ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନକୁ ହାଇକୋର୍ଟରେ ଚାଲେଞ୍ଜ

ୟୁଜିସି ସତ୍ୟପାଠ ଉପରେ ଜବାବ ରଖିବାକୁ ସରକାରଙ୍କୁ ଶେଷ ସୁଯୋଗ

କଟକ : ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ, ୨୦୨୦ (ଓଡ଼ିଶା ୟୁନିଭରସିଟିଜ୍ (ଆମେଣ୍ଡମେଣ୍ଟ ଆକ୍ଟ, ୨୦୨୦)କୁ  ଚାଲେଞ୍ଜ କରି ଦାୟର ମାମଲାରେ ୟୁଜିସି ଦାଖଲ କରିଥିବା ସତ୍ୟପାଠ ଉପରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ମହଲତ ଦେଇଛନ୍ତି। ୟୁଜିସି ନିୟମାବଳୀ ଓ କ୍ଷମତା ପରିସର ଉଲ୍ଲଂଘନ କରି ରାଜ୍ୟ ସରକାର ଏ ସଂପର୍କିତ ଆଇନରେ ସଂଶୋଧନ କରିଛନ୍ତି ବୋଲି ୟୁଜିସି ପକ୍ଷରୁ ହାଇକୋର୍ଟରେ ଦାଖଲ ଜବାବରେ ଉଲ୍ଲେଖ କରାଯାଇଥିଲା। ୟୁଜିସିର ଜବାବ ଉପରେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ମାଧ୍ୟମରେ ଜବାବ ରଖିବାକୁ ରଜ୍ୟ ସରକାରଙ୍କୁ ହାଇକୋର୍ଟ ସମୟ ପ୍ରଦାନ କରିଛନ୍ତି। ଏଥି ସହିତ ଆଉ ସମୟ ପ୍ରଦାନ କରାଯିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।

ଅନ୍ୟପକ୍ଷରେ ସଂଶୋଧିତ ଆଇନ ଅନୁସ‌ାରେ ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟରେ କୁଳପତି ନିଯୁକ୍ତି ଦିଆଯାଉଛି।  ଏଭଳି ସ୍ଥିତିରେ ମାମଲାରେ ଅନ୍ତରୀଣ ଆଦେଶ ପ୍ରଦାନ କରାଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ଶୁଣାଣି ସମୟରେ ଦର୍ଶାଯାଇଥିଲା। ଏହି ପ୍ରସଂଗରେ ରାଜ୍ୟ ସରକାର ପରବର୍ତ୍ତୀ ଶୁଣାଣି ପୂର୍ବରୁ ପକ୍ଷ ରଖିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ କୁଞ୍ଜବିହାରୀ ପଣ୍ଡା ଓ ଅଜିତ କୁମାର ମହାନ୍ତିଙ୍କ ପକ୍ଷରୁ ଦାୟର ପୃଥକ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୪ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ମାମଲାର ବିବରଣୀରୁ ପ୍ରକାଶ ଯେ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନକୁ ରଦ୍ଦ କରିବାକୁ ହାଇକୋର୍ଟ‌େର ଏହି  ମାମଲା ଦାୟର ହୋଇଛି। ଜେଏନ୍‌ୟୁର ପୂର୍ବତନ ପ୍ରଫେସର ଶ୍ରୀ ମହାନ୍ତିଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ନରେନ୍ଦ୍ର ହୁଡା ଓ ଆଇନଜୀବୀ ସିଦ୍ଧାର୍ଥ ପ୍ରସାଦ ଦାଶ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର