ନୀଳଗିରି: ମୁଣ୍ଡଝାଳ ତୁଣ୍ଡରେ ମାରି ବହୁକଷ୍ଟରେ ଜମିରେ ସୁନା ଫଳାଇଥିଲେ। ଏବେ ଧାନରେ କେଣ୍ଡା ଧରିବା ବେଳକୁ ଫସଲ ନଷ୍ଟକାରୀ ପୋକମାନଙ୍କ ପ୍ରାଦୁର୍ଭାବ। କୃଷି ବିଭାଗ ସବୁ ଜାଣି ମଧ୍ୟ ନିରବ। ଫଳରେ ନିରୁପାୟ ଚାଷୀ ଫସଲ ଜାଳି ପ୍ରତିବାଦ କରିଛନ୍ତି। ଖାଲି ପ୍ରତିବାଦ ନୁହେଁ, ଦରକାର ପଡ଼ିଲେ ଆତ୍ମାହୁତି ଦେବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି। ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ବାଉଁଶପାଳ ଗାଁ’ର ଚାଷୀ ଏବେ ଫସଲ ସୁରକ୍ଷା ଚିନ୍ତାରେ କୃଷି ବିଭାଗକୁ ଏମିତି ଖୋଲା ଚରମବାଣୀ ଶୁଣାଇଛନ୍ତି।
ବାଉଁଶପାଳ ଗାଁ’ରେ ଲୋକସଂଖ୍ୟା ୧୦୦୦ରୁ ଅଧିକ। ଅଧାରୁ ଅଧିକ ଲୋକ ଖରିଫ ଓ ରବି ଚାଷ ଉପରେ ନିର୍ଭର କରିଥାନ୍ତି। ଏବର୍ଷ ପ୍ରତିକୂଳ ପାଗ ଓ ହାତୀପଲଙ୍କ ଦାଉ ସତ୍ତ୍ବେ ଧାନଚାଷ କରିଥିଲେ ଗ୍ରାମବାସୀ। ଏଥିପାଇଁ ଅନେକ ବ୍ୟାଙ୍କରୁ ଋଣ ମଧ୍ୟ କରିଛନ୍ତି। ବର୍ତ୍ତମାନ ଧାନଗଛରେ କେଣ୍ଡା ଧରୁଛି। ବର୍ଷାଭାବ ଯୋଗୁଁ ଧାନ ଅଗାଡ଼ି ହେବାର ଆଶଙ୍କା ଦେଖା ଦେଇଥିବାବେଳେ ସେପଟେ ଚକଡ଼ା ଓ ଜଉଆ ପୋକ ଚାଷୀଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଚକଡ଼ା ଓ ଜଉଆ ପୋକର ପ୍ରାଦୁର୍ଭାବ କାରଣରୁ ଏକର ଏକର ଜମିରେ ଧାନଫସଲ କ୍ଷତିଗ୍ରସ୍ତ ହୋଇଛି। ଚାଷୀ ଚଢ଼ାଦରରେ କୀଟନାଶକ କିଣି ଧାନଗଛରେ ସିଞ୍ଚନ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଚାଷୀମାନଙ୍କୁ ପରାମର୍ଶ ଦେବା ଦୂରେ ଥାଉ, କୃଷି ବିଭାଗର ସ୍ଥାନୀୟ ଭିଏଲ୍ଡବ୍ଲ୍ୟୁ ସ୍ଥିତି ତଦାରଖ କିମ୍ବା କ୍ଷେତ୍ର ପରିଦର୍ଶନ କରୁନାହାନ୍ତି। ସୁଲଭ ମୂଲ୍ୟରେ କୀଟନାଶକ ଯୋଗାଣ ପାଇଁ ସରକାରୀସ୍ତରରେ ବ୍ୟବସ୍ଥା ଥିଲେ ମଧ୍ୟ ଏଠାରେ ତାହା କାର୍ଯ୍ୟକାରୀ ହେଉନି ବୋଲି ଗ୍ରାମବାସୀଙ୍କ ଅଭିଯୋଗ।
ଧାନବିଲରେ ଚକଡ଼ା ଓ ଜଉଆ ପୋକ ପଙ୍ଗପାଳ ଭଳି ମାଡ଼ି ଚାଲିଥିବାବେଳେ ଚାଷୀ ଅସହାୟ ହୋଇ ସମସ୍ୟା ବାବଦରେ ଜଣାଇବାକୁ ବ୍ଲକ କୃଷି କାର୍ଯ୍ୟାଳୟ କିମ୍ବା ସହାୟତା କେନ୍ଦ୍ରକୁ ବାରମ୍ବାର ଫୋନ୍ କରୁଛି। କିନ୍ତୁ କେହି ବି ଏ ବିପଦ ସମୟରେ ଚାଷୀଙ୍କ କଥା ଶୁଣୁନାହାନ୍ତି। କୃଷି ବିଭାଗର ସ୍ଥାଣୁତା ବିରୋଧରେ ଚାଷୀମାନେ ବିଲରେ ନଷ୍ଟ ଫସଲକୁ ଜାଳିବା ଆରମ୍ଭ କରିଛନ୍ତି। ତୁରନ୍ତ ପୋକ ଦମନ ସହ କ୍ଷତିପୂରଣ ପ୍ରଦାନ କରାନଗଲେ ବଡ଼ଧରଣର ଆନ୍ଦୋଳନ ହେବ, ଏମିତିକି ଦରକାର ପଡ଼ିଲେ ଆତ୍ମହତ୍ୟା କରିବେ ବୋଲି ଚାଷୀ ଦେବେନ୍ଦ୍ର ବେହେରା, ହରେକୃଷ୍ଣ ବେହେରା, ଲକ୍ଷ୍ମୀଧର ବେହେରା, ସୁକାନ୍ତି ବେହେରା, ରଞ୍ଜନ କୁମାର ବେହେରା, ଦୀନବନ୍ଧୁ ବେହେରା, ମହେନ୍ଦ୍ର ବେହେରା ପ୍ରମୁଖ ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/28-8.jpg)