ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କେବଳ ଆକାଂକ୍ଷୀ ଜିଲ୍ଲା ନହୋଇ ସମସ୍ତଙ୍କ ପାଇଁ ଏକ ପ୍ରେରଣାଦାୟୀ ଜିଲ୍ଲା ହେଉ। ପ୍ରଭୁ ଶ୍ରୀଜଗନ୍ନାଥ କେବଳ ଓଡ଼ିଆ ଜାତିର ଦେବତା ନୁହନ୍ତି, ସର୍ବସ୍ବ । ଅତୀତ କାଳରୁ ମନ ଭିତରେ ଆସ୍ଥାନ ଜମେଇ ଗୋଟେ ଆସ୍ଥା ଓ ବିଶ୍ୱାସର ସ୍ୱରୂପ ସାଜି ଯାଇଛନ୍ତି। ସମଗ୍ର ବିଶ୍ବ ଆଜି ଓଡ଼ିଆ ସଂସ୍କୃତିକୁ ନିଜର କରିଛି। ତେବେ ଏତିକି କହିବି କଳାହାଣ୍ଡି ହେଉଛି କାଳିଆର ଭାତହାଣ୍ଡି। ଭୋଗ ନଲାଗିଲେ ପ୍ରଭୁ ଭୋକରେ ରହିଯିବେ। କାରଣ ଶ୍ରୀଜଗନ୍ନାଥ କହିଲେ ରାଜ୍ୟ ଦେଶ ତଥା ବିଶ୍ୱକୁ ଏବେ ବୁଝାଉଛି ବୋଲି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କଳାହାଣ୍ଡି କନକ୍ଲେଭ 'ଚାଲ ଦେଖମା ଆମର କଳାହାଣ୍ଡି' ସମାରୋହରେ ଯୋଗଦେଇ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ସେ ପୁଣି କହିଥିଲେ, ଆଦିମ ସଂସ୍କୃତି ତଥା ଶବର ଆଦିବାସୀମାନଙ୍କର ହୃଦୟର ଦେବତା ଏବଂ ସବୁ ଧର୍ମଧାରାର ସମାହାର ହିଁ ପ୍ରଭୁ ଜଗନ୍ନାଥ ଅଟନ୍ତି।

Advertisment

ଉତ୍କଳୀୟ ଚେତନାର ମଣିଷ ଓଡ଼ିଆ ଜାତି ଓ ମାନବ ଜାତିର ପ୍ରତୀକ ସାଜିଛି। ଓଡ଼ିଆ ଝିଅ ଓଡ଼ିଶା ମାଟିର ଆଦିବାସୀ ସମ୍ପ୍ରଦାୟର ଆଦି ଭାରତବର୍ଷର ସର୍ବୋଚ୍ଚ ଆସନ ରାଷ୍ଟ୍ରପତି ପଦରେ ଆସୀନ ହୋଇପାରିଛନ୍ତି । ତେଣୁ କୁହାଯାଇପାରେ, ଏହି ବିଶାଳ ଦେଶକୁ ଶିକ୍ଷା ଦେଇ ସୁନ୍ଦର ରୂପେ ପରିଚାଳନା କରିବାରେ ଓଡିଶା ସକ୍ଷମ ହୋଇପାରିଛି। ଶେଷରେ ରାଜ୍ୟପାଳ କହିଥିଲେ ଯେ, ବିବିଧତା ମଧ୍ୟରେ ଏକତ୍ର ବଞ୍ଚିବାର ଶୈଳୀ ଏ ମାଟିର ଅନ୍ୟ ଏକ ବୈଶିଷ୍ଟ୍ୟ। ଆର୍ଟ ଅଫ୍ ଲିଭିଂ ଟୁଗେଦର୍ ତଥା ଏକାଠି ରହିବାର ସଦିଚ୍ଛା ହିଁ ସବୁଠାରୁ ବଡ଼ ଶିକ୍ଷା । ଯେତେବେଳେ ଆମେ ଏ ଜାତି, ମଣିଷ, ଧର୍ମ, ମାନବତା, ପ୍ରକୃତ ଶାସକ ସ୍ୱୟଂ ଜଗନ୍ନାଥ ବୋଲି ଭାବିଲେ ସଫଳତା ପ୍ରାପ୍ତ ହେବ ।

ଭବାନୀପାଟଣା ସହରସ୍ଥିତ ଟାଉନହଲଠାରେ ସମାଚାର ଜଷ୍ଟକ୍ଲିକ ପକ୍ଷରୁ ଆୟୋଜିତ କଳାହାଣ୍ଡି କନକ୍ଲେଭ 'ଚାଲ ଦେଖମା ଆମର କଳାହାଣ୍ଡି' କାର୍ଯ୍ୟକ୍ରମରେ ଯୋଗଦେଇ ମାନ୍ୟବର ରାଜ୍ୟପାଳ ଉପସ୍ଥିତ ସମାବେଶକୁ ଏଭଳି ଉଦବୋଧନ ଦେଇଥିଲେ । ଅବସରପ୍ରାପ୍ତ ଆଇଏଏସ ଡ. ଜୟଦେବ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପିଟିଆଇର ସମ୍ପାଦକ ରାଜେଶ ମହାପାତ୍ର ଯୋଗ ଦେଇ କଳାହାଣ୍ଡି ସବୁବେଳେ ଭାତହାଣ୍ଡି ସାଜିଛି । ଏଠାରେ କେବେ ମଧ୍ୟ ଖାଦ୍ୟର ଅଭାବ ରହିନାହିଁ । ଅତୀତକୁ ଅବଲୋକନ କଲେ କଳାହାଣ୍ଡିର କୃଷି ଓ ଖାଦ୍ୟ ଉତ୍ପାଦନ ସବୁବେଳେ ସର୍ବାଗ୍ରେ ରହିଛି । ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଅବସରପ୍ରାପ୍ତ ପୂର୍ବତନ କଳାହାଣ୍ଡି ଜିଲ୍ଲାପାଳ ଚିନ୍ମୟ ବସୁ ଯୋଗଦେଇ ପୂର୍ବର କଳାହାଣ୍ଡି ଓ ବର୍ତ୍ତମାନର କଳାହାଣ୍ଡି ମଧ୍ୟରେ ବହୁ ପରିବର୍ତ୍ତନ ହୋଇଛି ବୋଲି କହିଥିଲେ । ଶେଷରେ ଆବାହକ ଦେବେନ୍ଦ୍ର ବିଶି ଧନ୍ୟବାଦ ଦେଇଥିଲେ । କେସିଙ୍ଗା ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ନୂଆଦିଲ୍ଲୀସ୍ଥିତ ଗୁଞ୍ଜର ପ୍ରତିଷ୍ଠାତା ଅଂଶୁ ଗୁପ୍ତା, ଜଳପୁରୁଷ ସ୍ବର୍ଗତ କାର୍ଜୀ ମାଝୀଙ୍କ ପୁଅ, ଟିଟିଲାଗଡ ଉପଖଣ୍ଡ ଡାକ୍ତରଖାନା ମୁଖ୍ୟଡାକ୍ତର ଓଙ୍କାର ହୋତା, ଯୁବ ଉଦ୍ୟୋଗୀ ବିଭୂ ପ୍ରସାଦ ସାହୁ, ଡ୍ରାଗନ ଫଳଚାଷୀ ବୈଷ୍ଣବ ସାହୁ, ବିଶିଷ୍ଟ ସ୍ତମ୍ଭକାର ରାଧାକାନ୍ତ ସେଠଙ୍କୁ ସମ୍ମାନୀତ କରାଯାଇଥିଲା ।