କଟକ: ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ, ୨୦୨୦ (ଓଡ଼ିଶା ୟୁନିଭରସିଟିଜ୍ (ଆମେଣ୍ଡମେଣ୍ଟ) ଆକ୍ଟ, ୨୦୨୦)କୁ ଚାଲେଞ୍ଜ କରି ଦାୟର ମାମଲାରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଯୁକ୍ତି ଉପସ୍ଥାପନ ଅସମାପ୍ତ ରହିଛି। ବିଶ୍ବବିଦ୍ୟାଳୟ, ଉଚ୍ଚଶିକ୍ଷା ଅନୁଷ୍ଠାନ, ଏକକ ବିଶ୍ବବିଦ୍ୟାଳୟ ଗୁଡିକରେ ଉଚ୍ଚମାନର ଶିକ୍ଷା ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ପଦବି ଲାଗି ସର୍ବନିମ୍ନ ଯୋଗ୍ୟତା ୟୁଜିସି ନିୟମାବଳୀ ଧାର୍ଯ୍ୟ କରିଛି। ଉଚ୍ଚଶିକ୍ଷା ଅନୁଷ୍ଠାନରେ ଅଧ୍ୟାପକ ଓ ଅନ୍ୟ କର୍ମଚାରୀଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ପ୍ରସଂଗରେ ୟୁଜିସି ନିୟମାବଳୀ ପାଳନ କରାଯିବ।

Advertisment

କିନ୍ତୁ ନିଯୁକ୍ତି ପ୍ରକ୍ରିୟା ରାଜ୍ୟ ସରକାର ପ୍ରଣୟନ କରିଥିବା ଆଇନ ଓ ନିୟମାବଳୀ ଅନୁସାରେ ଅନୁଷ୍ଠିତ ହେବ। ନିଯୁକ୍ତି ପାଇଁ ଚୟନ କମିଟି ଗଠନ ଏଭଳି ଆଇନ ଓ ନିୟମରେ ଥିବା ବ୍ୟବସ୍ଥା ଅନୁସାରେ କରାଯିବା ନେଇ ୟୁଜିସି ନିୟମାବଳୀରେ ଉଲ୍ଲେଖ କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ତରଫରୁ ହାଇକୋର୍ଟରେ ଦର୍ଶାଯାଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା ଦୀର୍ଘ ସମୟ ଧରି ଯୁକ୍ତି ଉପସ୍ଥାପନ କରିଥିଲେ। ଯୁକ୍ତି ଉପସ୍ଥାପନ ଅଧା ରହିଥିବା ବେଳେ ଆସନ୍ତା ୨୧ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। କୁଞ୍ଜବିହାରୀ ପଣ୍ଡା ଓ ଅଜିତ କୁମାର ମହାନ୍ତିଙ୍କ ପକ୍ଷରୁ ଦାୟର ପୃଥକ ଆବେଦନର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନକୁ ରଦ୍ଦ କରିବାକୁ ହାଇକୋର୍ଟରେ ଏହି ମାମଲା ଦାୟର ହୋଇଛି। ଆବେଦନରେ ଦର୍ଶାଯାଇଛି ଯେ ଏହି ସଂଶୋଧିତ ଆଇନ ଦ୍ବାରା ବିଶ୍ବବିଦ୍ୟାଳୟ ଗୁଡିକର ସ୍ବାୟତ୍ତ ଶାସନ ଅଧିକାର ଚାଲିଯିବ। ବିଶ୍ବବିଦ୍ୟାଳୟ ଓ ଏହାର ମୁଖ୍ୟ କୁଳପତିଙ୍କ ସ୍ବତନ୍ତ୍ରତା ନ୍ୟୂନ ହେବ। ଜାତୀୟ ଶିକ୍ଷାନୀତି ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିର ସ୍ବାଧୀନତା ଉପରେ ଅଧିକ ଗୁରୁତ୍ବାରୋପ କରୁଥିବା ବେଳେ ସରକାର ଆଇନରେ ଏପରି ସଂଶୋଧନ ଆଣି ଏହା ଉପରେ ଅଙ୍କୁଶ ଜାରି କରିବାକୁ ଉଦ୍ୟମ କରିଛନ୍ତି। ଜାତୀୟ ଶିକ୍ଷାନୀତିର ଏହା ବିରୋଧାଚରଣ କରୁଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସିଦ୍ଧାର୍ଥ ପ୍ରସାଦ ଦାଶ, ଈଶ୍ବର ମହାନ୍ତି ଏବଂ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା ମାମଲା ପରିଚାଳନା କରୁଛନ୍ତି।