ସିଟି ଆଣ୍ଡ ଜିଏସ୍‌ଟି ଏନଫୋର୍ସମେଣ୍ଟ ୟୁନିଟ୍‌ ନିର୍ଦ୍ଦେଶକୁ ହାଇକୋର୍ଟରେ ଚାଲେଞ୍ଜ: ମିଳିଲା ନାହିଁ ଅନ୍ତରୀଣ ନିର୍ଦ୍ଦେଶ

କଟକ : ରାଜ୍ୟ ସିଟି ଆଣ୍ଡ ଜିଏସ୍‌ଟି ଏନଫୋର୍ସମେଣ୍ଟ ୟୁନିଟ୍‌ ପକ୍ଷରୁ ଜାରି ଡିମାଣ୍ଡ ଅର୍ଡର୍‌କୁ ଚାଲେଞ୍ଜ କରି ଜେଏସ୍‌ଡବ୍ଲୁ ଷ୍ଟିଲ୍‌ ଲିମିଟେଡ୍‌ ପକ୍ଷରୁ ଦାୟର ମାମଲାରେ ଅନ୍ତରୀଣ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟ ମନା କରିଛନ୍ତି। ଜଷ୍ଟିସ୍‌ ଯଶୱନ୍ତ ସିଂହ ଓ ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଜେଏସ୍‌ଡବ୍ଲୁ ଷ୍ଟିଲ୍‌ ଆବେଦନର ଶୁଣାଣି କରି ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ମାମଲାରେ ୬ ସପ୍ତାହ ଭିତ‌େର ଜବାବ ଦାଖଲ କରାଯିବ ବୋଲି ହାଇକୋର୍ଟ କହିଛନ୍ତି। କିନ୍ତୁ ଏହି ପ୍ରସଙ୍ଗରେ ଅନ୍ତରୀଣ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟ ମନା କରିଛନ୍ତି। ଅଗଷ୍ଟ ୧୨ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ, ରାଜ୍ୟ ସରକାର ଆବେଦନକାରୀ କମ୍ପାନିକୁ ନୂଆଗାଁ, ଜଜାଙ୍ଗ, କୋଇରା ଓ ଗନୁଆ ଖଣି ଲିଜ୍‌ ପ୍ରଦାନ କରିଥିଲେ। ଜିଏସ୍‌ଟି ଆଇନ ଅନୁସାରେ ବଡବିଲସ୍ଥିତ ଜେଏସ୍‌ଡବ୍ଲୁ ଷ୍ଟିଲ୍‌ ଲିମିଟେଡ୍ ୧୫୧୦ କୋଟି ଟଙ୍କାର ଆଇଟିସି (ଇନ୍‌ପୁଟ୍‌ ଟ୍ୟାକ୍ସ କ୍ରେଡିଟ୍‌) ଉପଯୋଗ କରିବାକୁ ଯୋଗ୍ୟ ଥିବାବେଳେ ଏଥିରୁ ୨୭୧ କୋଟି ଟଙ୍କା ଆଉଟପୁଟ୍‌ ଟ୍ୟାକ୍ସ ଲାଇବିଲିଟି ବାବଦରେ କମ୍ପାନି ଉପଯୋଗ ବାହାର କରିଥିଲା। ଅବଶିଷ୍ଟ ୧୨୩୯ କୋଟି ଟଙ୍କାର ଆଇଟିସି ବଡ଼ବିଲସ୍ଥିତ କମ୍ପାନି ସପୋର୍ଟ ସର୍ଭିସ୍‌ ନାଁରେ ଅନ୍ୟ ରାଜ୍ୟରେ ଥିବା ଜେଏସ୍‌ଡବ୍ଲୁ ଷ୍ଟିଲ୍‌ର ୟୁନିଟ୍‌କୁ ଟ୍ରାନ୍ସଫର୍‌ କରିଥିଲା। ଏଭଳି ବେଆଇନ ଭାବେ ଆଇଟିସି ଟ୍ରାନ୍ସଫର୍‌ ଦ୍ବାରା ରାଜ୍ୟ ସରକାର ବିପୁଳ ରାଜସ୍ବ କ୍ଷତି ସହିଥିବା ଅଭିଯୋଗ ହୋଇଥିଲା। ସିଟି ଆଣ୍ଡ ଜିଏସ୍‌ଟି ଏନଫୋର୍ସମେଣ୍ଟ ୟୁନିଟ୍‌ ତରଫରୁ ଘଟଣାର ଅନୁସନ୍ଧାନ କରାଯାଇ ୨୦୨୦, ଜୁନ୍‌ରୁ ଅଗଷ୍ଟ ୨୦୨୧ ପର୍ଯ୍ୟନ୍ତ ଅବଧି ପାଇଁ ଟ୍ୟାକ୍ସ, ପେନାଲ୍ଟି, ଇଣ୍ଟରେଷ୍ଟ ବାବଦରେ ୨୬୭୮ କୋଟି ଟଙ୍କା ଡିମାଣ୍ଡ କରାଯାଇଥିଲା। ବଡବିଲସ୍ଥିତ ଜେଏସ୍‌ଡବ୍ଲୁ ଷ୍ଟିଲ୍‌ ଲିମିଟେଡ୍‌କୁ ଜିଏସ୍‌ଟି ଆଇନର ଧାରା ୭୪ରେ ଏହି ଅର୍ଥ ପଇଠ ପାଇଁ ସିଟି ଆଣ୍ଡ ଜିଏସ୍‌ଟି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଏକ ମାସ ଭିତ‌ରେ ଏହି ଅର୍ଥ ଜମା ପାଇଁ ସିଟି ଆଣ୍ଡ ଜିଏସ୍‌ଟି ବିଭାଗ ନିର୍ଦ୍ଦେଶ ଦେଇଥିଲା। ସରକାରଙ୍କ ତରଫରୁ ଆଡଭୋକେଟ୍‌ ଜେନେରାଲ ଅଶୋକ କୁମାର ପରିଜା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର