ପୁରୀ : ବ୍ରହ୍ମଗିରିସ୍ଥିତ ମାନପୁର ଗ୍ରାମର ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖରୁ ଗଙ୍ଗବଂଶ ସମୟର ପ୍ରାଚୀନ ସ୍ମାରକୀ ଖଣ୍ଡ ଉଦ୍ଧାର କରାଯାଇଛି। ମିଳିଥିବା ଏହି ସ୍ମାରକୀଟି ବୈଷ୍ଣବ ମନ୍ଦିରର ଚୂଡ଼ାରେ ଶୋଭା ପାଉଥିବା ‘ଚକ୍ର ନାରାୟଣ’ ବୋଲି ଅନୁମାନ କରାଯାଉଛି। ଅବହେଳିତ ଅବସ୍ଥାରେ ମନ୍ଦିର ସମ୍ମୁଖରେ ପଡ଼ିରହିଥିବାବେଳେ ଏହାକୁ ଚିହ୍ନଟ କରିଛନ୍ତି ଇନ୍ଟାକ୍ (ଇଣ୍ଡିଆନ ନାସ୍ନାଲ୍ ଟ୍ରଷ୍ଟ ଫର୍ ଆର୍ଟ ଆଣ୍ଡ୍ କଲ୍ଚରାଲ୍ ହେରିଟେଜ୍)ର ପ୍ରକଳ୍ପ ସହାୟକ। ଏହାର କାଳଖଣ୍ଡ ଦ୍ବାଦଶରୁ ପଞ୍ଚଦଶ ଶତାବ୍ଦୀର ବୋଲି ଇନ୍ଟାକ୍ ସଦସ୍ୟ ଅନୁମାନ କରିବା ସହ ଏହାକୁ ସୁରକ୍ଷିତ ଭାବେ ରଖିବା ପାଇଁ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଛନ୍ତି।
ପୂର୍ବରୁ ନିଆଳିର ମାଧବ ମନ୍ଦିର ଓ କଟକ ଗଣେଶ୍ବରପୁରର ପଞ୍ଚୁପାଣ୍ଡବ ମନ୍ଦିର ନିକଟରୁ ଏହି ସମାନ କାରିଗରୀର ସ୍ମାରକୀ ମିଳିଥିବାବେଳେ ମାନପୁରରୁ ପୁଣି ସମାନ କାରୁକାର୍ଯ୍ୟର ବିରଳ କୀର୍ତିରାଜି ଉଦ୍ଧାର କରାଯାଇଛି। ଦେଢ଼ଫୁଟ ଉଚ୍ଚତା ବିଶିଷ୍ଟ ଏହି ସ୍ମାରକୀ ନୀଳଚକ୍ର ସଦୃଶ ହୋଇଥିବା ବେଳେ ଏହାର ମଧ୍ୟ ଭାଗରେ ଧ୍ୟାନସ୍ଥ ଅବସ୍ଥାରେ ନାରାୟଣ ତଥା ‘ଧ୍ୟାନୀ ବିଷ୍ଣୁ’ ଧ୍ୟାନ ମୁଦ୍ରାରେ ବସିଛନ୍ତି। ଦୁଇ ହାତରେ ଶଙ୍ଖ ଓ ଚକ୍ର ରହିଛି।
ଇନ୍ଟାକ୍ ଓଡ଼ିଶା ଶାଖାର ପ୍ରକଳ୍ପ ସହାୟକ ଦୀପକ ନାୟକ କହିଛନ୍ତି, ମାନପୁରରୁ ମିଳିଥିବା ଏହି ପ୍ରାଚୀନ କୀର୍ତ୍ତିରାଜି ଗଙ୍ଗବଂଶ ସମୟର ହୋଇଥିବା ବେଳେ ଏହା ଅତ୍ୟନ୍ତ ବିରଳ। ପୂର୍ବରୁ ଦୁଇଟି ସ୍ଥାନରେ ଏହିଭଳି କାରୁକାର୍ଯ୍ୟ ଥିବା କିର୍ତ୍ତିରାଜି ଦେଖିବାକୁ ମିଳିଥିଲା। ସ୍ୟାଣ୍ଡଷ୍ଟୋନ୍ରେ ନିର୍ମିତ ହୋଇଥିବା ଏହି କୀର୍ତ୍ତିରାଜିର ଓଜନ ୨୫ କେଜିରୁ ଅଧିକ ହେବ। ଉଚ୍ଚତା ଦେଢ଼ ଫୁଟ ମଧ୍ୟରେ ସୀମିତ ହେବ। ମାତ୍ର ସଚେତନତା ଅଭାବରୁ ଏହା ଦୀର୍ଘଦିନ ଧରି ମନ୍ଦିର ବାହାରେ ପଡ଼ି ରହିଥିଲା। ପ୍ରାଚୀନ ସ୍ମାରକୀ ହୋଇଥିବା ସତ୍ତ୍ବେ ଏହା ଗୁରୁତ୍ବ ନପାଇବା ଦୁଃଖର ବିଷୟ। ତାଙ୍କ କହିବା ମୁତାବକ, ଯଦିଓ ଏହାକୁ ନେଇ ମନ୍ଦିର ଗର୍ଭଗୃହରେ ରଖିବା ପାଇଁ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲେ, ତଥାପି ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ କିମ୍ବା ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ଏହାକୁ ଉଦ୍ଧାର କରାଯାଇ ମହଜୁଦ ରଖାଯିବା ଆବଶ୍ୟକ ବୋଲି କହିଛନ୍ତି।