କଟକ: ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ନିର୍ବାଚନକୁ ଚାଲେଞ୍ଜ କରି ହାଇକୋର୍ଟରେ ବରିଷ୍ଠ ବିଜେପି ନେତା ଦିଲ୍ଲୀପ କୁମାର ରାୟ ମାମଲା ଦାୟର କରିଛନ୍ତି। ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଜନପ୍ରତିନିଧି ଆଇନ ଅନୁସାରେ ଶ୍ରୀ ନାୟକଙ୍କ ପ୍ରାର୍ଥିପତ୍ର ଗ୍ରହଣ ଯୋଗ୍ୟ ନଥିଲେ ମଧ୍ୟ ରିଟର୍ଣ୍ଣିଂ ଅଫିସର ତାହାକୁ ଗ୍ରହଣ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ସମୟ‌ରେ ଶ୍ରୀ ନାୟକ ଦାଖଲ କରିଥିବା ସତ୍ୟପାଠରେ ଅସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି। ସ୍ଥାବର ସଂପତ୍ତି ଓ ତାଙ୍କ ବିରୋଧରେ ଥିବା ଫୌଜଦାରୀ ମାମଲା ସଂକ୍ରାନ୍ତରେ ଶ୍ରୀ ନାୟକ ସତ୍ୟପାଠରେ ସଂପୂର୍ଣ୍ଣ ତଥ୍ୟ ଦେଇ ନାହାନ୍ତି। ଏହି ପ୍ରସଙ୍ଗରେ ପୂର୍ବରୁ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଅାକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ମିଥ୍ୟା ସତ୍ୟପାଠ ଦାଖଲ କରିଥିବାରୁ ଶ୍ରୀ ନାୟକଙ୍କ ନିର୍ବାଚନକୁ ଆସିଦ୍ଧ ଘୋଷଣା କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

Advertisment

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଅନୁଷ୍ଠିତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଶ୍ରୀ ନାୟକ ୬୪୬୬୦ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ ଶ୍ରୀ ରାୟ ୬୧୧୦୮ ଖଣ୍ଡ ଓ କଂଗ୍ରେସ ପ୍ରାର୍ଥୀ ବୀରେନ୍ଦ୍ରନାଥ ପଟ୍ଟନାୟକ ୮୭୫୧ ଖଣ୍ଡ ଭୋଟ ପାଇଥିଲେ। ବିଧାୟକ ଭାବେ ଶ୍ରୀ ନାୟକଙ୍କ ନିର୍ବାଚନକୁ ଚାଲେଞ୍ଜ କରି ପୂର୍ବରୁ ରାଜ କୁମାର ଯାଦବ ଜୁନ ୧୦ରେ ହାଇକୋର୍ଟରେ ଏକ ନିର୍ବାଚନ ମୋକଦ୍ଦମା ଦାୟର କରିଥିଲେ। ଶ୍ରୀ ନାୟକଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ହାଇକୋର୍ଟରେ ଆଜି ଦ୍ବିତୀୟ ମାମଲା ଦାୟର ହୋଇଛି। ମାମଲା ରୁଜୁ ପାଇଁ ଶ୍ରୀ ରାୟ ଆଜି ହାଇକୋର୍ଟ‌ ଆସିଥିଲେ। ଶ୍ରୀ ରାୟଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ସୌମିକସ୍ପନ୍ଦନ ତ୍ରିପାଠୀ ସହାୟତା କରୁଛନ୍ତି।