ସ୍ୟାଟ୍‌ ଉଚ୍ଛେଦ ନିଷ୍ପତ୍ତିକୁ ଚାଲେଞ୍ଜ : ହାଇକୋର୍ଟରେ ମାମଲା ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ : ଓଡ଼ିଶା ପ୍ରାଶାସନିକ ଟ୍ରିବୁନାଲ(ସ୍ୟାଟ୍‌) ଉଚ୍ଛେଦକୁ ଚାଲେଞ୍ଜ କରି ଦାୟର ମାମଲାର ହାଇକୋର୍ଟରେ ସୋମବାର ଶୁଣାଣି ଶେଷହୋଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ସମସ୍ତ ଦଶଟି ମାମଲାର ଆଜି ପୂର୍ଣ୍ଣାଙ୍ଗ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ତିନିଦିନ ଧରି ଏ ସଂପର୍କିତ ମାମଲାଗୁଡିକର ହାଇକୋର୍ଟରେ ଶୁଣାଣି ଚାଲିଥିଲା। ସ୍ୟାଟ୍‌ ବାର ଆସୋସିଏସନ୍ ସହିତ ଅନ୍ୟ ଆବେଦନକାରୀଙ୍କ ତରଫରୁ ଚୂଡାନ୍ତ ପର୍ଯ୍ୟାୟ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ସ୍ୟାଟ୍ ଉଚ୍ଛେଦ ପାଇଁ ସରକାରଙ୍କ କ୍ଷମତା ନାହିଁ। ସ୍ୟାଟ୍ ଉଚ୍ଛେଦ ପାଇଁ କେବଳ ଦେଶର ସଂସଦର କ୍ଷମତା ରହିଛି ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଏଥିସହିତ ଉଚ୍ଛେଦ ସମୟରେ ସ୍ୟାଟ୍‌ରେ ବିଚାରାଧୀନ ଥିବା ମାମଲାଗୁଡିକ ଶୁଣାଣି ପାଇଁ ହାଇକୋର୍ଟକୁ ସ୍ଥାନାନ୍ତର ପାଇଁ ସରକାରଙ୍କ କ୍ଷମତା ନାହିଁ। ସ୍ୟାଟ୍‌ ମାମଲା ସ୍ଥାନାନ୍ତର ପ୍ରସଂଗରେ ମଧ୍ୟ କେବଳ ସଂସଦ ନିଷ୍ପତ୍ତି ନେଇ ପାରିବ। ଏଭଳି ସ୍ଥିତିରେ ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତି ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତିରେ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତି ସପକ୍ଷରେ ସରକାରଙ୍କ ତରଫରୁ ଯୁକ୍ତି ଦର୍ଶାଯାଇଥିଲା।

ମାମଲାର ବିବରଣୀରୁ ପ୍ରକାଶ, ୧୯୮୬ ଜୁଲାଇ ୧୪ରେ ଓଡିଶା ପ୍ରଶାସନିକ ଟ୍ରିବୁନାଲ ପ୍ରତିଷ୍ଠା ହୋଇଥିଲା। ପରବର୍ତ୍ତୀ ସମୟରେ ୨୦୧୫ ସେପ୍ଟେମ୍ବର ୯ରେ ସ୍ୟାଟ୍ ଉଚ୍ଛେଦ ପାଇଁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ଗ୍ରହଣ କରିଥିଲା। ଏ ନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। କେନ୍ଦ୍ର ସରକାରଙ୍କ ନିକଟରେ ଏହି ପ୍ରସ୍ତାବ ବିଚାରାଧୀନ ରହିଥିବାବେଳେ ୨୦୧୯ ଅଗଷ୍ଟ ୨ରେ ସ୍ୟାଟ୍ ଉଚ୍ଛେଦ ନେଇ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା ଯେ ୧୯୮୬ ଜୁଲାଇ ୪ରେ ଓଡ଼ିଶା ପ୍ରାଶାସନିକ ଟ୍ରିବୁନାଲ ପ୍ରତିଷ୍ଠା ନେଇ ପ୍ରକାଶିତ ବିଜ୍ଞପ୍ତିକୁ ରଦ୍ଦ କରାଯାଇଛି। ଆଡମିନିଷ୍ଟ୍ରେଟିଭ୍ ଟ୍ରିବୁନାଲ ଆକ୍ଟ୍‌ ୧୯୮୫ର ଧାରା ୪(୨) ଓ ଜେନେରାଲ କ୍ଲଜେସ୍ ଆକ୍ଟର ଧାରା ୨୧ରେ ପ୍ରଦତ୍ତ କ୍ଷମତା ପ୍ରୟୋଗ କରି କେନ୍ଦ୍ର ସରକାର ସ୍ୟାଟକୁ ଉଚ୍ଛେଦ କରିଛନ୍ତି ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା। ଅନ୍ୟପକ୍ଷରେ ସ୍ୟାଟ୍‌ରେ ବିଚାରାଧୀନ ମାମଲା କେଉଁଠି ଶୁଣାଣି ହେବ, ସେ ନେଇ ଉଚ୍ଛେଦ ସମୟରେ କିଛି ସ୍ପଷ୍ଟ କରାଯାଇ ନଥିଲା। କେନ୍ଦ୍ର ପର୍ସୋନେଲ୍, ପବ୍ଲିକ୍ ଗ୍ରିଭାନ୍‌ସେସ୍ ଆଣ୍ଡ୍ ପେନସନ୍ ମନ୍ତ୍ରଣାଳୟ ପକ୍ଷରୁ ସ୍ୟାଟ୍ ଉଚ୍ଛେଦ ନେଇ ପ୍ରକାଶିତ ଗେଜେଟ ନୋଟିଫିକେସନକୁ ଚାଲେଞ୍ଜ କରି କଟକ ଓଏଟି ବାର୍ ଆସୋସିଏସନ୍ ଓ ଅନ୍ୟମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୟାଟ୍ ଉଚ୍ଛେଦ ପ୍ରସଂଗରେ ପ୍ରକାଶିତ ବିଜ୍ଞପ୍ତିକୁ ରଦ୍ଦ କରିବା ପାଇଁ ଆବେଦନରେ ପ୍ରାର୍ଥନା କରାଯାଇଥିବାବେଳେ ଏହି ମାମଲାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ଓ ଅଶୋକ ମହାନ୍ତି ମାମଲା ପରିଚାଳନା କରୁଥିବାବେଳେ ଆଇନଜୀବୀ ବିଶ୍ବବିହାରୀ ମହାନ୍ତି ସହାୟତା କରୁଥିଲେ।

ସମ୍ବନ୍ଧିତ ଖବର