ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ସଂଶୋଧନକୁ ଚାଲେଞ୍ଜ, ହାଇକୋର୍ଟଙ୍କ ଜବାବ ତଲବ

ମାମଲାର ଚୂଡ଼ାନ୍ତ ରାୟ ଉପରେ ନିର୍ଭର କରିବ ପ୍ରସଙ୍ଗ

କଟକ : ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଶ୍ରୀଜିଉଙ୍କ ସଂପତ୍ତି ପରିଚାଳନା ପ୍ରସଙ୍ଗରେ ଅଧିକ କ୍ଷମତା ପ୍ରଦାନ ପାଇଁ ଆଇନରେ କରାଯାଇଥିବା ସଂଶୋଧନକୁ ଚାଲେଞ୍ଜ କରି ଦାୟର ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିବା ସହ ନୋଟିସ୍ ଜାରି କରିଛନ୍ତି। ମାମଲାରେ ରାଜ୍ୟ ସରକାର, ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ, ଉପପ୍ରଶାସକ, ପରିଚାଳନା କମିଟି, ଦେବୋତ୍ତର କମିସନ ଓ ଅନ୍ୟମାନଙ୍କୁ ନୋଟିସ୍ ଜାରି କରି ଚାରି ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ଅାଇନ,୧୯୫୪ର ଧାରା ୧୬(୨) ଆଧାରରେ ଗ୍ରହଣ କରାଯାଉଥିବା ପଦକ୍ଷେପର ଭବିଷ୍ୟତ ମାମଲାର ଚୂଡ଼ାନ୍ତ ରାୟ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଆଇନରେ ସଂଶୋଧନ ପରେ ନୂଆ ଧାରା ୧୬(୨) ଅନୁସାରେ କରାଯାଇଥିବା ସମସ୍ତ କାରବାରର ସବିଶେଷ ବିବରଣୀ ଜବାବରେ ପ୍ରତିପକ୍ଷ ଉଲ୍ଲେଖ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତିପକ୍ଷଙ୍କ ପକ୍ଷରୁ ଦାଖଲ କରାଯିବାକୁ ଥିବା ଜବାବ ଉପରେ ଆବେଦନକାରୀ ପ୍ରତିଜବାବ ଦାଖଲ କରିବେ। ମାମଲାର ପରବର୍ତ୍ତୀ ଶୁଣାଣି ମେ ୧୭ରେ ହେବ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଦିଲ୍ଲୀପ କୁମାର ବରାଳଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଅାଇନରେ ନିକଟରେ ରାଜ୍ୟ ସରକାର ସଂଶୋଧନ କରିଥିଲେ। ଏପରି ସଂଶୋଧନକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଥିଲା। ସଂଶୋଧନ ନେଇ ୨୦୨୨, ଜାନୁଆରି ୯ରେ ଅଧ୍ୟାଦେଶ ଜାରି କରାଯାଇଥିଲା। ବିଶେଷକରି, ପୂର୍ବରୁ ଥିବା ଅାଇନ ଅନୁସାରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଶ୍ରୀଜଗନ୍ନାଥଙ୍କ ନାମରେ ରହିଥିବା କୋଣସି ଅସ୍ଥାବର ସମ୍ପତ୍ତି ଦଖଲକୁ ନେଇଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କ ପୂର୍ବ ଅନୁମତି ବିନା ଏହାକୁ ବିକ୍ରି କରିପାରିବ ନାହିଁ, କିମ୍ବା କାହାକୁ ଲିଜ୍ ସୂତ୍ରରେ ଦେଇପାରିବ ନାହିଁ। ସେହିପରି କୋଣସି ପରିସ୍ଥିତିରେ ସରକାରଙ୍କ ବିନା ଅନୁମତିରେ ମନ୍ଦିର ପରିଚାଳନା କମିଟି ଶ୍ରୀଜଗନ୍ନାଥଙ୍କ ଜମିକୁ ବନ୍ଧକ ରଖି ପାରିବେ ନାହିଁ ବୋଲି ଆଇନରେ ବ୍ୟବସ୍ଥା ଥିଲା। ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ଥିବା ଏଭଳି ବ୍ୟବସ୍ଥାରେ ସରକାର ସଂଶୋଧନ ଆଣି ଧାରା ୧୬(୨) ଯୋଡ଼ିଥିଲେ। ଅାଇନରେ ସଂଶୋଧନ ଅଣାଯିବା ଦ୍ୱାରା ସମସ୍ତ କ୍ଷମତା ମନ୍ଦିର ପରିଚାଳନା କମିଟି ହାତକୁ ଯାଇଥିଲା। ଶ୍ରୀଜଗନ୍ନାଥଙ୍କ ଅସ୍ଥାବର ସଂପତ୍ତି ବିକ୍ରି ବା ଲିଜ୍‌ରେ ଦେବାପାଇଁ ପରିଚାଳନା କମିଟିକୁ ଆଉ ରାଜ୍ୟ ସରକାରଙ୍କ ପୂର୍ବ ଅନୁମତି ଆବଶ୍ୟକ ନାହିଁ। ଆଇନରେ ସଂଶୋଧନ ଆଣି ସରକାର ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଏପରି କ୍ଷମତା ପ୍ରଦାନ କରିବା ଦ୍ବାରା ଶ୍ରୀଜଗନ୍ନାଥଙ୍କ ସଂପତ୍ତି ପ୍ରତି ବିପଦ ଦେଖାଦେଇଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଅନୁପ କୁମାର ମହାପାତ୍ର, ବିନ୍ଦୁସାର ସୁବୁଦ୍ଧି, ତ୍ରିଲୋଚନ ଦାଶ ଓ ସୂର୍ଯ୍ୟପ୍ରକାଶ ମଙ୍ଗରାଜ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର