ବରଗଡ଼: ନୂଆ ଏସ୍‌ପିଙ୍କ ପାଇଁ ଗୁଡ଼ାଏ ଚାଲେଞ୍ଜ

ବରଗଡ଼ ଜିଲ୍ଲାରେ ନିଶା କାରବାର ଅଣାୟତ୍ତ

ବରଗଡ଼ : ଖୁବ ଶୀଘ୍ର ବରଗଡ଼ର ନୂଆ ଏସ୍‌ପି ଭାବେ ରାହୁଲ ଜୈନ ଯୋଗ ଦେବେ। ବିଦାୟୀ ଏସ୍‌ପି ପଦ୍ମିନୀ ସାହୁ କେଉଁଠି ଅବସ୍ଥାପିତ ହେବେ, ସେନେଇ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ସମ୍ଭବତଃ ସେ ବାହାର ରାଜ୍ୟକୁ ଯାଇପାରନ୍ତି। ଆଗକୁ ନୂଆ ଏସ୍‌ପିଙ୍କ ପାଇଁ ଗୁଡ଼ାଏ ଚାଲେଞ୍ଜ ଛିଡ଼ା ହୋଇଛି। ଶ୍ରୀ ଜୈନ ଆଇନଶୃଙ୍ଖଳା ପରିସ୍ଥିତିକୁ କିଭଳି ନିୟନ୍ତ୍ରଣକୁ ଆଣିବେ, ତାହା ଦେଖିବାକୁ ବାକି ରହିଛି।

ବିଦାୟୀ ଏସ୍‌ପିଙ୍କ ଅବଧିରେ ନିଶା କାରବାର ଏବଂ ସୀମାନ୍ତରେ ମାଫିଆରାଜ୍‌ ଉପରେ ଲଗାମ ଲାଗି ପାରିନଥିଲା। ଗତମାସ ଝାଞ୍ଜ ପାହାଡ଼ରେ ଯବାନ ଏବଂ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ପୁଲିସ୍‌ ଏବଂ ଏସ୍‌ଓଜି ଯବାନଙ୍କ ମିଳିତ ଆକ୍ରମଣରେ ବରିଷ୍ଠ ମାଓ କ୍ୟାଡର୍‌ ରବିନ୍ଦର ଟଳି ପଡ଼ିଥିଲା। ରବିନ୍ଦରର ମୃତ୍ୟୁ ମାଓ ସଂଗଠନ ପାଇଁ ଶକ୍ତ ଧକ୍କା ଥିଲା। ଏହି ଅପରେସନ ବିଦାୟୀ ଏସ୍‌ପି ପଦ୍ମିନୀ ସାହୁଙ୍କ ଅବଧିର ବଡ଼ ଉପଲବ୍ଧି ଥିଲା। ନଚେତ ଜିଲ୍ଲାରେ ପାରମ୍ପରିକ ଭାବେ ଅପରାଧ ଘଟିଛି। ତାଙ୍କ ଅବଧିରେ ପୁଲିସ୍‌ ଗୁଡ଼ାଏ ମାମଲାରେ ‌ବିପୁଳ କୋରେକ୍ସ ଏବଂ ନିଶା ବଟିକା ଜବତ କରିଥିଲା। କିନ୍ତୁ ଏହି ନିଶା କାରବାରର ଅସଲ ଚେର ଠାବ କରିବାରେ ପୁଲିସ୍‌ ଫେଲ୍‌ ମାରିଥିଲା। ଖୋଦ୍‌ ବରଗଡ଼ ସହର ଭିତରେ କଫ୍‌ ସିରପ୍‌ର ବନ୍ୟା ବୋହୁଛି। ନିୟମିତ ଏହି କାରବାର ଚାଲୁଥିଲେ ହେଁ ଏହି ରାକେଟ୍‌ର ମୂଳପୋଛ କରିବା ଅସମ୍ଭବ ହେଉନାହିଁ।

ଏହାବାଦ୍‌ ବରଗଡ଼ ଜିଲ୍ଲା ବ୍ରାଉନ୍‌ସୁଗର୍‌ କାରବାରର ପେଣ୍ଠସ୍ଥଳୀ ପାଲଟି ଯାଇଛି। ନିକଟ ଅତୀତରେ ବରଗଡ଼ ସହରରୁ ୪ଜଣଙ୍କୁ ସମ୍ବଲପୁର ପୁଲିସ୍‌ ଆସି ଉଠାଇ ନେଇଥିଲା। ବ୍ରାଉନ୍‌ସୁଗର୍‌ ଜବତ କରିଥିଲା। କିନ୍ତୁ ପୂର୍ବରୁ ବରଗଡ଼ ପୁଲିସ୍‌ ଏହି ରାକେଟ୍‌ ଠାବ କରିପାରିନଥିଲା। ସେହିପରି କୁଖ୍ୟାତ ବ୍ରାଉନ୍‌ସୁଗର୍‌ ମାଫିଆ ଶଂକରଲାଲ୍‌ ଛତିଶଗଡ଼ରୁ ଆସି ବରଗଡ଼ରେ ନେଟୱର୍କ ବିସ୍ତାର କରିଥିଲେ ହେଁ ବରଗଡ଼ ପୁଲିସ୍‌ ପକ୍ଷରୁ କିଛି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ବରଂ ମହାସମୁନ୍ଦ ପୁଲିସ୍‌ ଶଂକରଲାଲ୍‌କୁ ସେଠାରୁ ଗିରଫ କରି ଶ୍ରେୟ ପାଇଥିଲା। ଏହାବାଦ୍‌ ବିଦାୟୀ ଏସ୍‌ପିଙ୍କ ଅମଳରେ ପୁଲିସ୍‌ର ଭାବମୂର୍ତ୍ତି ବିଭିନ୍ନ କାରଣରୁ କ୍ଷୁର୍ଣ୍ଣ ହୋଇଥିଲା। କେଉଁଠି ପୁଲିସ୍‌ବାଲା ଗାଁଲୋକଙ୍କୁ ପିଟାମରା କରିଥିଲେ ତ କେଉଁଠି ଭୋଜିରେ ଖୋଲା ମଦ ପିଇଥିଲେ। ତେଣୁ ଏସବୁ ସମସ୍ୟା ନୂଆ ଏସ୍‌ପିଙ୍କ ପାଇଁ ଚାଲେଞ୍ଜ ଭାବେ ଛିଡ଼ା ହୋଇଛି।

ନୂଆ ଏସ୍‌ପି ପୂର୍ବରୁ ନୂଆପଡ଼ା ଜିଲ୍ଲାରେ ଅବସ୍ଥାପିତ ଥିଲେ। ନୂଆପଡ଼ା ମଧ୍ୟ ଛତିଶଗଡ଼ ସୀମା ସଂଲଗ୍ନ ଏବଂ ସେଠାରେ ବି ମାଓ ଗତିବିଧି ଲାଗି ରହୁଛି। ତେଣୁ ଏହି ଅଭିଜ୍ଞତା ତାଙ୍କୁ ବରଗଡ଼ ଜିଲ୍ଲାରେ କାମ ଦେବ। ହେଲେ ନିଶା କାରବାର ଉପରେ ନୂଆ ଏସ୍‌ପିଙ୍କ ଆଭିମୁଖ୍ୟ ଆଗାମୀ ଦିନରେ ହିଁ ଜଣାପଡ଼ିବ।

ସମ୍ବନ୍ଧିତ ଖବର