ଅନୁଭବଙ୍କୁ ଅଧିକ ଜେରା ପ୍ରସଙ୍ଗ: ପରିବାର ଅଦାଲତ ନିର୍ଦ୍ଦେଶକୁ ଚାଲେଞ୍ଜ, ବର୍ଷାଙ୍କ ଆବେଦନର ଅଗଷ୍ଟ ୩୦ରେ ପରବର୍ତ୍ତୀ ଶୁଣାଣି

କଟକ: କଟକ ପରିବାର ଅଦାଲତଙ୍କ ଅଗଷ୍ଟ ୧୬ର ନିର୍ଦ୍ଦେଶକୁ ଚାଲେଞ୍ଜ କରି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ହାଇକୋର୍ଟରେ ଦାୟର କରିଥିବା ଆବେଦନର ଶୁଣାଣି ଘୁଞ୍ଚିଛି। ଆଜି ଜଷ୍ଟିସ କେ. ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ପ୍ରାରମ୍ଭିକ ଶୁଣାଣି ହୋଇଥିଲା। ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୩୦କୁ ଧାର୍ଯ୍ୟ କରାଯାଇଛି। ପ୍ରତିପକ୍ଷ ଅନୁଭବ ମହାନ୍ତି ଆଇନଜୀବୀଙ୍କ ମାଧ୍ୟମରେ ଏହି ମାମଲାରେ ଉପସ୍ଥିତ ହୋଇ ସାରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୨, ଜୁଲାଇ ୧୧ରେ ଅନୁଭବଙ୍କୁ ବର୍ଷାଙ୍କ ତରଫରୁ ଆଇନଜୀବୀ ଅଧିକ ଜେରା କରିବା ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ବର୍ଷାଙ୍କ ତରଫରୁ କେହି ଉପସ୍ଥିତ ନଥିବାରୁ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ଶେଷ କରିବାକୁ ପରିବାର ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଅନୁଭବଙ୍କୁ ପୁନର୍ବାର ଜେରା ପାଇଁ ଅନୁମତି ଲୋଡି ତଥା ଜୁଲାଇ ୧୧ର ନିର୍ଦ୍ଦେଶକୁ ପ୍ରତ୍ୟାହାର ପ୍ରସଙ୍ଗ ନେଇ ବର୍ଷାଙ୍କ ତରଫରୁ ଦାୟର ଆବେଦନକୁ ପରିବାର ଅଦାଲତ ଅଗଷ୍ଟ ୧୬ରେ ଖାରଜ କରିଥିଲେ। ପରିବାର ଅଦାଲତଙ୍କ ଏହି ନିର୍ଦ୍ଦେଶକୁ ରଦ୍ଦ କରିବାକୁ ନିବେଦନ କରି ବର୍ଷା ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି। ଅନୁଭବ ତାଙ୍କ ସାକ୍ଷ୍ୟ ସତ୍ୟପାଠରେ ବହୁ କଥା ଉଲ୍ଲେଖ କରିଛନ୍ତି। ସବୁ ପ୍ରସଙ୍ଗରେ ତାଙ୍କୁ ଜେରା କରାଯିବା ଆବଶ୍ୟକ ବୋଲି ଆବେଦନରେ ଦର୍ଶାଯାଇଛି। ଏଭଳି ସ୍ଥିତିରେ ପରିବାର ଅଦାଲତଙ୍କ ଅଗଷ୍ଟ ୧୬ର ନିର୍ଦ୍ଦେଶକୁ ରଦ୍ଦ କରାଯାଉ ବୋଲି ବର୍ଷାଙ୍କ ଆବେଦନରେ ଉଲ୍ଲେଖ କରାଯାଇଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ୨୦୨୦, ଜୁଲାଇ ୧୬‌ରେ ପିଟିସନ୍ ଦାଖଲ କରିଥିଲେ। ଏହି ଛାଡ଼ପତ୍ର ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ପାଇଁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସୁପ୍ରିମ‌େକାର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ୨୦୨୧, ମାର୍ଚ୍ଚ ୫ରେ ସୁପ୍ରିମକୋର୍ଟରେ ମାମଲାର ଚୂଡାନ୍ତ ଶୁଣାଣି ହୋଇଥିଲା। ଅନୁଭବଙ୍କ ସହମତିକୁ ବିଚାରକୁ ନେଇ ସୁପ୍ରିମକୋର୍ଟ ବର୍ଷାଙ୍କ ଟ୍ରାନ୍ସଫର ପିଟିସନକୁ ଅନୁମତି ଦେଇଥିଲେ। ସୁପ୍ରିମକୋର୍ଟଙ୍କ ମାର୍ଚ୍ଚ ୫ର ନିର୍ଦ୍ଦେଶ ଅନୁସାରେ ଅନୁଭବ ପତ୍ନୀ ବର୍ଷାଙ୍କୁ ଛାଡପତ୍ର ଦେବା ପାଇଁ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ କରିଥିବା ଆବେଦନ ଶୁଣାଣି ପାଇଁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ହୋଇ ଆସିବା ପରେ ୨୦୨୧, ଏପ୍ରିଲ ୫ରେ ଉଭୟ ପରିବାର ଅଦାଲତରେ ହାଜର ହୋଇଥିଲେ। ଅଦାଲତରେ ମଧ୍ୟସ୍ଥତା ପ୍ରକ୍ରିୟାରୁ କୌଣସି ସୁଫଳ ମିଳି ପାରି ନଥିଲା। ଏହାପରେ ମାମଲାରେ ସାକ୍ଷ୍ୟ ଗ୍ରହଣ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର