ଭବାନୀପାଟଣା/ଧର୍ମଗଡ଼: ଜଣେ କ୍ରସର ମାଲିକଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଆଇଏଏସ୍ ଅଧିକାରୀ କଳାହାଣ୍ଡିଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ୍ ଚକ୍ମା ସୋମବାର ଗିରଫ ହୋଇ ଜେଲ୍ ଯାଇଛନ୍ତି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଭବାନୀପାଟଣା ଜେଲ୍କୁ ପଠାଇ ଦିଆଯାଇଛି। ରବିବାର ରାତି ପ୍ରାୟ ୧୨ଟାରେ ଧୀମାନ୍ଙ୍କୁ ଧର୍ମଗଡ଼ରୁ ଭବାନୀପାଟଣା ଭିଜିଲାନ୍ସ ଅଫିସକୁ ଅଣାଯାଇଥିଲା। ଆଜି ଦିନ ତମାମ୍ ମାରାଥନ୍ ଜେରା କରାଯାଇଥିଲା। ଦିନ ୨ଟାରେ ଭିଜିଲାନ୍ସ ସେଲ୍ ଏସ୍ପି ଏମ୍ ରାଧାକ୍ରିଷ୍ଣନ୍ ସାମ୍ବାଦିକ ସମ୍ମିଳନୀ କରି ଉପଜିଲ୍ଲାପାଳ ଧୀମାନଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ସୂଚନା ଦେଇଥିଲେ।
ଏସ୍ପି କହିଥିଲେ, ଉପଜିଲ୍ଲାପାଳ ଧୀମାନ୍ ଚକ୍ମା ୧୦ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଚଢ଼ଉ ହୋଇଥିଲା। ଏହା ସହିତ ତନଖି ବେଳେ ତାଙ୍କ ସରକାରୀ ବାସଭବନରୁ ୪୭ଲକ୍ଷ ୪୭ ହଜାର ୬୦୦ ଟଙ୍କା ଜବତ ହୋଇଥିଲା। ସମୁଦାୟ ୫୭ ଲକ୍ଷ ୪୬ ହଜାର ୬୦୦ ଟଙ୍କା ଜବତ ହୋଇଥିବା ଏସ୍ପି କହିଥିଲେ। ଅଭିଯୋଗକାରୀଙ୍କ ନାମ ଗୁପ୍ତ ରଖାଯାଇଛି। ତେବେ ସେ ଜଣେ କ୍ରସର୍ ମାଲିକ ବୋଲି ସୂଚନା ଦେଇଥିଲେ। ସୋମବାର ଭିଜିଲାନ୍ସର ଏକ ଟିମ୍ ପୁଣି ଧର୍ମଗଡ଼ ଯାଇ ଉପଜିଲ୍ଲାପାଳଙ୍କ ଅଫିସ୍ରେ ଛାନ୍ଭିନ୍ କରିଥିଲେ। ସେମାନେ ବହୁ କାଗଜପତ୍ର ଜବତ କରିଛନ୍ତି। ଏହାଛଡ଼ା କର୍ମଚାରୀମାନଙ୍କ ସହ ବି ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ଭିଜିଲାନ୍ସ କେସ୍ ନମ୍ବର ୬/୨୦୨୫ ରୁଜୁ କରିଥିଲା।
ସୂଚନାଯୋଗ୍ୟ, ୨୦୨୧ ବ୍ୟାଚ୍ର ଆଇଏଏସ୍ ଶ୍ରୀ ଚକ୍ମା ତ୍ରିପୁରାର ଏକ ଆଭ୍ୟନ୍ତରୀଣ ଅଞ୍ଚଳ କାଞ୍ଚନପୁରର ବାସିନ୍ଦା। ତାଙ୍କ ବାପା ଜଣେ ସ୍କୁଲ ଶିକ୍ଷକ। ଅଗରତାଲା ଏନ୍ଆଇଟିରୁ କମ୍ପ୍ୟୁଟର ସାଇନ୍ସରେ ଡିଗ୍ରି ହାସଲ କରିବା ପରେ ସେ ୟୁପିଏସ୍ସି ପରିଚାଳିତ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ପୂର୍ବରୁ ୨୦୧୯ରେ ସେ ଆଇଏଫ୍ଏସ୍ ପାଇ ବାରିପଦାରେ ଏସିଏଫ୍ ଭାବେ କାର୍ଯ୍ୟ କରିଥିଲେ। ଫରେଷ୍ଟ ଅଫିସର ଥିବା ସମୟରେ ଆଇଏଏସ୍ ପାଇଥିଲେ। ତ୍ରିପୁରାସ୍ଥିତ ତାଙ୍କ ଘରେ ଚଢ଼ଉ ପାଇଁ ଓଡ଼ିଶା ଭିଜିଲାନ୍ସ ତରଫରୁ ଗୃହ ବିଭାଗର ଅନୁମତି ଲୋଡ଼ା ଯାଇଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/10/GbDSZ2r6r2ua7PjISLqC.jpg)