୦ ପ୍ରତିଶତରୁ ଅଧିକ ଧାନ ଅମଳ ହୋଇ  ଖଳା କିମ୍ବା ରାସ୍ତାଘାଟରେ ପଡ଼ି ରହିଛି। ମଣ୍ଡି ଖୋଲୁନଥିବାରୁ କିଛି ଚାଷୀ ଧାନ କାଟି ନାହାନ୍ତି। ପାଣିପାଗରେ ତାରତମ୍ୟ ରହୁନଥିବାରୁ ଏବେ ପୁଣି ଥରେ ଚକଡ଼ା ଫେରିଛି। ଚକଡ଼ା ଯୋଗୁଁ ଚାଷୀ ମୁଣ୍ତରେ ଚଡ଼କ ଲାଗିଛି। ଜିଲ୍ଲାର ବିଭିନ୍ନ ବ୍ଲକରେ କ୍ରମଶଃ ଚକଡ଼ା ପୋକର ପ୍ରାଦୁର୍ଭାବ ଦେଖା ଦେବା ଆରମ୍ଭ କଲାଣି।

ବାୟୁ ମଣ୍ତଳରେ ଆର୍ଦ୍ରତା ବୃଦ୍ଧି ପାଇବା ସହ ଚକଡ଼ା ପୋକ ବ˚ଶ ବିସ୍ତାର କରୁଛନ୍ତି। ପ୍ରାୟତଃ ଚାଷୀମାନେ ୨/୩ ଦଫା କୀଟନାଶକ ସି˚ଚନ କରି ସାରିଲେଣି। ହେଲେ ଚକଡ଼ା ଫସଲରୁ ଝଡ଼ୁ ନାହାନ୍ତି। ବିଜେପୁର ବ୍ଲକ ଅନ୍ତର୍ଗତ କଟାପାଲି ଗାଁରେ ଚକଡ଼ା ପ୍ରକୋପ ଆରମ୍ଭ ହୋଇଛି। ଶହଶହ ଏକର ଜମିରେ ଚକଡ଼ା ଚାପି ଯାଇଛି। ଗାଁର ଚାଷୀଙ୍କ କହିବା ହେଲା,  ସପ୍ତାହେ ହେବ ଚକଡ଼ା ପୋକ ମାଡ଼ି ଯାଇଛି। ଜଣେ ଜଣେ ଚାଷୀ ୩୦ରୁ ୪୦ ହଜାର ଟଙ୍କାର କୀଟନାଶକ ସି˚ଚନ କରିଛନ୍ତି। ହେଲେ ଚକଡ଼ା ମରୁନାହିଁ। ଚକଡ଼ାଜନିତ କ୍ଷତିପୂରଣ ନେଇ ମଧ୍ୟ ଚାଷୀଙ୍କ ତିକ୍ତ ଅନୁଭୂତି ରହିଛି। ଗତବର୍ଷର ଆକଳନକୁ ଉଦାହରଣ ଭାବେ ନିଆଯାଇପାରେ। ଚକଡ଼ା ଯୋଗୁଁ  ଚାଷୀଙ୍କୁ ୨୦ ଏକରରୁ ମାତ୍ର ୧୨୦ ବସ୍ତା ପାଖାପାଖି ଧାନ ମିଳିଥିଲା। ହେଲେ କ୍ଷତିପୂରଣ ବାବଦକୁ ମାତ୍ର ୧୨ହଜାର ଟଙ୍କା ମିଳିଥିଲା। ତେଣୁ କ୍ଷତି ଅନୁସାରେ କ୍ଷତିପୂରଣ ଦେବାକୁ ଚାଷୀମାନେ ଦାବି କରିଛନ୍ତି।  ଜିଲ୍ଲାର ଭେଡେ଼ନ, ଅତାବିରା, ବରପାଲି ବ୍ଲକରେ ମଧୢ କିଛିକିଛି ଜମିରେ ଚକଡ଼ା ଦେଖା ଗଲାଣି। ଚାଷୀମାନେ ହଜାର ହଜାର ଟଙ୍କାରେ କୀଟନାଶକ ପ୍ରୟୋଗ କଲେବି ଚକଡ଼ାରୁ ନିସ୍ତାର ମିଳୁନି।

ସମ୍ବନ୍ଧିତ ଖବର