ସ୍କୁଲ ଫି ଛାଡ଼ ସଂପର୍କିତ ବିଜ୍ଞପ୍ତିକୁ ହାଇକୋର୍ଟରେ ଚାଲେଞ୍ଜ : ଆଇନ ଅନୁସାରେ ସରକାର ନେବେ ନିଷ୍ପତ୍ତି

କଟକ : ସ୍କୁଲ ଫି ଛାଡ଼ ପ୍ରସଂଗରେ ପୁଣି ଆସୋସିଏସନ୍ ଅଫ୍ ଓଡ଼ିଶା ଆଇସିଏସଇ ସ୍କୁଲ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। କିନ୍ତୁ ହାଇକୋର୍ଟ ନିଷ୍ପତ୍ତି ସରକାରଙ୍କ ଉପରେ ଛାଡିଛନ୍ତି। ସରକାର ଆଇନ ଅନୁସାରେ ପଦକ୍ଷେପ ନେବେ। କିନ୍ତୁ ତା’ ପୂର୍ବରୁ ଆଇସିଏସଇ ସ୍କୁଲ ଆସୋସିଏସନର ଅଭିଯୋଗ ଶୁଣିବେ। ଅଭିଯୋଗ ଉପରେ ଯଦି କିଛି ପଦକ୍ଷେପ ନିଆଯାଇ ପାରିବ, ତେବେ ସରକାର ତାହାକୁ ଆଇନ ଅନୁସାରେ ନେବେ। ଆଇସିଏସଇ ସ୍କୁଲ ଆସୋସିଏସନ ଯଦି ସରକାରଙ୍କ ପଦକ୍ଷେପରେ ସନ୍ତୁଷ୍ଟ ନ ହୁଅନ୍ତି ‌ତେବେ ସେମାନେ ପୁଣି ଅଦାଲତକୁ ଆସି ପାରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ପୂର୍ବରୁ ସ୍ବାକ୍ଷରିତ ଏମଓୟୁର କାର୍ଯ୍ୟକାରିତାକୁ ନେଇ ରାଜ୍ୟ ସରକାର ପ୍ରକାଶ କରିଥିବା ବିଜ୍ଞପ୍ତିକୁ ଚାଲେଞ୍ଜ କରି ଏହି ମାମାଲା ରୁଜୁ ହୋଇଥିବା ବେଳେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ କୋଭିଡ ସମୟରେ ସ୍କୁଲ ଫି ଛାଡ ସଂପର୍କିତ ପ୍ରସଂଗକୁ ନେଇ ହାଇକୋର୍ଟରେ କେତେକ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକର ଆଲୋଚନାକୁ ନେଇ ସ୍କୁଲ ଫି ଛାଡ଼ ସଂପର୍କିତ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ୨୦୨୦, ସେପ୍ଟେମ୍ବର ୧୦ରେ ଏ ସଂପର୍କିତ ଏମଓୟୁ ସ୍ବାକ୍ଷରିତ ହୋଇଥିବା ବେଳେ ୨୦୨୦, ସେପ୍ଟେମ୍ବର ୨୯ରେ ଏହି ରିପୋର୍ଟ ଗଣଶିକ୍ଷା ବିଭାଗ ହାଇକୋର୍ଟରେ ଦାଖଲ କରିଥିଲା। ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅଭିଭାବକ ମହାସଂଘର ପ୍ରତିନିଧି, ହାଇକୋର୍ଟରେ ମାମଲା ଦାୟର କରିଥିବା ଆବେଦନକାରୀଙ୍କ ପ୍ରତିନିଧି, ଓଡ଼ିଶା ଘରୋଇ ସ୍କୁଲ ଶିକ୍ଷକ ସଂଘର ପ୍ରତିନିଧି ଓ କନଫେଡେରେସନ୍ ଅଫ୍ ବୈଠକରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ ଅନୁସାରେ ସ୍କୁଲ ଫି କିଛି ଅଂଶରେ ଛାଡ କରାଯିବା ପାଇଁ ସୁପାରିସ କରାଯାଇଥିଲା। ରିପୋର୍ଟରେ ୭ଟି ସ୍ଲାବରେ ସ୍କୁଲ ଫି ଛାଡ଼ ପାଇଁ ପ୍ରସ୍ତାବ ରହିଥିଲା। ହାଇକୋର୍ଟ ଏ ସଂପର୍କିତ ମାମଲାର ଚୂଡାନ୍ତ ରାୟ ଗତ ଜାନୁଆରି ୭ରେ ପ୍ରକାଶ କରିଥିଲେ। ଏହାପରେ ୨୦୨୧, ଜାନୁଆରି ୧୯ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରି ହାଇକୋର୍ଟଙ୍କ ରାୟ ପାଳନ ସହିତ ଏମଓୟୁ କାର୍ଯ୍ୟକାରୀ ନେଇ ନିର୍ଦ୍ଦେଶ ଜାରି କରିଥିଲେ।

ସମ୍ବନ୍ଧିତ ଖବର