ଗଣମାଧ୍ୟମରେ ଆଇନଜୀବୀଙ୍କ ବୟାନ ଉପରେ ଅଙ୍କୁଶ ପ୍ରସଙ୍ଗ: ବିସିଆଇ ବିଜ୍ଞପ୍ତିକୁ ହାଇକୋର୍ଟରେ ଚାଲେଞ୍ଜ

କଟକ : ନ୍ୟାୟପାଳିକା ଓ ଆଇନଜୀବୀ ପରିଷଦ ପ୍ରସଂଗରେ ଗଣମାଧ୍ୟମରେ ଆଇନଜୀବୀଙ୍କ ବୟାନ ଉପରେ ଅଙ୍କୁଶ ଜାରି କରି ବାର୍ କାଉନସିଲ ଅଫ୍ ଇଣ୍ଡିଆ(ବିସିଆଇ) ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ବିରୋଧରେ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ପୁରୀର ଆଇନଜୀବୀ କୃଷ୍ଣଚନ୍ଦ୍ର ତ୍ରିପାଠୀ ଓ ଗୋପାଳକୃଷ୍ଣ ପଣ୍ଡାଙ୍କ ପକ୍ଷରୁ ଦାୟର ଆବେଦନରେ ବିସିଆଇର ଜୁନ୍ ୨୫‌ର ବିଜ୍ଞପ୍ତି ଓ ଏ ସଂପର୍କିତ କେନ୍ଦ୍ର ସରକାରଙ୍କ ଜୁନ୍ ୨୬ର ଗେଜେଟ ବିଜ୍ଞପ୍ତିକୁ ରଦ୍ଦ କରିବାକୁ ନିବେଦନ କରାଯାଇଛି।

କୌଣସି ଅଦାଲତ, ବିଚାରପତି, ନ୍ୟାୟପାଳିକା ସଦସ୍ୟ, ରାଜ୍ୟ ଆଇନଜୀବୀ ପରିଷଦ ଓ ବିସିଆଇ ବିରୋଧରେ ମର୍ଯ୍ୟାଦାହାନୀ କଲା ଭଳି କିଛି ମନ୍ତବ୍ୟ ଛପା, ବୈଦ୍ୟୁତିକ ବା ସାମାଜିକ ଗଣମାଧ୍ୟମ ସମ୍ମୁଖରେ କୌଣସି ଆଇନଜୀବୀ ଦେଇପାରିବେ ନାହିଁ ବୋଲି ଏହି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା। ବିସିଆଇ ଓ ରାଜ୍ୟ ଆଇନଜୀବୀ ପରିଷଦ ଦ୍ବାରା ଗ୍ରହଣ କରାଯାଇଥିବା ପ୍ରସ୍ତାବକୁ ଅସମ୍ମାନ କଲେ ସଂପୃକ୍ତ ଆଇନଜୀବୀଙ୍କ ବିରୋଧରେ ଆଡଭୋକେଟ୍‌ସ ଆକ୍ଟ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ। ଏଥିସହିତ ରାଜ୍ୟ ଆଇନଜୀବୀ ପରିଷଦ ଓ ବିସିଆଇର କୌଣସି ନିଷ୍ପତ୍ତିକୁ ସର୍ବସାଧାରଣରେ କୌଣସି ସଦସ୍ୟ ସମାଲୋଚନା କରି ପାରିବେ ନାହିଁ ବୋଲି ଏହି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା।

ବିସିଆଇ ନିୟମାବଳୀରେ ସଂଶୋଧନ ଆଣି ଏପରି ବିଜ୍ଞପ୍ତି ପ୍ରକାଶ କରାଯାଇଥିବା ବେଳେ ଏହା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀ ଶ୍ରୀ ପଣ୍ଡା ଓ ଶ୍ରୀ ତ୍ରିପାଠୀ ଦର୍ଶାଇଛନ୍ତି। ଆଇନଜୀବୀଙ୍କ ବାକ୍ ସ୍ବାଧୀନତା ଉପରେ ଏପରି ଅଙ୍କୁଶ ଅସାମ୍ବିଧାନିକ। ଅଦାଲତଙ୍କ ରାୟ ଓ ଆଇନଜୀବୀ ପରିଷଦ ନିଷ୍ପତ୍ତି ବିରୋଧରେ ଗଣମାଧ୍ୟମରେ ଓ ସର୍ବସାଧାରଣରେ ମତାମତ ଦେବା ଉପରେ ଜଣେ ଆଇନଜୀବୀଙ୍କ ଉପରେ ଅଙ୍କୁଶ ନିଷ୍ପତ୍ତି ସୁପ୍ରିମକୋର୍ଟଙ୍କ ରାୟର ମଧ୍ୟ ଉଲ୍ଲଂଘନ କରୁଛି ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ, ବିସିଆଇ ଓ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦକୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅକ୍ଷୟ କୁମାର ପାଣ୍ଡେ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର